Latest Odisha News

ସଂସଦ ଆକ୍ରମଣରେ ବଳିଦାନକୁ ସ୍ମରଣ କଲେ ଶାସକ ଓ ବିରୋଧୀ

ନୂଆଦିଲ୍ଲୀ: ଆଜି ସଂସଦ ଆକ୍ରମଣକୁ ୨୧ ବର୍ଷ । ସଂସଦରେ ସହିଦଙ୍କୁ ଦିଆଗଲା ଶ୍ରଦ୍ଧାଞ୍ଜଳି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ସଂସଦ ପରିସରରେ ସହିଦ୍ ଯବାନଙ୍କ ଫଟୋରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ତାଙ୍କ ସହିତ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦିପ ଧନଖଡ, ଲୋକସଭା ବାଚସ୍ପତି ଓମ୍ ବିର୍ଲା ଓ ଅନ୍ୟମାନେ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦ ଆକ୍ରମଣରେ ସହିଦ ଯବାନଙ୍କୁ ସ୍ମରଣ କରି ସେମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ୨୦୦୧ ଡିସେମ୍ୱର ୧୩ ତାରିଖରେ ଗଣତନ୍ତ୍ରର ମନ୍ଦିର ସଂସଦ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ ହୋଇଥିଲା । ସଂସଦ ଓ ସାଂସଦ ତଥା ଅନ୍ୟମାନଙ୍କ ସୁରକ୍ଷା ଉଦ୍ଦେଶ୍ୟରେ ନିଜ ଜୀବନକୁ ବଳିଦାନ ଦେଇଥିବା ବୀର ଯବାନଙ୍କୁ ଉଭୟ ଶାସକ ଓ ବିରୋଧୀ ଦଳ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ, ଅଧିର ରଞ୍ଜନ ଚୌଧୁରୀ ଓ ଅନ୍ୟ କଂଗ୍ରେସ ନେତାମାନେ ଉପସ୍ଥିତ ରହି ସହିଦଙ୍କୁ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

୨୧ ବର୍ଷ ତଳେ ଏଲଇଟି ଓ ଜେଇଏମ୍ ଆତଙ୍କବାଦୀଙ୍କ ଆକ୍ରମଣରେ ସଂସଦ ଡ୍ୟୁଟିରେ ଥିବା ୯ ଜଣଙ୍କ ପ୍ରାଣହାନୀ ହୋଇଥିଲା ଓ ୧୭ ଜଣ ଆହତ ହୋଇଥିଲେ । ୬ଜଣ ଦିଲ୍ଲୀ ପୋଲିସ କର୍ମଚାରୀ, ୨ ଜଣ ସଂସଦ ସୁରକ୍ଷାକର୍ମୀ ସହିଦ୍ ହୋଇଥିବା ବେଳେ ସଂସଦର ମାଳି ବି ପ୍ରାଣ ହରାଇଥିଲେ । ଏକ କାରରେ ପାଞ୍ଚ ଆତଙ୍କବାଦୀ ସଂସଦ ପରିସରକୁ ପଶିଆସି ଆଖିବୁଜା ଗୁଳିଚାଳନା କରିଥିଲେ । ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା ଅଫଜଲ ଗୁରୁ ଓ ସାନ ଭାଇ ସୌକତ୍ ହୁସେନ ଗୁରୁ । ଆଫଜଲ ଗୁରୁକୁ ୨୦୧୩ରେ ମୃତ୍ୟୁଦଣ୍ଡ ମିଳିସାରିଛି ।

Leave A Reply

Your email address will not be published.