Latest Odisha News

BREAKING NEWS

Puri Rath Yatra:ରଥଯାତ୍ରାରେ ସ୍ଵାସ୍ଥ୍ୟସେବା ଯୋଗାଇବେ ୨୩୦ ଡାକ୍ତର;ବଡଦାଣ୍ଡରେ ହେବ ୮ ଅସ୍ଥାୟୀ ଡାକ୍ତରଖାନା

ପୁରୀ:ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀରେ ଜୋରଦାର ପ୍ରସ୍ତୁତି । ଚଳିତ ବର୍ଷ ରଥଯାତ୍ରା ନିମନ୍ତେ ଜନସାଧାରଣଙ୍କ ସମାବେଶକୁ ନଜରରେ ରଖି ଆବଶ୍ୟକୀୟ ଜରୁରୀକାଳୀନ ପରିସ୍ଥିତି ପାଇଁ ସ୍ଵାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି । ବଡଦାଣ୍ଡରେ ଏବଂ ପୁରୀ ସହର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ୩୦ଟି ଆଶୁ ଚିକିତ୍ସା କେନ୍ଦ୍ର ଖୋଲାଯିବାର ବ୍ୟବସ୍ଥା କରାଯାଇଛି । ବଡଦାଣ୍ଡରେ ଥିବା ୧୧ଟି ଆଶୁ ଚିକିତ୍ସା କେନ୍ଦ୍ର ଦିନରାତି ଖୋଲା ରହିବ । ସେହିପରି ୮ଟି ୧୦ ଶଯ୍ୟା ବିଶିଷ୍ଟ ଅସ୍ଥାୟୀ ଡାକ୍ତରଖାନା ବଡଦାଣ୍ଡ ଉଭୟ ପାର୍ଶ୍ଵରେ କାର୍ଯ୍ୟକ୍ଷମ ହେବ ଯାହା ଦ୍ଵାରା ଭିଡ ମଧ୍ୟରେ ରୋଗୀ ଜରୁରୀ ଚିକିତ୍ସା ପାଇପାରିବେ ।

ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୦ ଶଯ୍ୟା ବିଶିଷ୍ଟ ଆଇସିୟୁ, ୧୦ ଶଯ୍ୟା ବିଶିଷ୍ଟ ଟ୍ରମା କେୟାର କେନ୍ଦ୍ର, ୧୦ ଶଯ୍ୟା ବିଶିଷ୍ଟ ବର୍ଣ୍ଣ ୱାର୍ଡ ଏବଂ ଗୋଟିଏ ଅସ୍ତ୍ରୋପୋଚାର କକ୍ଷର ବ୍ୟବସ୍ଥା କରାଯାଇଛି । ସେହିପରି ଜିଲ୍ଲା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନବନିର୍ମିତ କୋଠାରେ ୧୫୦ ଅତିରିକ୍ତ ଶଯ୍ୟା ବ୍ୟବସ୍ଥା କରାଯିବ ।

ରଥଯାତ୍ରାରେ ସ୍ଵାସ୍ଥ୍ୟସେବା ଯୋଗାଇବାକୁ ୨୩୦ ଜଣ ଡାକ୍ତର , ୬୬ ଜଣ ବିଶେଷଜ୍ଞ, ୨ ଜଣ ହୃଦରୋଗ ବିଶେଷଜ୍ଞ, ୨ଜଣ ସ୍ନାୟୁ ବିଭାଗ ବିଶେଷଜ୍ଞ, ୨ ଜଣ ପ୍ଲାଷ୍ଟିକ ସର୍ଜନ ସମେତ ୨୦୦ ନର୍ସିଂ ଅଫିସର ଏବଂ ୨୨୯ ପାରାମେଡିକ୍ସ ଷ୍ଟାଫ ରହିବେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୦ ଗୋଟି ଶୀତ ତାପ ଶଯ୍ୟା, ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ୨ଟି ଏବଂ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ରେ ଗୋଟିଏ ଶଯ୍ୟା ଅଂଶୁଘାତ ମୁକାବିଲା ନିମନ୍ତେ ଉପଲବ୍ଧ କରାଯିବ ।

ଚଳିତ ବର୍ଷ ୪୬ ଟି ଆମ୍ବୁଲାନ୍ସ ପୁରୀର ବିଭିନ୍ନ ସ୍ଥାନରେ ଏବଂ ୨ ଟି ଏଏଲଏସ ଆମ୍ବୁଲାନ୍ସ (Advanced Life Support) ପୁରୀ ବଡ ଡାକ୍ତରଖାନାରେ ମୁତୟନ କରାଯିବ । ଖାଦ୍ୟର ମାନ ଯାଞ୍ଚ ନିମନ୍ତେ ଅଧିକ ସଂଖ୍ୟକ ଖାଦ୍ୟ ନିରାପତ୍ତା ଅଧିକାରୀ ମୁତୟନ ହୋଇଛନ୍ତି । ୩୦ ଜଣ ପ୍ରଶିକ୍ଷିତ କର୍ମଚାରୀଙ୍କୁ ଅମ୍ଳଜାନ କ୍ୟାନିଷ୍ଟର ସହ ମୁତୟନ ରଖାଯିବ ।

Leave A Reply

Your email address will not be published.