Latest Odisha News

BREAKING NEWS

ପକେଟ୍ ଉପରେ ପୁଣି ମହଙ୍ଗା ମାଡ଼! ୧୭ ମାସ ପରେ ଡରାଇଲାଣି ଦରଦାମ, ବଢ଼ିଲା ଆରବିଆଇର ଟେନସନ୍…

ନୂଆଦିଲ୍ଲୀ: ସାଧାରଣ ଲୋକଙ୍କ ପାଇଁ ଏକ ନିରାଶାଜନକ ଖବର। ଦେଶରେ ଖୁଚୁରା ମୁଦ୍ରାସ୍ଫୀତି ହାର ଗତ ୧୭ ମାସ ମଧ୍ୟରେ ପ୍ରଥମ ଥର ପାଇଁ ରିଜର୍ଭ ବ୍ୟାଙ୍କର ଲକ୍ଷ୍ୟକୁ ଅତିକ୍ରମ କରିଛି। ଖାଦ୍ୟ ସାମଗ୍ରୀର ଆକାଶଛୁଆଁ ଦରବୃଦ୍ଧି ଯୋଗୁଁ ଜୁନ୍ ମାସରେ ଦେଶରେ ମହଙ୍ଗା ମାଡ଼ ତୀବ୍ର ହୋଇଛି, ଯାହା ମଧ୍ୟବିତ୍ତ ପରିବାରର ବଜେଟ୍ ବିଗାଡ଼ି ଦେଇପାରେ।

 

କିଛି ଦିନର ଆଶ୍ୱସ୍ତି ପରେ ପୁଣିଥରେ ସାଧାରଣ ଲୋକଙ୍କ ପକେଟ୍ ଉପରେ ପଡ଼ିଛି ମହଙ୍ଗା ମାଡ଼। ଦେଶରେ ଦୀର୍ଘ ଦିନ ଧରି କିଛି ମାତ୍ରାରେ ନିୟନ୍ତ୍ରଣରେ ଥିବା ମୁଦ୍ରାସ୍ଫୀତି ଏବେ ପୁଣି ଉପରମୁହାଁ ହୋଇଛି। ସୋମବାର ପ୍ରକାଶିତ ସରକାରୀ ତଥ୍ୟ ଅନୁଯାୟୀ, ଗତ ୧୭ ମାସ ମଧ୍ୟରେ ପ୍ରଥମ ଥର ପାଇଁ ଖୁଚୁରା ମୁଦ୍ରାସ୍ଫୀତି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ୪ ପ୍ରତିଶତ ସୁରକ୍ଷିତ ଲକ୍ଷ୍ୟକୁ ଅତିକ୍ରମ କରିଛି, ଯାହାକି ଆର୍ଥିକ ବିଶେଷଜ୍ଞ ଏବଂ ସାଧାରଣ ଗ୍ରାହକଙ୍କ ଚିନ୍ତା ବଢ଼ାଇ ଦେଇଛି।

 

ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ, ମେ’ ମାସରେ ଖୁଚୁରା ମୁଦ୍ରାସ୍ଫୀତି ହାର ୩.୯୩ ପ୍ରତିଶତ ଥିବା ବେଳେ ଜୁନ୍ ମାସରେ ତାହା ବଢ଼ି ୪.୩୮ ପ୍ରତିଶତରେ ପହଞ୍ଚିଛି। ଏହି ବୃଦ୍ଧି ପଛରେ ମୁଖ୍ୟ କାରଣ ସାଜିଛି ଖାଦ୍ୟସାମଗ୍ରୀ ଦରରେ ଅହେତୁକ ବୃଦ୍ଧି। ଜୁନ୍ ମାସରେ ଖାଦ୍ୟ ମୁଦ୍ରାସ୍ଫୀତି ହାର ୫.୩୨ ପ୍ରତିଶତରେ ପହଞ୍ଚିଛି, ଯାହାକି ମେ’ ମାସରେ ୪.୭୮ ପ୍ରତିଶତ ଥିଲା। ସହର ତୁଳନାରେ ଗାଁ ଗହଳିରେ ମହଙ୍ଗା ମାଡ଼ ଅଧିକ ଅନୁଭୂତ ହେଉଛି। ସହରାଞ୍ଚଳରେ ଖାଦ୍ୟ ମୁଦ୍ରାସ୍ଫୀତି ୫.୦୯ ପ୍ରତିଶତ ଥିବା ବେଳେ ଗ୍ରାମାଞ୍ଚଳରେ ଏହା ସର୍ବାଧିକ ୫.୪୫ ପ୍ରତିଶତ ରେକର୍ଡ କରାଯାଇଛି।

 

ନିୟମ ଅନୁଯାୟୀ, ସରକାରଙ୍କ ପକ୍ଷରୁ ଆରବିଆଇକୁ ଦେଶରେ ଖୁଚୁରା ମୁଦ୍ରାସ୍ଫୀତି ହାରକୁ ୪ ପ୍ରତିଶତ (୨% ରୁ ୬% ସହନଶୀଳତା ସୀମା ମଧ୍ୟରେ) ସୀମିତ ରଖିବାକୁ ଦାୟିତ୍ୱ ଦିଆଯାଇଛି। କିନ୍ତୁ ଏବେ ଏହା ୪ ପ୍ରତିଶତ ପାର୍ କରିବା କେନ୍ଦ୍ରୀୟ ବ୍ୟାଙ୍କ ପାଇଁ ଏକ ବଡ଼ ଆହ୍ୱାନ ସୃଷ୍ଟି କରିଛି। ନିକଟରେ ଅନୁଷ୍ଠିତ ହୋଇଥିବା ଜୁନ୍ ମାସର ମୁଦ୍ରାନୀତି ସମୀକ୍ଷା ବୈଠକରେ ଆରବିଆଇ ରେପୋ ରେଟ୍‌କୁ ୫.୨୫ ପ୍ରତିଶତରେ ଅପରିବର୍ତ୍ତିତ ରଖିଥିଲା। ଅର୍ଥନୈତିକ ଅଭିବୃଦ୍ଧି ଏବଂ ଦରଦାମ ନିୟନ୍ତ୍ରଣ ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ବ୍ୟାଙ୍କ ଏହି ନିଷ୍ପତ୍ତି ନେଇଥିଲା। ତେବେ ଲଗାତାର ଖାଦ୍ୟ ଦରବୃଦ୍ଧି, ଶକ୍ତି ମୂଲ୍ୟ ଏବଂ ବିଶ୍ୱସ୍ତରୀୟ ଭୂ-ରାଜନୈତିକ ଅସ୍ଥିରତାକୁ ଦୃଷ୍ଟିରେ ରଖି ଆରବିଆଇ ଆର୍ଥିକ ବର୍ଷ ପାଇଁ ମୁଦ୍ରାସ୍ଫୀତି ଆକଳନକୁ ମଧ୍ୟ ଏପ୍ରିଲର ୪.୬% ରୁ ୫.୧% କୁ ବୃଦ୍ଧି କରିସାରିଛି।

 

ଖୁଚୁରା ମୁଦ୍ରାସ୍ଫୀତି ବୃଦ୍ଧିର ସିଧାସଳଖ ପ୍ରଭାବ ସାଧାରଣ ଲୋକଙ୍କ ରୋଷେଇ ଘରର ବଜେଟ୍ ଉପରେ ପଡ଼ିବ। ଖାଇବା ତେଲ, ପନିପରିବା ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ମହଙ୍ଗା ହେବାରେ ଲାଗିଛି। ଅନ୍ୟପକ୍ଷରେ ମୁଦ୍ରାସ୍ଫୀତି ଆରବିଆଇର ଟାର୍ଗେଟ୍ ପାର୍ କରିଥିବାରୁ ଆଗାମୀ ଦିନରେ ସୁଧ ହାର କମିବାର ସମ୍ଭାବନା ମଧ୍ୟ କ୍ଷୀଣ ହୋଇଛି। ଯାହାର ଅର୍ଥ ହେଉଛି- ଗୃହ ୠଣ କିମ୍ବା ଗାଡ଼ି ୠଣ ଉପରେ ଦେଉଥିବା ଇଏମ୍ଆଇ ର ବୋଝ ତୁରନ୍ତ କମିବାର କୌଣସି ଆଶା ନାହିଁ। ମୋଟାମୋଟି ଭାବେ କହିବାକୁ ଗଲେ, ସାଧାରଣ ଜନତାଙ୍କୁ ଏବେ ଆହୁରି କିଛି ମାସ ମହଙ୍ଗା ମାଡ଼ ସହିବାକୁ ପଡ଼ିବ।

Leave A Reply

Your email address will not be published.