ପୋଲସରା: ଲକଡାଉନ ସତ୍ତ୍ୱେ ପୋଲସରା ଥାନା ଅନ୍ତର୍ଗତ ବେଲ ଗାଁ ପଡ଼ିଆରେ ରବିବାର ଦିନ କ୍ରିକେଟ ମ୍ୟାଚ ଖେଳି ୧୨ ହଜାର ଟଙ୍କା ତଣ୍ଡ ଗଣିଲେ ୨୪ ଜଣ ଖେଳାଳୀ।
ମିଳିଥିବା ସୂଚନା ଅନୁସାରେ, କୋଭିଡ କଟକଣାକୁ ଖାତିର ନକରି ବେଲ ଗାଁ, ଡିମିରିଆ ପ୍ରଭୃତି ଗ୍ରାମର ୨୪ ଜଣ ଯୁବକ କ୍ରିକେଟ ମ୍ୟାଚ ଖେଳୁଥିଲେ। ଏହାକୁ ବହୁଲୋକ ଏକତ୍ରିତ ହୋଇ ଦେଖୁଥିବା ଖବର ପୋଲିସ ପାଖରେ ପହଞ୍ଚିଥିଲା । ଖବର ପାଇ ପୋଲସରା ଥାନା ଆଇଆଇସି ଜିତେନ୍ଦ୍ର କୁମାର ମଲ୍ଲିକ ପୋଲିସ ଫୋର୍ସ ସହ ଘଟଣା ସ୍ଥଳକୁ ଯାଇଥିଲେ। ପୋଲିସ ଆସିବା ଜାଣି ଖେଳାଳି ଓ ଖେଳ ଦେଖୁଥିବା ବ୍ୟକ୍ତିମାନେ ଦୌଡ଼ି ପଳେଇ ଥିଲେ। ଏହା ସତ୍ତ୍ୱେ ମଧ୍ୟ ପୋଲିସ କୌଶଳ କରି ୨୪ ଜଣ କ୍ରିକେଟ ଖେଳାଳିଙ୍କୁ ଧରିବାରେ ସଫଳ ହୋଇଥିଲେ।
ଲକଡାଉନ ନିୟମ ଭାଙ୍ଗିଥିବା ଅଭିଯୋଗରେ ପୋଲିସ ୨୪ ଜଣ ଖେଳାଳିଙ୍କୁ ଥାନାକୁ ନେଇ ପ୍ରତ୍ୟେକଙ୍କ ଠାରୁ ପାଞ୍ଚ ଶହ ଟଙ୍କା ଲେଖାଏଁ ୧୨ ହଜାର ଟଙ୍କା ଜରିମାନା ଆଦାୟ କରିଥିବା ସୂଚନା ମିଳିଛି ।
ଗଞ୍ଜାମ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ପ୍ରତିଦନ ତିନି ଅଙ୍କ ଛୁଉଁଥିବା ବେଳେ ସ୍ଥାନୀୟ ଲୋକଙ୍କର ଏପରି ବେଖିଆଲିମି ଚିନ୍ତାର କାରଣ ପାଲଟିଛି।
Comments are closed.