ନୂଆଦିଲ୍ଲୀ: ୨୦୦୮ରୁ ୨୦୨୫; ସମସ୍ତ ଉପେକ୍ଷା, ଅପେକ୍ଷା ପରେ ଆଜି ଶେଷରେ ଭାରତ ହାତରେ ଲାଗିଛି ୨୬/୧୧ ମୁମ୍ବାଇ ଆକ୍ରମଣର ଅନ୍ୟତମ ମାଷ୍ଟରମାଇଣ୍ଡ ତହବୁର ରାଣା । ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ତହବୁର ରାଣା ଗୁରୁବାର ଦିନ ଆମେରିକାରୁ ପ୍ରତ୍ୟର୍ପଣ ହେବା ପରେ ଆଜି ଦିଲ୍ଲୀରେ ପହଞ୍ଚିଛି । ଭାରତୀୟ ଗୁଇନ୍ଦା ଏବଂ ତଦନ୍ତକାରୀ ଅଧିକାରୀଙ୍କ ଏକ ମିଳିତ ଦଳ ସହିତ ତହବୁରକୁ ଏକ ସ୍ୱତନ୍ତ୍ର ବିମାନରେ ଅଣାଯାଇଥିଲା । ଜାତୀୟ ରାଜଧାନୀ ଦିଲ୍ଲୀ କଡା ସୁରକ୍ଷା ବ୍ୟବସ୍ଥାରେ ଛାଉଣି ହୋଇଥିବା ବେଳେ, ଦିଲ୍ଲୀର ପାଲମ ବିମାନବନ୍ଦରରେ ପହଞ୍ଚିଥିଲା ତହବୁର । ଅପରାହ୍ନ ପ୍ରାୟ ୨:୫୦ ସମୟରେ ବିମାନବନ୍ଦରରେ ଅବତରଣ କରିଥିଲା ତହବୁର ।
ଏହାପରେ ବୁଲେଟପ୍ରୁଫ୍ ଯାନ ଏବଂ ସଶସ୍ତ୍ର କମାଣ୍ଡୋଙ୍କ ଏକ କାରକେଡ୍ ମୁତୟନ କରାଯାଇଛି, ଯାହା ତହବୁରକୁ ଜାତୀୟ ତଦନ୍ତ ସଂସ୍ଥା, ଏନଆଇଏ ମୁଖ୍ୟାଳୟକୁ ନେଇଯିବ, ଯେଉଁଠାରେ ଏକ ଉଚ୍ଚ-ସୁରକ୍ଷା ପଚରାଉଚରା ପ୍ରକୋଷ୍ଠ ପ୍ରସ୍ତୁତ କରାଯାଇଛି । ୨୬/୧୧ ଆକ୍ରମଣରେ ତାର ଭୂମିକା, ଏଥିରେ ପାକିସ୍ତାନୀ ପ୍ରମୁଖଙ୍କ ଭୂମିକା ନେଇ ରାଣାକୁ ପଚରାଉଚରା କରାଯିବ । ପରେ ୨୬/୧୧ ଷଡ଼ଯନ୍ତ୍ରକାରୀକୁ ହେପାଜତ ପାଇଁ ଦିଲ୍ଲୀ କୋର୍ଟରେ ହାଜର କରାଯିବାର ସମ୍ଭାବନା ରହିଛି । ତେବେ ଯୋଜନା ଅନୁସାରେ, ସମସ୍ତ ପଚରାଉଚରା କାର୍ଯ୍ୟ ସରିବା ପରେ, ତହବୁରକୁ ଏନଆଇଏ ଦ୍ୱାରା ଆନୁଷ୍ଠାନିକ ଭାବରେ ଗିରଫ କରାଯିବ । ଏହାପରେ ତାକୁ ତିହାର ଜେଲରେ ରଖାଯିବ । ଯେଉଁଠାରେ ତାର ରହଣି ପାଇଁ ସମସ୍ତ ପ୍ରସ୍ତୁତି ହୋଇଛି ।
୬୪ ବର୍ଷୀୟ ଆତଙ୍କବାଦୀ ଆକ୍ରମଣ ମାଷ୍ଟରମାଇଣ୍ଡ ତହବୁର ବିରୋଧରେ ଦିଲ୍ଲୀର ଏକ ସ୍ୱତନ୍ତ୍ର ଏନଆଇଏ କୋର୍ଟରେ ବିଚାର କରାଯିବ । ଯେହେତୁ ମାମଲାଟି ଏବେ ଦିଲ୍ଲୀରେ ଶୁଣାଣି ହେବ, ତାକୁ ଏବେ ମୁମ୍ବାଇ ପଠାଯିବ ନାହିଁ । ଆମେରିକା ସହ ପ୍ରତ୍ୟର୍ପଣ ଚୁକ୍ତି ଏବଂ ଭାରତ ଆମେରିକାକୁ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ, ତହବୁରକୁ ନିର୍ଯାତନା ଦିଆଯିବ ନାହିଁ, ଜେଲରେ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇ ଦିଆଯିବ ଏବଂ କେବଳ ସେହି ଅପରାଧ ପାଇଁ ବିଚାର କରାଯିବ ଯାହା ପାଇଁ ତାଙ୍କୁ ପ୍ରତ୍ୟର୍ପଣ କରାଯାଇଛି ।
୨୬ ନଭେମ୍ବର, ୨୦୦୮ରେ, ୧୦ ଜଣ ପାକିସ୍ତାନୀ ଲସ୍କର-ଇ-ତୈବା ଆତଙ୍କବାଦୀଙ୍କ ଏକ ଗୋଷ୍ଠୀ ସମୁଦ୍ର ପଥ ଦେଇ ମୁମ୍ବାଇ ସହରରେ ପ୍ରବେଶ କରିଥିଲେ । ପରେ ମୁମ୍ବାଇର ଏକ ରେଳ ଷ୍ଟେସନ୍, ଦୁଇଟି ବିଳାସପୂର୍ଣ୍ଣ ହୋଟେଲ ଏବଂ ଏକ ଇହୁଦି କେନ୍ଦ୍ର ଉପରେ ସମନ୍ୱିତ ଆକ୍ରମଣ କରିଥିଲେ । ପ୍ରାୟ ୬୦ ଘଣ୍ଟା ଧରି ଚାଲିଥିବା ଏହି ଆକ୍ରମଣରେ ୧୬୬ ଜଣ ଲୋକ ପ୍ରାଣ ହରାଇଥିଲେ । ରକ୍ତମୟ ହୋଇଥିଲା ମାୟାନଗରୀ । ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ଅଜମଲ କସାବକୁ ପୂର୍ବରୁ ଧରାଯାଇଥିଲା ଏବଂ ପରେ ୨୦୧୨ରେ ପୁନେ ଜେଲରେ ଫାଶୀ ଦିଆଯାଇଥିଲା । ଆଉ ପଳାୟନ କରିଥିଲା ମୁଖ୍ୟ ମାଷ୍ଟରମାଇଣ୍ଡ କୁହାଉଥିବା ତହବୁର ରାଣା । ତାକୁ କାନାଡାର ନାଗରିକତ୍ବ ବି ମିଳିଛି । ପରେ ମୁମ୍ୱାଇ ଆକ୍ରମଣର ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଜାମିନ ବୀହିନ ଗିରଫଦାରି ଜାରି ହୋଇଥିଲା ।
ଏନଆଇଏର ଅନୁରୋଧରେ ମୁମ୍ୱାଇ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଡେଭିଡ୍ ହେଡଲି ଓ ତହବୁର ରାଣାକୁ ୨୦୦୯ରେ ଗିରଫ କରିଥିଲା ଆମେରିକା । ଡେଭିଡ୍ ହେଡଲି ଆମେରିକାରେ ତହବୁର ରାଣା ବିରୋଧରେ ସାକ୍ଷ୍ୟ ଦେଇଥିଲା । ମୁମ୍ୱାଇ ଆକ୍ରମଣର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ପାଇଁ କିପରି ପତ୍ନୀ ସହ ଭାରତ ଆସି ଆକ୍ରମଣ ପାଇଁ ପଥ ପ୍ରସ୍ତୁତ କରିଥିଲା । ମୁମ୍ୱାଇର ତାଜ ହୋଟେଲରେ ରହି, ଦିଲ୍ଲୀ, ୟୁପି, ଆଗ୍ରା ଓ ଅହମ୍ମଦାବାଦକୁ ଯାତ୍ରା କରିଥିଲା, ମୁମ୍ବାଇ ଆକ୍ରମଣ ପାଇଁ ଆର୍ଥିକ ତାକୁ ସହାୟତା ଦେଇଥିଲା, ସବୁ କହିଥିଲା ହେଡଲି । ଯିଏକି ବର୍ତ୍ତମାନ ଆମେରିକା ଜେଲରେ ରହିଛି । ଆଉ ଆତଙ୍କବାଦୀ ହେଡଲିକୁ ସହଯୋଗ କରିବା ଅଭିଯୋଗରେ ଭାରତ ତହବୁରକୁ ଆଣିବାକୁ ଚାହୁଁଥିଲା । ପରେ ତହବୁରକୁ ପ୍ରତ୍ୟାର୍ପଣ ନେଇ ଦାବି କରିଆସିଥିଲା ଭାରତ । କିନ୍ତୁ ଭାରତ ପ୍ରତ୍ୟାର୍ପଣ ଉପରେ ରୋକ ଲଗାଇବାକୁ ଆମେରିକା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ତହବୁର । ହେଲେ ସୁପ୍ରିମକୋର୍ଟରେ ଆବେଦନ ଖାରଜ ପରେ ଏବେ ତାକୁ ଭାରତ ଅଣାଯାଇଛି ।
ପ୍ରାୟ ଦେଢ ଦଶନ୍ଧି ବିତିଗଲାଣି, ହେଲେ ଆକ୍ରମଣର ମାଷ୍ଟରମାଇଣ୍ଡକୁ ଭାରତ ଅଣାଯାଇ ପାରୁନଥିଲା । କିନ୍ତୁ ଆଜି ଶେଷରେ ଦୀର୍ଘ ୧୬ ବର୍ଷ ପରେ ଆକ୍ରମଣ ମାଷ୍ଟରମାଇଣ୍ଡ ତହବୁର ରାଣାର ଭାରତକୁ ଅଣାଯାଇଛି । ଭାରତ ଫେରାଇ ଆଣିବାରେ ସଫଳ ହୋଇଛନ୍ତି ଭାରତ ସରକାର । ଏନଆଇଏ ତହବୁରକୁ ଇମିଗ୍ରେସନ ପରାମର୍ଶଦାତା ବ୍ୟବସାୟ ମାଧ୍ୟମରେ ଆକ୍ରମଣ ପାଇଁ ଗୁପ୍ତଚର କାର୍ଯ୍ୟକୁ ସହଜ କରିଥିବା ଦୋଷରେ ଅଭିଯୁକ୍ତ କରିଛି । ତହବୁର ବିରୁଦ୍ଧରେ ଅପରାଧିକ ଷଡ଼ଯନ୍ତ୍ର, ଭାରତ ବିରୁଦ୍ଧରେ ଯୁଦ୍ଧ କରିବା, ହତ୍ୟା, ଜାଲିଆତି ଏବଂ ବେଆଇନ କାର୍ଯ୍ୟକଳାପ (ନିବାରଣ) ଆଇନ ଅନୁଯାୟୀ ଉଲ୍ଲଂଘନ ଅଭିଯୋଗ ରହିଛି । ଆଉ ଏବେ ତହବୁରଠାରୁ ମୁମ୍ୱାଇ ହମଲା ସଂପର୍କରେ ନୂଆ ତଥ୍ୟ ମିଳିବା ନେଇ ଆଶା ରଖିଛି ଏଆଆଇଏ । ଯାହା ମୁମ୍ବାଇ ଆକ୍ରମଣର ଦୀର୍ଘ ୧୬ ବର୍ଷ ପରେ ଭାରତ ପାଇଁ ଏକ ପ୍ରମୁଖ କୂଟନୈତିକ ଏବଂ ଆଇନଗତ ସଫଳତା ।
Comments are closed.