ଭୁବନେଶ୍ବର: ୨୬/୧୧ ମୁମ୍ବାଇ ଆକ୍ରମଣ l ସମୟ ବିତିଥିଲେ ବି କ୍ଷତ ଶୁଖିନି । ଏହି ଆତଙ୍କବାଦୀ ଆକ୍ରମଣରେ ୧୬୬ ଜଣଙ୍କ ହତ୍ୟା କରାଯାଇଥିବା ବେଳେ ୩୦୮ରୁ ଅଧିକ ଲୋକ ଗୁରୁତର ଆହତ ହୋଇଥିଲେ । ପାକିସ୍ତାନ ପ୍ରାୟୋଜିତ ଲସ୍କର-ଇ-ତୋଇବାର ୧୦ ଜଣ ଆତଙ୍କବାଦୀ ସେଦିନ ମୁମ୍ବାଇ ରେଳ ଷ୍ଟେସନ୍ ଠାରୁ ଆରମ୍ଭ କରି ନରିମାନ ହାଉସ, ହୋଟେଲ ଓବରଏ, ହୋଟେଲ୍ ତାଜ ପ୍ୟାଲେସ, ଲିଓପୋଲଡ କାଫେରେ ରାତିସାରା ଚଳାଇଥିଲେ ସଂହାର ଲୀଳା । ଆଜି ବି ସେଇ ଲୋମହର୍ଷଣକାରି ଘଟଣା ମନେପଡିଲେ ପ୍ରତିଟି ଭାରତୀୟଙ୍କ ଲୋମ ଟାଙ୍କୁରି ଉଠୁଛି । ଇତି ମଧ୍ୟରେ ଘଟଣାକୁ ବିତିଲାଣି ୧୭ ବର୍ଷ ।
ଆଜି ସେହି ଭୟଙ୍କର ୨୬/୧୧ ମୁମ୍ବାଇ ଆକ୍ରମଣକୁ ୧୭ ବର୍ଷ ପୁରିଥିବାବେଳେ, ଏହି ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ନିର୍ଦ୍ଦୋଷ ନାଗରିକଙ୍କ ପ୍ରତି ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ । ଏକ୍ସରେ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଏହି ଦୁର୍ଭାଗ୍ୟଜନକ ଘଟଣାରେ ନିଜର କର୍ତ୍ତବ୍ୟ ପାଳନ କରି ସହିଦ ହୋଇଥିବା ଭାରତ ମାତାର ସମସ୍ତ ସାହସୀ ପୁତ୍ରମାନଙ୍କୁ ହୃଦୟର ସହିତ ପ୍ରଣାମ ।
୨୬-୧୧-୨୦୦୮ । ଦେଶର ବାଣିଜ୍ୟିକ ରାଜଧାନୀ ମୁମ୍ବାଇରେ ଆତଙ୍କବାଦୀ ଖେଳିଥିଲେ ରକ୍ତର ହୋଲି, ରଚିଥିଲେ ସଂହାରଲୀଳା। ଏହି ବର୍ବର ଆତଙ୍କୀଙ୍କ ଗୁଳିମାଡରେ ୧୬୬ରୁ ଅଧିକ ନିରିହ ଜନତାଙ୍କ ମୃତ୍ୟୁ ହେବା ସହ ୩୦୮ରୁ ଅଧିକ ଆହତ ହୋଇଥିଲେ। ତେବେ ଏକମାତ୍ର ଆତଙ୍କୀ ଜମଲ କସବକୁ ଛାଡ଼ି ବାକି ସମସ୍ତ ଆତଙ୍କବାଦୀ ଭାରତୀୟ ସୁରକ୍ଷା କର୍ମୀଙ୍କ ଗୁଳିରେ ନିହତ ହୋଇଥିଲେ । ଏହି ଆତଙ୍କବାଦୀମାନଙ୍କୁ ସମୁଳେ ନିପାତ କରିବା ପାଇଁ ସୁରକ୍ଷା କର୍ମୀଙ୍କୁ ଲାଗିଥିଲା ୪ ଦିନ । ଶେଷରେ ୨୯ ନଭେମ୍ବର ୨୦୦୮ରେ ଶେଷ ହୋଇଥିଲା ଅପରେସନ୍ ବ୍ଲାକ ଟର୍ଣ୍ଣାଡୋ । ଏହାପରେ କସାବକୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଇଥିଲା । ଆଉ ୨୬-୧୧ ରେ ଯାହା ଘଟିଲା ତାହା ସବୁଦିନ ପାଇଁ ଭାରତ ଇତିହାସରେ ଏକ କଳାଦିନ ହୋଇ ରହିଗଲା ।
Comments are closed.