Latest Odisha News

ଶେଷ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ରାଜ୍ୟରୁ ଜବତ ହେଲାଣି ୨୭୦ କୋଟି ଟଙ୍କାର ସାମଗ୍ରୀ

ଭୁବନେଶ୍ଵର: ଜୁନ୍‌ ୧ ତାରିଖରେ ରାଜ୍ୟରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ଏହି ଶେଷ ପର୍ଯ୍ୟାୟରେ ରାଜ୍ୟରେ ୯୯ ଲକ୍ଷ ୬୧ ହଜାର ଭୋଟର୍‌ ମତଦାନ କରିବେ । ସେମାନଙ୍କ ମଧ୍ୟରେ ୫୦ ଲକ୍ଷ ୮୮ ହଜାର ପୁରୁଷ ଭୋଟର ରହିଥିବା ବେଳେ ୪୮ ଲକ୍ଷ ୭୨ ହଜାର ମହିଳା ଭୋଟର । ସେହିପରି ୬ ହଜାର ୮୭ ଜଣ ତୃତୀୟ ଲିଙ୍ଗି ଭୋଟର ରହିଛନ୍ତି ।

ତେବେ ମାର୍ଚ୍ଚ ପହିଲାରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ମୋଟ ୨୭୦କୋଟି ଟଙ୍କାର ବିଭିନ୍ନ ସାମଗ୍ରୀକୁ ଜବତ କରିଛନ୍ତି ବିଭିନ୍ନ ଏନଫୋର୍ସମେଣ୍ଟ ଏଜେନ୍ସି । ଏଥିରେ କେବଳ ୨୦.୮୦କୋଟି ନଗଦ ଟଙ୍କା ଜବତ ହୋଇଛି । ଏହାବ୍ୟତୀତ ୪୦.୭୫କୋଟି ଟଙ୍କାର ମଦ, ୭୭.୯୯କୋଟି ଟଙ୍କାର ଅନ୍ୟାନ୍ୟ ନିଶାସାମଗ୍ରୀ ଓ ମାଦକଦ୍ରବ୍ୟ ଜବତ କରିଛି ବିଭାଗ । ସେହିପରି ୧୪.୭୪କୋଟି ଟଙ୍କାର ସୁନା ସମେତ ଅନ୍ୟାନ୍ୟ ମୂଲ୍ୟବାନ ଧାତୁ ଓ ୧୪୧.୫୭କୋଟି ଟଙ୍କାର ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି ।

ଚଳିତଥର ନିର୍ବାଚନ କମିଶନଙ୍କ କଡ଼ା ତାଗିଦ୍ ଓ ଆଭିମୁଖ୍ୟ ଯୋଗୁ ଏତେ ପରିମାଣର ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ସମ୍ଭବପର ହୋଇପାରିଛି । ରାଜ୍ୟରେ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରଠୁ ‘ସି-ଭିଜିଲ୍’ ଆପ୍ ମାଧ୍ୟମରେ ପ୍ରାୟ ୧୫ହଜାରରୁ ଅଧିକ ଅଭିଯୋଗ ହସ୍ତଗତ ହୋଇଛି । ସେସବୁର ଯାଞ୍ଚ କରାଯାଇଛି ଓ ସେଥିରୁ ୧୧ହଜାରରୁ ଅଧିକ (ପ୍ରାୟ ୭୪%) ଅଭିଯୋଗ ସତ ଥିବା ପ୍ରମାଣ ମିଳିଛି ।

Comments are closed.