Latest Odisha News

BREAKING NEWS

ହାଇକୋର୍ଟଙ୍କ ନିର୍ଦ୍ଦେଶ: ନିଯୁକ୍ତି ପାଇବେ ୨୭୫୩ ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ

କଟକ: ରାଜ୍ୟ ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କ ପାଇଁ ଆସିଲା ଖୁସି ଖବର । ବଡ ନିଷ୍ପତ୍ତି ନେଇଛନ୍ତି ହାଇକୋର୍ଟ।୨୭୫୩ ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ (MPHW)ଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବାକୁ ଅନୁମତି ଦେଇଛନ୍ତି ହାଇକୋର୍ଟ । ଏହା ସହ ସେମାନଙ୍କ ପୂର୍ବ ସ୍ଥଗିତାଦେଶକୁ ମଧ୍ୟ କୋହଳ କରିଛନ୍ତି ।

ଓଡ଼ିଶା ସବ-ଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ୍ କମିଶନ (OSSSC), MPHW ନିଯୁକ୍ତିକୁ ଚ୍ୟାଲେଞ୍ଜ କରି ଅନେକ ପ୍ରାର୍ଥୀ ଆବେଦନ ଦାଖଲ କରିବା ସହ ହାଇକୋର୍ଟରେ ଅଭିଯୋଗ କରିଥିଲେ। ଏହା ପରେ କୋର୍ଟ ଗତ ସୋମବାର (OSSSC)କୁ ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀଙ୍କ ନିଯୁକ୍ତି ପ୍ରକ୍ରିୟାକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ।

ତେବେ ଆସନ୍ତା ୭ ତାରିଖ ଦିନ ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀଙ୍କୁ ଦିଆଯିବ ନିଯୁକ୍ତି ପତ୍ର। ଭୁବନେଶ୍ଵର କ୍ୟାପିଟାଲ ହାଇସ୍କୁଲ ଖେଳ ପଡ଼ିଆରେ ଅନୁଷ୍ଠିତ ହେବାକୁଥିବା ନିଯୁକ୍ତି ମହାମେଳାରେ ଏମାନଙ୍କୁ ନିଯୁକ୍ତି ଦେବେ ମୁଖ୍ୟମନ୍ତ୍ରୀ। ଏନେଇ ସୂଚନା ଦେଇଛି ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିକଟରେ ୧.୧ ଲକ୍ଷ ଖାଲି ପଡିଥିବା ସରକାରୀ ପଦବୀ ପୂରଣ କରିବାକୁ ଘୋଷଣା କରିଥିଲେ। ଏଥିପାଇଁ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଓଡ଼ିଶା ସବ-ଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ୍ କମିଶନ (OSSSC), ଓଡ଼ିଶା ପବ୍ଲିକ୍ ସର୍ଭିସ୍ କମିଶନ (OPSC) ଏବଂ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ (OSSC) ର ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଉଲ୍ଲେଖଯୋଗ୍ୟ, ରାଜ୍ୟରେ ଅନେକ ସରକାରୀ ପଦବୀ ଖାଲି ପଡିଛି। ଅନ୍ୟପଟେ ପରୀକ୍ଷାରେ ବ୍ୟାପକ ଦୁର୍ନୀତି ହେଉଥିବା ନେଇ ଓ ପରୀକ୍ଷା ବିଜ୍ଞପ୍ତି ପ୍ରକାଶ ନହେବା ନେଇ ବାରମ୍ବାର ରାଜରାସ୍ତାକୁ ଓହ୍ଲାଉଛନ୍ତି ସରକାରୀ ଚାକିରି ଆଶାୟୀ। ଏହାକୁ ନେଇ ପୂର୍ବ ବିଜେଡି ସରକାର ଉପରେ ବାରମ୍ବାର ଦୋଷ ଲଦୁଛନ୍ତି ମୋହନ ସରକାର। ପୂର୍ବ ବିଜେଡି ସରକାର ସମୟରେ ବ୍ୟାପକ ଦୁର୍ନୀତି ହୋଇଛି ଏବଂ ଆଗାମୀ ଦିନରେ ବିଜେପି ସରକାର ଅଧିକାଂଶ ସରକାରୀ ପଦବୀ ପୂରଣ କରିବାକୁ ଲକ୍ଷ ରଖିଥିବା ଖୋଦ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରତିଶ୍ରୁତି ଦେଇଛନ୍ତି।

 

 

Comments are closed.