Latest Odisha News

BREAKING NEWS

୪ ବର୍ଷରେ ମ୍ୟାଲେରିଆରେ ମରିଛନ୍ତି ୨୮ ରୋଗୀ: ଓଡ଼ିଶା ଅର୍ଥନୈତିକ ସର୍ଭେ ରିପୋର୍ଟ

ଭୁବନେଶ୍ୱର: ଚିନ୍ତା ବଢାଇଲା ମ୍ୟାଲେରିଆ। ରାଜ୍ୟରେ ମ୍ୟାଲେରିଆ ସ୍ଥିତି ଉଦବେଗଜନକ। ନିକଟରେ ପ୍ରକାଶିତ ଓଡିଶା ଅର୍ଥନୈତିକ ସର୍ଭେ ରିପୋର୍ଟ ଅନୁଯାୟୀ ୪ ବର୍ଷରେ ମ୍ୟାଲେରିଆରେ ମରିଛନ୍ତି ୨୮ ରୋଗୀ। ସେହିପରି ବର୍ଷକୁବର୍ଷ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢ଼ିଚାଲିଛି।

ରିପୋର୍ଟ ଅନୁଯାୟୀ, ୨୦୨୧ରେ ରାଜ୍ୟରେ ୨୫,୫୦୩ ଜଣ ମ୍ୟାଲେରିଆରେ ଆକ୍ରାନ୍ତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୧୩ ଜଣଙ୍କ ମୃତ୍ୟୁ ଘଟିଥିଲା। ସେହିପରି ୨୦୨୨ରେ ୨୩ ହଜାର ୭୭୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫ଜଣଙ୍କ ମୃତ୍ୟୁ ହୋଇଥିଲା। ୨୦୨୩ରେ ୪୧ ହଜାର ୯୭୩ ଆକ୍ରାନ୍ତ ଓ ୪ଜଣ ମୃତକ ରହିଥିଲେ। ତେବେ ୨୦୨୪ ସେପ୍ଟେମ୍ବର ମାସ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି। ଏହି ସମୟରେ ୫୧,୩୯୮ ଜଣ ରୋଗୀ ଚିହ୍ନଟ ହୋଇଥିଲେ। ସେଥିରୁ ୬ଜଣଙ୍କ ମୃତ୍ୟୁ ଘଟିଛି । ଯାହାକୁ ନେଇ ଚିନ୍ତା ପ୍ରକଟ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ।

ଅନ୍ୟପଟେ ରାଜ୍ୟରେ ମ୍ୟାଲେରିଆ ଅପେକ୍ଷା ଡେଙ୍ଗୁ ସ୍ଥିତି ସାମାନ୍ୟ ଭଲ ରହିଛି। ଏହି ୪ବର୍ଷରେ ରାଜ୍ୟରେ ମୋଟ ୩୪ ହଜାର ୫୪୭ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨୦୨୩ରେ ମାତ୍ର ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି। ମଶା ଯୋଗୁଁ ବ୍ୟାପୁଥିବା ଆଉ ଏକ ରୋଗ ହେଉଛି ଜାପାନିଜ୍‌ ଏନସେଫାଲାଇଟ୍‌ସ। ୪ବର୍ଷରେ ରାଜ୍ୟରେ ମୋଟ ୯୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୦୨୧ରେ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଥିଲା। ରିପୋର୍ଟରେ ଆହୁରି ଦର୍ଶାଯାଇଛି ଯେ ମ୍ୟାଲେରିଆ, ଫାଇଲେରିଆ, ଡେଙ୍ଗୁ, ଚିକୁନଗୁନିଆ ଓ ଜାପାନିଜ୍‌ ଏନସେଫାଲାଇଟ୍‌ସ ଭଳି ସଂକ୍ରମଣ ରୋଗକୁ ନିୟନ୍ତ୍ରଣ ପାଇଁ ଜାତୀୟ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ(ଏନ୍‌ଭିବିଡିସିପି) ଚାଲିଛି। ୨୦୩୦ ସୁଦ୍ଧା ରାଜ୍ୟକୁ ମ୍ୟାଲେରିଆମୁକ୍ତ କରିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ।

Comments are closed.