Latest Odisha News

୨୮୭୧ କୋଟିର ବିଭିନ୍ନ ରେଳ ପ୍ରକଳ୍ପର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ‘ସୁଭଦ୍ରା’ ଯୋଜନା ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ୱର ଆସି ଓଡିଶା ପାଇଁ ୨୮୭୧ କୋଟି ମୂଲ୍ୟର ବହୁ ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ରେଳ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକ ସଂଯୋଗକୁ ଦୃଢ଼ୀଭୁତ କରାଇବା ସହିତ ବ୍ୟସ୍ତବହୁଳ ରେଳ ମାର୍ଗରେ ଯାତାୟାତକୁ ସହଜ କରିବାକୁ ଏବଂ ଏହି ଅଞ୍ଚଳର ସାମାଜିକ-ଅର୍ଥନୈତିକ ବିକାଶରେ ସହଯୋଗ କରିବାକୁ ଲକ୍ଷ୍ୟ ରଖିଛି । ଓଡିଶାର ଶିଳ୍ପ, ସମ୍ବଳ ସମୃଦ୍ଧ ଏବଂ ଆଦିବାସୀ ପ୍ରାଧାନ୍ୟ ଅଞ୍ଚଳରେ ରେଳ ନେଟୱର୍କକୁ ମଜବୁତ କରିବା ଉପରେ ଦୃଢତାର ସହିତ ଧ୍ୟାନ ଦେଇ ଏହି ପ୍ରକଳ୍ପଗୁଡିକ ଏହି ଅଞ୍ଚଳର ଅଭିବୃଦ୍ଧି ତଥା ଜାତୀୟ ଅର୍ଥନୀତିରେ ଏକୀକରଣ ପାଇଁ ପ୍ରସ୍ତୁତ ହୋଇଛି ।

ରେଳ ନେଟୱାର୍କକୁ ଆହୁରି ବୃଦ୍ଧି କରାଇବା ପାଇଁ ଚାଲୁରହିଥିବା ରେଳ ପ୍ରକଳ୍ପଗୁଡିକ ମଧ୍ୟରୁ ପ୍ରଧାନମନ୍ତ୍ରୀ ଚାରି ଗୋଟି ଗୁରୁତ୍ୱପୂର୍ଣ୍ଣ ରେଳ ସେକ୍ସନକୁ ଉତ୍ସର୍ଗୀକୃତ କରିଛନ୍ତି:

ବିଜୟନଗରାମ-ଟିଟିଲାଗଡ ତୃତୀୟ ଲାଇନ ପ୍ରକଳ୍ପର ଲାଞ୍ଜିଗଡ଼ ରୋଡ୍-ଆମ୍ବାଦୋଳା-ଦୋଇକାଲୁ ରେଳ ସେକ୍ସନ (୨୫.୩୯୪ କିମି) ଉତ୍ସର୍ଗ କରାଯାଇଛି ଯାହାର ଆନୁମାନିକ ମୂଲ୍ୟ ୪୩୨ କୋଟି । ଏହି ଗୁରୁତ୍ୱପୂର୍ଣ୍ଣ ରେଳ ସେକ୍ସନ ବ୍ୟସ୍ତବହୁଳ ବିଜୟନଗରମ-ଟିଟିଲାଗଡ ମାର୍ଗରେ କ୍ଷମତା ବୃଦ୍ଧି କରିବା ସହିତ ପଶ୍ଚିମ ଓଡିଶା ଏବଂ ଆନ୍ଧ୍ରପ୍ରଦେଶ ମଧ୍ୟରେ ସଂଯୋଗକୁ ସୁଦୃଢ଼ କରିବ । ଏହି ପ୍ରକଳ୍ପ ଉଭୟ ଯାତ୍ରୀ ଏବଂ ପଣ୍ୟ ପରିବହନ ପାଇଁ ଉପକୃତ ହେବ ଏବଂ ଯାତ୍ରୀ ଓ ପଣ୍ୟ ପରିବହନ ସୁଗମ କରିବ ।

କୋରାପୁଟ-ସିଙ୍ଗାପୁର ରୋଡ୍ ଦୋହରୀକରଣ ପ୍ରକଳ୍ପର ଲକ୍ଷ୍ମୀପୁର ରୋଡ୍-ସିଙ୍ଗରମ-ଟିକିରି ରେଳ ସେକ୍ସନ (୨୨.୯୪ କିମି) କୁ ୨୬୦ କୋଟିରେ ନିର୍ମିତ କରାଯାଇଅଛି ଯାହା ଦକ୍ଷିଣ ଓଡ଼ିଶାରେ ଟ୍ରେନ୍ ଚଳାଚଳ କ୍ଷମତା ବୃଦ୍ଧି କରିବ । ଏହି ରେଳ ସେକ୍ସନ ଉତ୍ପାଦନ ସମୃଦ୍ଧ ଅଞ୍ଚଳରୁ ପ୍ରମୁଖ ବଜାର ପର୍ଯ୍ୟନ୍ତ ପରିବହନକୁ ଯଥେଷ୍ଟ ଉନ୍ନତ କରିବ ବୋଲି ଆଶା କରାଯାଏ ।

ବୁଢାପଙ୍କ-ଶାଳଗାଁ ତୃତୀୟ ଏବଂ ଚତୁର୍ଥ ଲାଇନ ପ୍ରକଳ୍ପର ୪୦.୬୨ କିମି ଦୈର୍ଘ୍ୟ ଢେଙ୍କାନାଳ-ସଦାଶିବପୁର-ହିନ୍ଦୋଳ ରୋଡ଼ ରେଳ ସେକ୍ସନକୁ ପ୍ରାୟ ୫୪୦ କୋଟି ବିନିମୟରେ ନିର୍ମାଣ କରାଯାଇଛି । ଏହି ପ୍ରକଳ୍ପ ଜଟିଳ ଶିଳ୍ପ ମାର୍ଗରେ କ୍ଷମତାକୁ ଆହୁରି ବୃଦ୍ଧି କରିବା ସହିତ ପଣ୍ୟ ପରିବାହାନକୁ ସୁଗମ ଏବଂ ଶୀଘ୍ର ପରିବହନକୁ ସୁନିଶ୍ଚିତ କରିଦକ୍ଷତା ବୃଦ୍ଧି କରାଇବ କରିବ ।

ବଣ୍ଡାମୁଣ୍ଡା-ରାଞ୍ଚି ଦୋହରୀକରଣ ପ୍ରକଳ୍ପର ୧୨.୫ କିମି ଦୈର୍ଘ୍ୟ ବାଙ୍ଗୁରେକେଲା-ନୋଗାଓଁ ରେଳ ସେକ୍ସନ କୁ ପ୍ରାୟ ୨୩୯ କୋଟି ବିନିମୟରେ ନିର୍ମାଣ କରାଯାଇଅଛି । ଏହି ଲାଇନର ଦୋହରୀକରଣ ହେବା ଦ୍ୱାରା ଯାତାୟାତ ଯଥେଷ୍ଟ ବୃଦ୍ଧି ପାଇବ ଏବଂ ଓଡିଶା ଏବଂ ଝାଡଖଣ୍ଡ ମଧ୍ୟରେ ସଂଯୋଗ ବୃଦ୍ଧି ହେବ ।

ଏହି ଉତ୍ସର୍ଗ ସହିତ ମାନ୍ୟବର ପ୍ରଧାନମନ୍ତ୍ରୀ ମଧ୍ୟ ଚାରିଗୋଟି ରେଳ ପ୍ରକଳ୍ପ ପାଇଁ ଭିତ୍ତି ପ୍ରସ୍ତର କରିଛନ୍ତି ଯାହା ଓଡିଶାର ରେଳ ଭିତ୍ତିଭୂମି ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ:

ଭୂପୃଷ୍ଠ କ୍ରସିଂକୁ ଦୂର କରିବା ପାଇଁ ସିଜୁ-ପାରାଦୀପ ଫ୍ଲାଏଓଭର (୭ କିମି) କୁ ୨୦୦ କୋଟି ମୂଲ୍ୟରେ ନିର୍ମାଣ କରାଯିବ ଯାହା ଭାରତର ପ୍ରମୁଖ ବାଣିଜ୍ୟ ହବ ମଧ୍ୟରୁ ପାରାଦୀପ ବନ୍ଦରରେ ସୁଗମ ତଥା ନିରବଚ୍ଛିନ୍ନ ଟ୍ରେନ ଚଳାଚଳକୁ ସୁନିଶ୍ଚିତ କରିବ |

୧୮.୫୧ କିମି ଦୈର୍ଘ୍ୟ ପାରାଦୀପ-ବଡ଼ବନ୍ଧ ତୃତୀୟ ଏବଂ ଚତୁର୍ଥ ଲାଇନ ଯାହାକୁ ପ୍ରାୟ ୩୦୦ କୋଟି ଟଙ୍କାରେ ନିର୍ମାଣ କରାଯିବ । ଏହା ଉଭୟ ମାଲ ପରିବହନ ଏବଂ ଯାତ୍ରୀ ଯାତାୟାତ ପାଇଁ କ୍ଷମତା ବୃଦ୍ଧି କରିବା ସହିତ ପାରାଦୀପ ବନ୍ଦର ସହିତ ସଂଯୋଗ ବୃଦ୍ଧି କରିବ

୧୦.୯୩ କିମି ଦୈର୍ଘ୍ୟ ଏମସିଆରଏଲ ଆଭ୍ୟନ୍ତରୀଣ କରିଡର ଫେଜ-୧ ର ଦୋହରୀକରଣକୁ ପ୍ରାୟ ୧୫୨ କୋଟି ମୂଲ୍ୟରେ ନିର୍ମାଣ କରାଯିବ ଯାହାଦ୍ୱାରା ଅଧିକ କୋଇଲା ଲୋଡିଂ ପାଇଁ ସୁବିଧା ପ୍ରଦାନ କରିବା ସହିତ ଏହି ଅଞ୍ଚଳରେ ଶିଳ୍ପ ଅଭିବୃଦ୍ଧିକୁ ଅଧିକ ସମର୍ଥନ କରିବ |

ବହୁ ପ୍ରତୀକ୍ଷିତ ୪୧.୯ କିମି ଦୈର୍ଘ୍ୟ ଜୟପୁର-ନବରଙ୍ଗପୁର ନୂତନ ରେଳ ଲାଇନକୁ ପ୍ରାୟ ୭୪୮ କୋଟି ମୂଲ୍ୟରେ ନିର୍ମାଣ କରାଯିବ ଯାହା ଜୟପୁର ଏବଂ ନବରଙ୍ଗପୁରର ଆଦିବାସୀ ପ୍ରାଧାନ୍ୟ ଅଞ୍ଚଳକୁ ସଂଯୋଗ କରିବ, ଅର୍ଥନୈତିକ ଅଭିବୃଦ୍ଧି ତଥା ବଜାର ଏବଂ ସମ୍ବଳକୁ ଉନ୍ନତ ସୁବିଧା ଯୋଗାଇବ । ଏହା ସହିତ ନିଯୁକ୍ତି, ବାଣିଜ୍ୟ ଏବଂ ଗତିଶୀଳତାକୁ ପ୍ରୋତ୍ସାହିତ କରି ଏହି କ୍ଷେତ୍ରର ଅର୍ଥନୈତିକ ଉନ୍ନତିରେ ଏକ ନୂତନ ପରିବର୍ତ୍ତନକାରୀ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଉଛି ।

ଏହି ପ୍ରକଳ୍ପଗୁଡ଼ିକ ଓଡିଶାର ରେଳ ନେଟୱର୍କକୁ ମଜବୁତ କରିବା ସହିତ ଯାତାୟାତ ସୁବିଧା, ଶିଳ୍ପ ହବ ସହ ସଂଯୋଗକୁ ସୁଦୃଢ଼ କରିବା ଏବଂ ପ୍ରମୁଖ ମାର୍ଗରେ କ୍ଷମତା ବୃଦ୍ଧି ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଅଛି । ବାଣିଜ୍ୟ, ଶିଳ୍ପ ଏବଂ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବାରେ ଓଡ଼ିଶା ଦେଶର ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧିରେ ଭାରତୀୟ ରେଳ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବାରେ ଲାଗିଛି ।

Leave A Reply

Your email address will not be published.