Latest Odisha News

BREAKING NEWS

ଡିସେମ୍ବର ୨୫ରୁ ପୁରୀରେ ଅନୁଷ୍ଠିତ ହେବ ୨୮ତମ ପୁସ୍ତକ ମେଳା

ପୁରୀ: ପୁରୀ ଶରଧାବାଲି ଠାରେ ଆସନ୍ତା ଡ଼ିସେମ୍ବର ୨୫ ରୁ ଜାନୁଆରୀ ୪ ତାରିଖ ପର୍ଯ୍ୟନ୍ତ ୧୧ଦିନ ବ୍ୟାପି ୨୮ତମ ଶ୍ରୀକ୍ଷେତ୍ର ପୁସ୍ତକ ମେଳା ଅନୁଷ୍ଠିତ ହେବ । ପାଠକଙ୍କ ପାଇଁ ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଜିଲ୍ଲା ପ୍ରଶାସନ ଓ ଶ୍ରୀକ୍ଷେତ୍ର ପୁସ୍ତକ ମେଳା କମିଟିର ମିଳିତ ସହଯୋଗରେ ଅନୁଷ୍ଠିତ ହେବ ୨୮ତମ ପୁସ୍ତକ ମେଳା । ପ୍ରତିଦିନ ଦିନ ୨ଟାରୁ ରାତି ୯ଟା ଯାଏଁ ଖୋଲା ରହିବ ପୁସ୍ତକ ମେଳା ।

ପ୍ରଥମଥର ପାଇଁ ପୁସ୍ତକମେଳାରେ ପିଲାମାନଙ୍କ ପାଇଁ ପଠନ ଟୁଙ୍ଗୀ କରାଯିବ । ଏହାସହ ଜିଲ୍ଲା ପ୍ରଶାସନ ସହଯୋଗରେ ହେଉଥିବା ଏହି ମେଳାରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତ ସହ ସୁଦୂର ଦିଲ୍ଲୀରୁ ୫୦ରୁ ଉର୍ଦ୍ଧ୍ବ ପ୍ରକାଶକ ଯୋଗ ଦେଉଥିବା ବେଳେ, ୧୩୦ରୁ ଉର୍ଦ୍ଧ୍ବ ଷ୍ଟଲ ପଡ଼ିବାର ସମ୍ଭାବନା ରହିଛି । ଏହି ମେଳାରେ ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ, ନୃତ୍ୟ, ଭକ୍ତି ସଂଗୀତ, ସାହିତ୍ୟ ଆସର ଓ ଆଲୋଚନା ଚକ୍ର ଅନୁଷ୍ଠିତ ହେବ । ଚଳିତବର୍ଷ ଗବେଷଣା କ୍ଷେତ୍ରରେ ଗବେଷକ ପ୍ୟାରୀମୋହନ ପଟ୍ଟନାୟକ, ସାହିତ୍ୟ କ୍ଷେତ୍ରରେ ସତ୍ୟନାରାୟଣ ମିଶ୍ର ଓ ସୁଶ୍ରୀ ସଚେତା ମିଶ୍ର, ପ୍ରକାଶକ କ୍ଷେତ୍ରରେ ଶାରଳା ବୁକ୍ସ ଡିଷ୍ଟିବ୍ୟୁଟରଙ୍କୁ ପୁସ୍ତକ ମେଳା ସମ୍ମାନ ଦିଆଯିବ । ଏହା ସହିତ ଓଡ଼ିଶାରେ ଗବେଷଣା, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅଧ୍ୟାପକ ବିଶ୍ବରଞ୍ଜନଙ୍କୁ ଶ୍ରୀକ୍ଷେତ୍ର ପୁସ୍ତକ ମେଳା ପକ୍ଷରୁ ରାଜ୍ୟସ୍ତରୀୟ ସମ୍ମାନ ପ୍ରଦାନ କରାଯିବ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।

ଶ୍ରୀକ୍ଷେତ୍ର ପୁସ୍ତକ ମେଳା ସଭାପତି ଡ଼. କୈଳାଶ ଚନ୍ଦ୍ର ଟିକାୟତରାୟ, ସମ୍ପାଦକ ଚକ୍ରଧର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ସେଥିରେ ଏ ନେଇ ସମସ୍ତ ସୂଚନା ଦିଆଯାଇଛି । ଶରଧାବାଲିର ସ୍ବଛତା ଓ ପବିତ୍ରତା ରକ୍ଷା କରାଯିବା ସହ ଏହି ମେଳାରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଏକଲକ୍ଷ ପାଠକ, ସାହିତ୍ୟିକ, ଶିକ୍ଷାବିତ୍ ଓ ଛାତ୍ରଛାତ୍ରୀ ଯୋଗଦେବେ ବୋଲି ଆଶା ରଖିଛି ମେଳା କମିଟି ।

Leave A Reply

Your email address will not be published.