Latest Odisha News

ଗାଲାଣ୍ଟ୍ରି ଆଓ୍ବାର୍ଡ: ଗଣତନ୍ତ୍ର ଦିବସରେ ୯୪୨ ଜଣଙ୍କୁ ପୁରସ୍କାର, ଓଡିଶାର ୨ ପୋଲିସ କର୍ମୀଙ୍କୁ ରାଷ୍ଟ୍ରପତି ପଦକ

ନୂଆଦିଲ୍ଲୀ: ଆସନ୍ତାକାଲି ୭୬ ତମ ଗଣତନ୍ତ୍ର ଦିବସ ପାଳନ କରିବ ଦେଶ । ଏହି ଅବସରରେ ଜାତୀୟ ସାହସିକତା ଏବଂ ଉଲ୍ଲେଖନୀୟ ସେବା ପାଇଁ ପୁରସ୍କାର ଘୋଷଣା କରାଯାଇଛି । ଗୃହମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ଏକ ବିବୃତ୍ତିରେ ପୋଲିସକର୍ମୀ, ଅଗ୍ନିଶମ ସେବା, ହୋମଗାର୍ଡ, ନାଗିରକ ସୁରକ୍ଷା ଏବଂ ସୁଧାର ସେବା ବିଭାଗରେ ଦେଶରେ ମୋଟ ୯୪୨ ଜଣଙ୍କୁ ପୁରସ୍କାର ପ୍ରଦାନ କରାଯିବାନେଇ ସୂଚନା ରହିଛି । ଏହି ପୁରସ୍କାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ବାରା ପ୍ରଦାନ କରାଯିବ ।

ସେଥିମଧ୍ୟରୁ ୯୫ ଜଣ ଯବାନଙ୍କୁ ବୀରତା ପଦକ, ୧୦୧ ଜଣଙ୍କୁ ରାଷ୍ଟ୍ରପତି ପଦକ ଏବଂ ୭୪୬ ଜଣଙ୍କୁ ସମ୍ମାନଜନକ ସେବା ପାଇଁ ପଦକ ପ୍ରଦାନ କରାଯିବ । ବୀରତା ପଦକ ପାଇବାକୁ ଥିବା ୯୫ ଜଣ ଯବାନଙ୍କ ମଧ୍ୟରୁ ଅଧିକାଂଶ ମାଓବାଦୀ ଓ ନକ୍ସଲବାଦ ପ୍ରଭାବିତ ଅଞ୍ଚଳରେ ମୁତୟନ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୮ ଜଣ ନକ୍ସଲ ପ୍ରଭାବିତ ଅଞ୍ଚଳରେ ଥିବା ବେଳେ ୨୮ ଜଣ ଜାମ୍ମୁ କାଶ୍ମୀର ଅଞ୍ଚଳର । ସେହିପରି ଉତ୍ତର-ପୂର୍ବର ଅଞ୍ଚଳର ୩ ଜଣ ଯବାନ ଥିବା ବେଳେ ଅନ୍ୟାନ୍ୟ ଅଞ୍ଚଳର ୩୬ ଜଣ ଯବାନଙ୍କୁ ସେମାନଙ୍କ ସାହସିକତା ପାଇଁ ଏହି ସମ୍ମାନରେ ସମ୍ମାନିତ କରାଯିବ । ଏଥିରେ ୭୮ ଜଣ ପୋଲିସ କର୍ମଚାରୀ ଏବଂ ୧୭ ଜଣ ଅଗ୍ନିଶମ ସେବା କର୍ମଚାରୀ ଅଛନ୍ତି।

ସେହିପରି ବିଶିଷ୍ଟ ସେବା ପାଇଁ ୧୦୧ ଜଣଙ୍କୁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯିବ । ସେମାନଙ୍କ ମଧ୍ୟରୁ ୮୫ ଜଣ ପୋଲିସ କର୍ମଚାରୀ, ୫ ଜଣ ଅଗ୍ନିଶମ ସେବା କର୍ମଚାରୀ, ୭ଜଣ ହୋମଗାର୍ଡ ଏବଂ ୪ ଜଣ ସୁଧାର ସେବା କର୍ମଚାରୀଙ୍କୁ ପ୍ରଦାନ କରାଯିବ । ସେହିପରି ସମ୍ମାନଜନକ ସେବା (ଏମ୍ଏସ୍ଏମ୍) ପାଇଁ ୭୪୬ ପଦକ ମଧ୍ୟରୁ ୬୩୪ ଜଣ ପୋଲିସ କର୍ମଚାରୀ, ୩୭ ଜଣ ଅଗ୍ନିଶମ ସେବା କର୍ମଚାରୀ, ୩୯ ଜଣ ହୋମଗାର୍ଡ ଏବଂ ୩୬ଜଣ ସୁଧାର ସେବା କର୍ମଚାରୀଙ୍କୁ ପ୍ରଦାନ କରାଯିବ ।

ତେବେ ଓଡିଶାର ମୋଟ ୨୯ ଜଣଙ୍କୁ ମିଳିବ ଏହି ସମ୍ମାନ ଜନକ ପଦକ । ସେଥିମଧ୍ୟରୁ ୬ଜଣ ପୋଲିସ କର୍ମଚାରୀଙ୍କୁ ବୀରତା ସମ୍ମାନରେ ସମ୍ମାନିତ କରାଯିବାକୁ ଥିବା ବେଳେ ୨ଜଣ ପାଇବେ ରାଷ୍ଟ୍ରପତି ପଦକ । ସେହିପରି ସମ୍ମାନଜନକ ସେବା ପାଇଁ  ଓଡିଶାର ୧୧ ଜଣଙ୍କୁ କର୍ମଚାରୀଙ୍କୁ ମିଳିବ ପଦକ ।

Comments are closed.