ସାକ୍ଷୀଗୋପାଳ : ବୀରଗୋବିନ୍ଦପୁର ସ୍ଥିତ ରାମହରି ଦାସ ଓଡ଼ିଶୀ ଗୁରୁକୁଳ ପକ୍ଷରୁ, ଗୁରୁକୁଳ ପରିସରରେ ଦଶମ ଗୁରୁକୁଳ – ୨୦୧୩ ଉତ୍ସବର ଦ୍ଵିତୀୟ ଦିବସ ଅବସରରେ ବିଶିଷ୍ଟ ବୀଣା ବାଦକ ଗୁରୁ କେ. ରାମରାଓ ପାତ୍ର ଏବଂ ବିଶିଷ୍ଟ ଲେଖକ ଆର୍ତତ୍ରାଣ ଶତପଥି ଅତିଥି ଭାବରେ ଯୋଗ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ଦେବର୍ଷି ଭଟାଚାର୍ଜୀଙ୍କ ଦ୍ୱାରା ରାଗ ୟମନ୍ ରେ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ପରିବେଷଣ କରାଯାଇଥିଲା ଏଥିରେ ତବଲାରେ ଚିରଞ୍ଜିତ ମୁଖାର୍ଜୀ, ହାର୍ମୋନିଅମରେ ଆକାଶ ରଞ୍ଜୀବ ବିଶ୍ଵାଳ ଏବଂ ତାନ୍ପୁରାରେ ସୃଷ୍ଟି ସ୍ୱରୂପା ମିଶ୍ର ସହଯୋଗ କରିଥିଲେ । ପରେ ପରେ ଗୁରୁ ଚନ୍ଦନ କୁମାର୍ ଜେନାଙ୍କ ପରିଚାଳନାରେ ରାଗ – ଦରବାରୀ କାହ୍ମାଡା ଓ ତିନ୍ ତାଲର ଆଧାରରେ ସମବେତ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ଗାୟନ କରାଯାଇଥିଲା । ପରିଶେଷରେ ସଦାଶିବ ପ୍ରଧାନଙ୍କ ସଂରଚନା, ଗୁରୁ ସୁକାନ୍ତ କୁଣ୍ଡୁଙ୍କ ସଙ୍ଗୀତ ସଂଯୋଜନା, ଗୁରୁ ଧନେଶ୍ଵର ସ୍ଵାଇଁଙ୍କ ତାଳ ସଂଯୋଜନା ଏବଂ ପ୍ରଦ୍ୟୁମ୍ନ କୁମାର ମହାନ୍ତଙ୍କ ନୃତ୍ୟ ପରିଚାଳନାରେ ମହାଭାରତର ଚାରିଗୋଟି କପଟ ଉପାଖ୍ୟାନ ଯଥା : – ଭୀଷ୍ମଙ୍କ ଶରଶଯ୍ୟା, ଅଭିମନ୍ୟୁ ବଧ, ଜୟଦ୍ରଥ ବଧ ଏବଂ ଦୁର୍ଯ୍ୟୋଧନର ଉରୁଭଙ୍ଗ ଆଦି ବିଷୟକୁ ନେଇ ଉତ୍କଲ ସଙ୍ଗୀତ ମହାବିଦ୍ୟାଳୟର ଛଉନୃତ୍ୟ ବିଭାଗର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପରିବେଷିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ବିଭିନ୍ନ ବର୍ଗର ସଙ୍ଗୀତ ପ୍ରେମୀ ବ୍ୟକ୍ତିମାନେ ଯୋଗ ଦେଇଥିଲେ।
Comments are closed.