Latest Odisha News

ବିଜେଡି ପଦଯାତ୍ରାର ଦ୍ୱିତୀୟ ଦିନ: ଓଡ଼ିଶାର ସ୍ୱାର୍ଥ ପାଇଁ ଦଳର ରଣହୁଙ୍କାର

ଭୁବନେଶ୍ୱର: ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଛି ବିଜେଡିର ଜନସଂପର୍କ ପଦଯାତ୍ରା। ଆଜି ପ୍ରଥମ ପର୍ଯ୍ୟାୟ ବିଜେଡି ପଦଯାତ୍ରାର ଦ୍ୱିତୀୟ ଦିନ। ଓଡ଼ିଶାର ସ୍ୱାର୍ଥ ପାଇଁ ପଦଯାତ୍ରାରେ ରଣହୁଙ୍କାର ଦେଇଛି ଦଳ। ଲୋକଙ୍କ ସହ ଯୋଡି ହେବାକୁ ପଦଯାତ୍ରା ଆରମ୍ଭ କରିଥିବା ବିଜେଡି ପାଇଁ ଦଳ ଭିତରେ ସଂପର୍କ ମଜଭୁତ କରିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ। ପ୍ରଥମ ଥର ପାଇଁ ବିରୋଧୀ ଦଳରେ ଥାଇ ପଦଯାତ୍ରା କରୁଛି ବିଜେଡି ।

ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ଦରଦାମ ବୃଦ୍ଧି, ନାରୀ ନିର୍ଯାତନା ସମେତ ସୁଭଦ୍ରା ଓ ମାଗଣା ବିଜୁଳି ଭଳି ପ୍ରସଙ୍ଗରେ ବିଜେପି ସରକାରର ମିଛ ପ୍ରତିଶୃତି ନେଇ ଲୋକଙ୍କୁ ସଚେତନ କରାଯାଉଛି। ସବୁ ନିର୍ବାଚନ ମଣ୍ଡଳିର ବ୍ଲକ ଓ ପୌରାଞ୍ଚଳରେ ପଦଯାତ୍ରା କରାଯାଉଛି । ଏଥର ଦୁଇଟି ପର୍ଯ୍ୟାୟରେ ୧୫ ଦିନ ଧରି ବିଜେଡି ପଦଯାତ୍ରା ହେଉଛି । ଗତକାଲିଠାରୁ ଆରମ୍ଭ ହୋଇଥିବା ପଦଯାତ୍ରା ୬ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଚାଲିବ । ଅକ୍ଟୋବର ୨୧ରୁ ୩୦ ତାରିଖ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ପଦଯାତ୍ରା ହେବ।

ସେହିପରି ଅକ୍ଟୋବର ୯ ଗୋପବନ୍ଧୁ ଜୟନ୍ତୀରୁ ଆରମ୍ଭ ହେବ ବିଜୁ ଜନତା ଦଳର ସଦସ୍ୟତା ସଂଗ୍ରହ ଅଭିଯାନ। ଜିଲ୍ଲା ସଭାପତି ଓ ରାଜ୍ୟ କମିଟି ଏହାର ତଦାରଖ କରିବେ। ପଦଯାତ୍ରା ସମୟରେ ଗ୍ରାମାଞ୍ଚଳ ଓ ପୌରାଞ୍ଚଳର ବିକାଶ ସହିତ ଜନସାଧାରଣଙ୍କ କଲ୍ୟାଣ ପାଇଁ ବିଜେଡି ସରକାର କରିଥିବା ଲୋକାଭିମୁଖୀ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦିଆଯିବ। ଏହାସହ ବିଜେପି ସରକାରର ବିଫଳତା, ପ୍ରତାରଣା ଓ ନାରୀ ନିର୍ଯାତନା ଆଦି ପ୍ରସଙ୍ଗରେ ରାଜ୍ୟବାସୀଙ୍କ ଜଣାଇବ ବିଜେଡି।

 

Leave A Reply

Your email address will not be published.