Latest Odisha News

BREAKING NEWS

କନ୍ଧମାଳରେ କଳିଙ୍ଗ ସାହିତ୍ୟ ମହୋତ୍ସବ; ଜାଣନ୍ତୁ କେବେଠାରୁ ଆରମ୍ଭ..

ଭୁବନେଶ୍ୱର : ପ୍ରକୃତି, ସଂସ୍କୃତି ଓ ସାହିତ୍ୟ ମଧ୍ୟରେ ଥିବା ପାରସ୍ପରିକ ସମ୍ବନ୍ଧ ବିଷୟରେ ଚର୍ଚ୍ଚା କରିବା ପାଇଁ ଓଡିଶା ଡାଏରୀ ଫାଉଣ୍ଡେସନ ଓ କଳିଙ୍ଗ ସାହିତ୍ୟ ମହୋତ୍ସବର ମିଳିତ ପ୍ରୟାସରେ ଆସନ୍ତା ଡିସେମ୍ବର ୧୪ ଓ ୧୫ ତାରିଖରେ ଫୁଲବାଣୀଠାରେ ଦ୍ଵିତୀୟ କନ୍ଧମାଳ ସାହିତ୍ୟ ମହୋତ୍ସବ ଆରମ୍ଭ ହେଉଛି।

ଏଥିରେ ଇଂରାଜୀ ଭାଷାର ବିଶିଷ୍ଟ କବି ଜୟନ୍ତ ମହାପାତ୍ର ମାର୍ଗଦର୍ଶୀ ଅଭିଭାଷଣ ପ୍ରଦାନ କରିବେ ।

କନ୍ଧମାଳ ଜିଲ୍ଲା ନିଜର ସ୍ଵତନ୍ତ୍ର ସଂସ୍କୃତି, ପ୍ରାକୃତିକ ସୌନ୍ଦର୍ଯ୍ୟ ତଥା ଏଠାକାର ସମାଜର ସରଳପଣିଆ ପାଇଁ ସର୍ବ ବିଦିତ । ଏହିସବୁ ଗୁଣ ଜଣେ ଲେଖକ, ବିଚାରକ ତଥା ସାହିତ୍ୟିକୁ ପ୍ରେରିତ କରିଥାଏ । ରାଜ୍ୟର ବିଭିନ୍ନ ଅଞ୍ଚଳ ସହିତ ଯୋଡିହେବା ପାଇଁ ଓଡିଶା ଡାଏରୀ ଫାଉଣ୍ଡେସନର ଏହା ଏକ ପ୍ରୟାସ ।

ଏହି ସାହିତ୍ୟ ମହୋତ୍ସବରେ ଓଡିଶାର ଅଗ୍ରଣୀ ସାରସ୍ଵତ ଶିଳ୍ପୀ ଗଣ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ଦୁଇଦିନିଆ ମହୋତ୍ସବ ଅବସରରେ କନ୍ଧମାଳ ଜିଲ୍ଲାର ପ୍ରାୟ ୬୦ ଜଣ କବି ସେମାନଙ୍କର ସ୍ଵରଚିତ କବିତା ପାଠ କରିବେ ବୋଲି ସୂଚନା ମିଳିଛି ।

କନ୍ଧମାଳ ସାହିତ୍ୟ ମହୋତ୍ସବର ଆୟୋଜକ ରଶ୍ମି ରଞ୍ଜନ ପରିଡାଙ୍କ କହିବା ଅନୁଯାୟୀ, “ଭେଟି ଦେବାକୁ କନ୍ଧମାଳପାଖରେ ଅନେକ କିଛି ରହିଛି । ଅନେକଙ୍କ ପାଇଁ ଏହା ଏକ ନୀରବ ପ୍ରେରଣାର ସ୍ରୋତ। କନ୍ଧମାଳ ସହିତ ଓଡିଶାର ସାରସ୍ଵତ ଇତିହାସର ସମ୍ପର୍କ ବିଷୟରେ ଅଧିକ ଜାଣିବା ସକାଶେ ତଥା ଜିଲ୍ଲାର ଉଚ୍ଚକୋଟୀର କଳାତ୍ମକ ଓ ସଂସ୍କୃତିକ ଐତିହ୍ୟକୁ ସମ୍ମାନ ଜଣାଇବା ପାଇଁ ଆମେ ପ୍ରାୟାସରତ ।“

କନ୍ଧମାଳ ସାହିତ୍ୟ ମହୋତ୍ସବ ପାଇଁ ଓଡିଶା ତଥା ଓଡିଶା ବାହାରର ଅନେକ ପାଠକଙ୍କ ଆଗ୍ରହ ବଢୁଥିବାରୁ ମହୋତ୍ସବର ସହସଂସ୍ଥାପକ ତଥା ଆବାହକ ଦେବାଶିଷ ସାମନ୍ତରାୟ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଭବିଷ୍ୟତରେ ଏହା ଓଡିଶାର ସାହିତ୍ୟିକ ସମାବେଶର ଏକ ନିୟମିତ କାର୍ଯ୍ୟକ୍ରମ ଭାବେ ସ୍ଥାନିତ ହେବ ବୋଲି ସେ ଆଶା କରିଛନ୍ତି ।

ଏହି ପ୍ରୟାସ ବିଷୟରେ ସେ କହିଥିଲେ ଯେ ଓଡିଶାର କୋଣ ଅନୁକୋଣରୁ ଜ୍ଞାନ ଓ ପ୍ରେରଣା ପାଇବା ସକାଶେ କନ୍ଧମାଳ ସାହିତ୍ୟ ମହୋତ୍ସବ ଆମ ଉଦ୍ୟମର ଅଂଶବିଶେଷ ।

ଏହି ଉତ୍ସବରେ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି, ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା , ଶକ୍ତି ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଏବଂ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ସମ୍ମାନନୀୟ ଅତିଥି ହିସାବରେ ଯୋଗଦାନ କରିବେ ବୋଲି ଜଣାପଡିଛି ।

Leave A Reply

Your email address will not be published.