Latest Odisha News

BREAKING NEWS

ପାଲା ଜଗତର ଅନନ୍ୟ ପ୍ରତିଭା: ସୁଧାକର ଯୁଧିଷ୍ଠିର ପରିଜା

ଭୁବନେଶ୍ୱର: ପାଲା ଜଗତର ଅନ୍ୟତମ ଉଜ୍ଜ୍ୱଳ ପ୍ରତିଭା ହେଉଛନ୍ତି ଗାୟକ ସୁଧାକର ଯୁଧିଷ୍ଠିର ପରିଜା । ପାଲାକୁ ଆଲୋଚନାଧର୍ମୀ, ତତ୍ତ୍ୱଧର୍ମୀ ଏବଂ ସମାଜ ଶିକ୍ଷାମୂଳକ କରି ଜନମାନସରେ ପ୍ରତିଷ୍ଠିତ କରିବାରେ ସେ ଏକ ଭିନ୍ନ ଭୂମିକା ଗ୍ରହଣ କରିଛନ୍ତି ।

ସେ ୧୯୬୦ ମସିହା ଜାନୁଆରୀ ମାସ ୧୫ ତାରିଖରେ ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ ଜଗନ୍ନାଥପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ବାପା ସୁରେନ୍ଦ୍ର ପରିଜା ଏବଂ ମାଆ ଶୈଳବାଳା ପରିଜା । ଭୁବନେଶ୍ୱର ଏବଂ କଟକର ମଧ୍ୟସ୍ଥଳରେ ଥିବା ଜଗନ୍ନାଥପୁର ଏକ ସଂସ୍କୃତି ସମ୍ପନ୍ନ ଗ୍ରାମ । ଏହି ଗ୍ରାମ ଅନେକ କଳାକାରଙ୍କୁ ଜନ୍ମ ଦେଇ ଧନ୍ୟ ହୋଇଛି ।

ଏଭଳି ଏକ ସଂସ୍କୃତି ସମ୍ପନ୍ନ ଗ୍ରାମରେ ଜନ୍ମଲାଭ କରିଥିବାରୁ ଯୁଧିଷ୍ଠିରଙ୍କ ଉପରେ ମଧ୍ୟ ପିଲାଟି ଦିନରୁ ଏହାର ପ୍ରଭାବ ପଡିଥିଲା । ବାପା ସୁରେନ୍ଦ୍ର ପରିଜା ମଧ୍ୟ ଜଣେ ପ୍ରତିଷ୍ଠିତ କଳାକାର ଥିଲେ, ଫଳରେ ତାଙ୍କ ଦ୍ୱାରା ଏକପ୍ରକାର ଅନୁପ୍ରାଣିତ ହୋଇଥିଲେ ଯୁଧିଷ୍ଠିର । ପିଲାଟି ଦିନରୁ କଳା, ସାହିତ୍ୟ, ବିଶେଷ କରି ସଙ୍ଗୀତ ପ୍ରତି ସେ ଆକୃଷ୍ଟ ହୋଇପଡିଥିଲେ ।

ଜଗନ୍ନାଥପୁର ଗ୍ରାମରେ ଏକ ପ୍ରତିଷ୍ଠିତ ସଂକୀର୍ତ୍ତନ ଦଳ ଥିଲା, ଯାହା ରାଜ୍ୟର ପୁରପଲ୍ଲୀରେ ସୁନାମ ଅର୍ଜନ କରିଥିଲା । ଯୁଧିଷ୍ଠିର ପ୍ରଥମେ ଏହି ସଂକୀର୍ତ୍ତନ ପ୍ରତି ଆକୃଷ୍ଠ ହୋଇ ମୃଦଙ୍ଗ ବାଦନ କଲେ । ଏହାସହ ସଂକୀର୍ତ୍ତନ ଗାୟକ ଭାବରେ ମଧ୍ୟ ନିଜ କଳାକୁଶଳତା ପ୍ରଦର୍ଶନ କଲେ । ତାଙ୍କର ଆକର୍ଷଣୀୟ ଗାୟନ ପୁରପଲ୍ଲୀରେ ଆଦୃତ ହେଲା, ଲୋକେ ଭୁରିଭୁରି ପ୍ରଶଂସା କଲେ ।

ତେବେ ୧୯୭୮ ମସିହାରେ ସେ ବିଦଗ୍ଧ କଳା ପାଲା ପ୍ରତି ଆକୃଷ୍ଠ ହେଲେ । ମାଟ୍ରିକ ପାସ୍ କରିବା ପରେ ଆଉ ଉଚ୍ଚଶିକ୍ଷା ପ୍ରତି ମନ ନବଳାଇ ସେ ପାଲା ଗାୟକ ହେବାକୁ ଇଚ୍ଛାପ୍ରକାଶ କଲେ । ଗ୍ରାମ ନିକଟସ୍ଥ ତକ୍ରାଳୀନ ସମୟର ପ୍ରସିଦ୍ଧ ଗାୟକ ଇନ୍ଦ୍ରମଣି ମହାନ୍ତିଙ୍କୁ ସେ ପାଲା ଗୁରୁ ଭାବରେ ବରଣ କରିଥିଲେ।

ପାଲା ଶିଖିବାର ମାତ୍ର ତିନି ମାସ ମଧ୍ୟରେ ସେ ବାଦୀପାଲାରେ ଅବତୀର୍ଣ୍ଣ ହୋଇଥିଲେ । ଭୁବନେଶ୍ୱର ପଟିଆରେ ବିଶିଷ୍ଟ ଗାୟକ ସାରଙ୍ଗଧର ଜେନାଙ୍କ ସହ ପ୍ରଥମ ବାଦୀପାଲା ପରିବେଷଣ କରି ଦର୍ଶକଙ୍କୁ ଆକୃଷ୍ଟ କରିପାରିଥିଲେ । ଏହାପରେ ତାଙ୍କର ଖ୍ୟାତି ଚାରିଆଡେ ବ୍ୟାପୀ ଯାଇଥିଲା ।

ପରବର୍ତ୍ତୀ ସମୟରେ ସେ ରାଜ୍ୟର ପ୍ରତିଷ୍ଠିତ ଗାୟକ ପରମାନନ୍ଦ ଶରଣ, ଭ୍ରମରବର ମହାରଣା, ଧର୍ମାନନ୍ଦ ଦୀକ୍ଷିତ୍, କ୍ଷେତ୍ରବାସୀ ମିଶ୍ର, ବଂଶୀଧର ମହାପାତ୍ର, ବଂଶୀଧର ଚଇନି, ଉଦୟନାଥ ରଥଶର୍ମା, ଜଗନ୍ନାଥ ବେହେରା, ଅଭୟ ଚରଣ ସ୍ୱାଇଁ, ପ୍ରହଲ୍ଲାଦ ସାହୁ ପ୍ରମୁଖ ଗାୟକଙ୍କ ସହ ବାଦିପାଲାରେ ଅବତୀର୍ଣ୍ଣ ହୋଇ ନିଜର ପାରଦର୍ଶିତା ପ୍ରଦର୍ଶନ କରିଥିଲେ ।

ପାଲା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଶ୍ରୀ ପରିଜାଙ୍କୁ ରାଜ୍ୟର ପୁରପଲ୍ଲୀରୁ ଅନେକ ପୁରସ୍କାର, ମାନପତ୍ର ଏବଂ ଉପାଧି ମଧ୍ୟ ମିଳିଛି । ଅନେକ ସରକାରୀ, ବେସରକାରୀ କାର୍ଯ୍ୟକ୍ରମରେ ପାଲା ପରିବେଷଣ କରି ସେ ବହୁ ପ୍ରଶଂସାର ଅଧିକାରୀ ହୋଇଛନ୍ତି । ସେ ଜଣେ ସଫଳ ପାଲା ଗାୟକ ହେବା ସହ ଜଣେ ସଫଳ ସଂଗଠକ ମଧ୍ୟ । ପାଲାକୁ ବଞ୍ଚାଇ ରଖିବା ପାଇଁ ବର୍ତ୍ତମାନ ସୁଦ୍ଧା ସେ ୧୦ରୁ ଅଧିକ ଛାତ୍ରଛାତ୍ରୀ ସୃଷ୍ଟି କରିସାରିଲେଣି ।

Leave A Reply

Your email address will not be published.