Latest Odisha News

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ: ସୁବର୍ଣ୍ଣପୁରର ସମସ୍ତ ମତଦାନ କେନ୍ଦ୍ର ଅଭିମୁଖେ ପୋଲିଙ୍ଗ୍ ପାର୍ଟି

ସୁବର୍ଣ୍ଣପୁର: ଆସନ୍ତାକାଲି ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ। ଏହି କ୍ରମରେ ସୁବର୍ଣ୍ଣପୁର ଜିଲ୍ଲା ଦୁଇ ବିଧାନସଭା ନିର୍ବାଚନ ମଣ୍ଡଳୀରେ ହେବ ମତଦାନ। ଜିଲ୍ଲାର ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀ (୬୫)ରେ ମୋଟ ୨ ଲକ୍ଷ ୫୪ ହଜାର ୬୯୬ ଭୋଟର ନିଜର ମତ ସାବ୍ୟସ୍ତ କରିବେ ଏଥିପାଇଁ ୩୧୯ଟି ମତଦାନ କେନ୍ଦ୍ର କରାଯାଇଥିବା ବେଳେ ସେଥିମଧ୍ୟରେ ୮ଟି ସଖୀ ବୁଥ ରହିଛି ।

ସେହିପରି ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀ (୬୪)ରେ ମୋଟ ୨ଲକ୍ଷ ୧୫ ହଜାର ୩୫୩ ଭୋଟର ଭୋଟ ଦେବେ। ଏଥିପାଇଁ ୨୬୭ଟି ବୁଥ ହୋଇଥିବା ବେଳେ ୫ଟି ସଖୀ ବୁଥ କରାଯାଇଥିବା ସୂଚନା ମିଳିଛି। ଆଜି ସମସ୍ତ ମତଦାନ କେନ୍ଦ୍ରରେ ପହଞ୍ଚିବେ ପୋଲିଙ୍ଗ୍ ପାର୍ଟି। ଏଥିପାଇଁ କଡ଼ା ସୁରକ୍ଷା ମଧ୍ୟରେ ଇଭିଏମ୍ ସହିତ ପୋଲିଙ୍ଗ ପାର୍ଟିମାନକୁ ପଠାଯାଉଛି। ସୁବର୍ଣ୍ଣପୁର ଜିଲ୍ଲାରେ ସମୁଦାୟ ୫୮୬ ବୁଥ ରହିଛି। ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ବୁଥ ପାଇଁ ବ୍ୟାପକ ପୋଲିସ୍ ବ୍ୟବସ୍ଥା କରାଯାଇଛି।

ଏହା ସହିତ ପ୍ରବଳ ଖରା ହେଉଥିବାରୁ ପ୍ରତ୍ୟେକ ବୁଥରେ ପାନୀୟ ଜଳର ବ୍ୟବସ୍ଥା କରିବା ସହିତ ମେଡିକାଲ୍ ଟିମ୍ ମଧ୍ୟ ସଜାଗ ରହିଛନ୍ତି। ଦୁଇ ନିର୍ବାଚନ ମଣ୍ଡଳୀରେ ମୋଟ ୯୦ଟି ସମ୍ବେଦନଶୀଳ ଓ ୩୦ଟି ଅତି ସମ୍ବେଦନଶୀଳ ବୁଥ୍ ଚିହ୍ନଟ କରାଯାଇଛି। ଏଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି। ଅନ୍ୟପଟେ ବୁଥକୁ ଯାଉଥିବା ପ୍ରିଜାଇଡିଂ ଅଫିସରମାନେ ସମସ୍ତ ବ୍ୟବସ୍ଥାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ।

 

Comments are closed.