Latest Odisha News

ଆସନ୍ତାକାଲି ଉତ୍ତରପ୍ରଦେଶରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ

ଉତ୍ତରପ୍ରଦେଶ : ଆସନ୍ତାକାଲି ଉତ୍ତରପ୍ରଦେଶରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ । ଏହା ସହ ଉତ୍ତରାଖଣ୍ଡ ଓ ଗୋଆରେ ହେବ ଗୋଟିଏ ପର୍ଯ୍ୟାୟ ନିର୍ବାଚନ । ଉତ୍ତରପ୍ରଦେଶର ୯ଟି ଜିଲ୍ଲାର ୫୫ ବିଧାନସଭା ଆସନରେ ହେବ ଭୋଟ । ମୋଟ ପ୍ରାର୍ଥୀ ସଂଖ୍ୟା ଅଛନ୍ତି ୫୮୬ । ଅମ୍ରୋହା, ବରେଲି, ବିଜନୋର, ବୁଦାଉନ, ମୋରାଦାବାଦ, ରାମପୁର, ସାହାରଣପୁର, ସମ୍ବଲ, ଶାହାଜାହାନପୁର ଜିଲ୍ଲାରେ ହେବ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ । ମୋଟ ୨ କୋଟି ୧ ଲକ୍ଷ ୪୨ ହଜାର ୪୪୧ ଭୋଟର କରିବେ ମତଦାନ ।

ମଇଦାନରେ ଅର୍ଥମନ୍ତ୍ରୀ ସୁରେଶ ଖାନ୍ନା, ଜଳଶକ୍ତି ମନ୍ତ୍ରୀ ବଳଦେବ ସିଂହ ଅଉଲାଖ, ସହରାଞ୍ଚଳ ବିକାଶ ମନ୍ତ୍ରୀ ମହେଶ ଗୁପ୍ତା, ଶିକ୍ଷାମନ୍ତ୍ରୀ ଗୁଲାବ ଦେବୀ, ଜେଲରେ ଥିବା ସମାଜବାଦୀ ପାର୍ଟି ନେତା ମହମ୍ମଦ ଆଜମ ଖାଁଙ୍କ ସହ ବହୁ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ ହେବ । ସେହିପରି ଉତ୍ତରାଖଣ୍ଡର ୭୦ ଆସନ ଲାଗି ଗୋଟିଏ ପର୍ଯ୍ୟାୟରେ ଆସନ୍ତାକାଲି ହେବ ନିର୍ବାଚନ । ମଇଦାନରେ ୬୩୨ ଜଣ ପ୍ରାର୍ଥୀ ରହିଥିବା ବେଳେ ମୋଟ ୮୨ ଲକ୍ଷ ୩୮ ହଜାର ୧୮୭ ଭୋଟର ନିର୍ବାଚନରେ ଭାଗ ନେବେ । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି, ଶିକ୍ଷାମନ୍ତ୍ରୀ ଧନ ସିଂ ରାଓ୍ବତ, ପର୍ଯ୍ୟଟନ ମନ୍ତ୍ରୀ ସତପାଲ ମହାରାଜ, କୃଷିମନ୍ତ୍ରୀ ସୁବୋଧ ଉନ୍ୟାଲଙ୍କ ସମେତ ବହୁ ମନ୍ତ୍ରୀଙ୍କ ଭାଗ୍ୟ ନିର୍ଣ୍ଣୟ ହେବ ।

ଏହା ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାଓ୍ବତ, ପୂର୍ବତନ ବାଚସ୍ପତି ୟଶପାଲ ଆର୍ଯ୍ୟଙ୍କ ମଧ୍ୟ ଭାଗ୍ୟ ନିର୍ଣ୍ଣୟ ହେବ । ସେହିପରି ଗୋଆର ୪୦ ବିଧାନସଭା ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ହେବ ମତଦାନ । ୪୦ ବିଧାନସଭା ଆସନରେ ୧୨ ଦଳର ୩୦୧ ପ୍ରାର୍ଥୀ ପ୍ରଚାର ମଇଦାନରେ ଅଛନ୍ତି । ପ୍ରଥମଥର ଲାଗି ବିଜେପି ସମସ୍ତ ୪୦ ସିଟ୍‌ରେ ପ୍ରାର୍ଥୀ ଦେଇଛି । ୨୦୧୭ ନିର୍ବାଚନରେ ସବୁଠୁ ଅଧିକ ସିଟ୍ ଜିତିଥିଲା କଂଗ୍ରେସ । ମାତ୍ର ଏମଜିପି, ଜିଏଫ୍‌ପି ଓ ଅନ୍ୟ ଦୁଇ ନିର୍ଦ୍ଦଳୀୟ ବିଧାୟକଙ୍କୁ ନେଇ ଗୋଆରେ ସରକାର ଗଢ଼ିଥିଲା ବିଜେପି ।

Comments are closed.