Latest Odisha News

BREAKING NEWS

ଜଙ୍ଗଲରେ ମାଂସ କାଟୁଥିବା ବେଳେ ୩ଜଣଙ୍କୁ ବାନ୍ଧିଲା ବନବିଭାଗ

ନୀଳଗିରି:କୁଲଡିହା ବନ୍ୟପ୍ରାଣୀ ଅଭୟାରଣ୍ୟ ଅନ୍ତର୍ଗତ ତେଣ୍ଡା ଅଞ୍ଚଳରେ ବନ୍ୟପ୍ରାଣୀ ମାଂସ କାଟୁଥିବାବେଳେ ମାଡିବସିଲା ବନବିଭାଗ । ଏହି ଘଟଣାରେ ୩ଜଣଙ୍କୁ ଗିରଫ କରାଯିବା ସହ ଘଟଣାସ୍ଥଳରୁ ମାଂସ, ଫାଶ, ପନିକି, କୁରାଢି, ନିକିତି ଆଦି ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଆମ୍ବାଝର ଗ୍ରାମର କାର୍ତ୍ତିକ ସିଂ(୩୦), ରବି ସିଂ (୨୯) ଏବଂ ତେଣ୍ଡା ଗ୍ରାମର ଶିବା ସିଂ (୨୮)।

ସୂଚନାଥାଉକି,ୱାଇଲ୍ଡଲାଇଫ୍‌ ବିଟ୍‌ର ଫରେଷ୍ଟଗାର୍ଡଙ୍କ ସମେତ ବନ ବିଭାଗର କର୍ମଚାରୀମାନେ ବନାଞ୍ଚଳରେ ନିୟମିତ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ତେଣ୍ଡା ନିକଟସ୍ଥ ଏକ ଧାନ କ୍ଷେତରେ ତାରଫାଶ ବିଛାଯାଇଥିବା ଦେଖିବାକୁ ପାଇଥିଲେ। ଏହାପରେ ସେହି ଅଞ୍ଚଳରେ ଖୋଜାଖୋଜି କରିବା ସମୟରେ ମାଂସ କାଟିବାର ଶବ୍ଦ ଶୁଣି ଘଟଣାସ୍ଥଳକୁ ପହଞ୍ଚିଥିଲେ। ସେଠାରେ ୩ଜଣ ବ୍ୟକ୍ତି କୌଣସି ଏକ ପ୍ରାଣୀର ମାଂସ କାଟୁଥିବା ଦେଖିବାକୁ ପାଇଥିଲେ। ବନ ବିଭାଗର କର୍ମଚାରୀଙ୍କୁ ଦେଖି ସେମାନେ ଖସି ପଳାଇବାକୁ ଉଦ୍ୟମ କରିଥିଲେ । କିନ୍ତୁ ପାଟ୍ରୋଲିଂ ଟିମ୍‌ ସେମାନଙ୍କୁ କାବୁ କରିବାରେ ସଫଳ ହୋଇଥିଲା।

ଜବତ ମାଂସର ପ୍ରଜାତି ଓ ଅନ୍ୟାନ୍ୟ ଫରେନସିକ୍‌ ତଥ୍ୟ ଜାଣିବା ପାଇଁ ନୀଳଗିରି ବ୍ଲକ୍‌ ପ୍ରାଣୀଚିକିତ୍ସା ଅଧିକାରୀଙ୍କୁ ଡକାଯାଇଥିଲା। ନମୁନାଗୁଡ଼ିକୁ ଅଧିକ ପରୀକ୍ଷା ପାଇଁ ଭୁବନେଶ୍ୱରସ୍ଥିତ ଓୟୁଏଟିର ସେଣ୍ଟର ଅଫ୍‌ ୱାଇଲ୍ଡଲାଇଫ୍‌ ପଠାଇ ଦିଆଯାଇଛି।

Comments are closed.