Latest Odisha News

[ଭିଡ଼ିଓ] ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା, ତିନି କୃଷି ଆଇନ ପ୍ରତ୍ୟାହାର

ନୂଆଦିଲ୍ଲୀ: ଚାଷୀଙ୍କ ଜିଦ ଆଗରେ ନରମିଲେ କେନ୍ଦ୍ର ସରକାର । ବର୍ଷେ ଧରି ଆନ୍ଦୋଳନ ପରେ କୃଷକଙ୍କ ଦାବି ମାନିଛନ୍ତି । ଉଚ୍ଛେଦ ହେଲା ନୂଆ କୃଷି ଆଇନ । ୩ଟି କୃଷି ଆଇନକୁ ସରକାର ପ୍ରତ୍ୟାହାର କରିଛନ୍ତି । ଆଜି ବଡ଼ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, କୃଷକ କଲ୍ୟାଣ ଉପରେ ସରକାର ପ୍ରାଥମିକତା ଦେଉଛନ୍ତି ।

ଆନ୍ଦୋଳନକାରୀ କୃଷକ ଏବେ ନିଜ ନିଜ ଘରକୁ ଫେରି ଯାଆନ୍ତୁ । ଯାହା କରାଯାଇଛି ଚାଷୀଙ୍କ ହିତ ପାଇଁ କରାଯାଇଛି । ସଂସଦର ଆଗାମୀ ଅଧିବେଶନରେ ଆଇନ୍ ପ୍ରତ୍ୟାହାର ନେଇ ସାମ୍ବିଧାନିକ ପ୍ରକ୍ରିୟା ସରିବ ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶରେ ଶହେରୁ ୮୦ ଜଣ ହେଉଛନ୍ତି କ୍ଷୁଦ୍ର ଚାଷୀ । ଦେଶରେ କ୍ଷୁଦ୍ର ଚାଷୀଙ୍କ ସଂଖ୍ୟା ୧୦ କୋଟିରୁ ଅଧିକ । ସେମାନଙ୍କର ସମସ୍ୟା ସମାଧାନ କରିବା ତାଙ୍କ ସରକାରର ଲକ୍ଷ୍ୟ । କୃଷି କ୍ଷେତ୍ରରେ ସୁଧାର ପାଇଁ ତିନିଟି ଆଇନ ଆଣିଥିଲେ । ଏହାଦ୍ୱାରା କ୍ଷୁଦ୍ର ଚାଷୀ ଉପକୃତ ହୋଇଥାଆନ୍ତେ ।

ତାଙ୍କ ସରକାର ସବୁବେଳେ କୃଷକ କଲ୍ୟାଣ ଉପରେ ଧ୍ୟାନ ଦେଉଛନ୍ତି । କିଛି ଚାଷୀଙ୍କୁ ଆଇନରେ ସେମାନଙ୍କ ହିତରେ ଥିବା ମହତ୍ତ୍ୱକୁ ସରକାର ବୁଝାଇ ପାରି ନଥିଲେ । ବିରୋଧ ହେଲା । ଆଲୋଚନା ବି ହେଲା । ମାମଲା ସୁପ୍ରିମକୋର୍ଟରେ ବି ପହଞ୍ଚିଲା । ଶେଷରେ ସରକାର ଆଇନ ପ୍ରତ୍ୟାହାର ନିଷ୍ପତ୍ତି ନେଇଛନ୍ତି ।

ଗତବର୍ଷ ସେପ୍ଟେମ୍ବର ମାସରେ ସଂସଦରେ ୩ଟି ନୂଆ କୃଷି ଆଇନ୍ ପାସ ହୋଇଥିଲା । ଯାହାକୁ ନେଇ ଉଠିଥିଲା ବିରୋଧର ସ୍ୱର । ସଂସଦରୁ ରାଜରାସ୍ତା । ପଲ୍ଲୀରୁ ଦିଲ୍ଲା ଯାଏ ଏହାର ପ୍ରତିଫଳନ ଦେଖିବାକୁ ମିଳିଥିଲା । ଆନ୍ଦୋଳନକୁ ଓହ୍ଲାଇଥିଲେ ଚାଷୀ ।

ବିଲକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର ଜିଦରେ ଅଡି ବସିଥିଲେ । ଦିଲ୍ଲୀ ସୀମାରେ ପାଖାପାଖି ବର୍ଷେ ଧରି ବିରୋଧ ପ୍ରଦର୍ଶନ ଜାରି ରହିଥିଲା । ଶେଷରେ ଦାବି ହଁରେ ହଁ ଭରିଛନ୍ତି ସରକାର ।

Comments are closed.