ଭୁବନେଶ୍ବର:ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଛି । ଏହି ସମୟରେ ବଜ୍ରପାତରେ ଏକାଧିକ ମୃତ୍ୟୁ ଖବର ଆସିଛି ।ସୂଚନାନୁସାରେ କେନ୍ଦୁଝରଜିଲ୍ଲା ଘଟଗାଁ ବ୍ଲକ ଅଧୀନ ରୁଟିଶିଳା ଗାଁରେ ବଜ୍ରପାତରେ ଦଂପତିଙ୍କ ମୃତ୍ୟୁ ଘଟିଛି। ସେହିପରି ଯାଜପୁରରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ମୟୂରଭଞ୍ଜରେ ଜଣେ ଦିବ୍ୟାଙ୍ଗ ପ୍ରାଣ ହାରିଛନ୍ତି।
ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ବିଦୁକୁଡ଼ିଆ ଗ୍ରାମରେ ବଜ୍ରାଘାତରେ ଜଣେ ଦିବ୍ୟାଙ୍ଗ ଯୁବତୀ ଝୁନୁ ପାତ୍ରଙ୍କ ମୃତ୍ୟୁ ଘଟିଛି। ଘରେ ସେ ନିଜ ମାଆ ଓ ଭାଇଙ୍କ ସହିତ ଘରେ ରହୁଥିଲେ । ଆଜି ଅପରାହ୍ଣ ପ୍ରାୟ ୪ଟା ୩୦ମିନିଟ ସମୟରେ ହଠାତ ସ୍ଥାନୀୟ ଅଞ୍ଚଳରେ ଘଡଘଡି ବର୍ଷା ପବନ ଆରମ୍ଭ ହୋଇଥିଲେ । ଝୁନୁ ଘର ବାହାରେ ଚରୁଥିବା ଗାଈକୁ ଆଣିବାକୁ ଦୌଡ଼ି ଯାଇଥିଲେ । କିନ୍ତୁ ସେ ସମୟରେ ବଜ୍ରପାତରେ ତାଙ୍କର ଜୀବନ ଚାଲିଯାଇଛି ।
ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ସଠିପୁରରେ ବଜ୍ରାଘାତରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସୁନିଆ ମଳିକ। ସୁନିଆ ମାଟି କାମ କରିବାକୁ ବିଲକୁ ଯାଇଥିଲେ। ଅପରାହ୍ନରେ କାମ କରୁଥିବା ସମୟରେ ହଠାତ ଘଡ଼ଘଡ଼ି ସହ ବିଜୁଳି ମାରିବାରୁ ସେଠାରେ ସେ ଟଳି ପଡ଼ିଥିଲେ। ସାଥି ଶ୍ରମିକ ଓ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ତାଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟ ଅଣାଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ ।
ସେହିପରି ବଜ୍ରପାତ ନେଇଛି ସ୍ବାମୀ- ସ୍ତ୍ରୀଙ୍କ ଜୀବନ। କେନ୍ଦୁଝର ଘଟଗାଁ ବ୍ଲକ ରୁଟିଶିଳା ଗ୍ରାମରେ ଏହି ଅଘଟଣ ଘଟିଛି । ଦମ୍ପତି ବର୍ଷା ସମୟରେ କୁଟା ଭାଡ଼ି ତଳେ ଆଶ୍ରୟ ନେଇଥିବା ସମୟରେ ଏହି ଅଘଟଣ ଘଟିଥିଲା। ତେବେ ସ୍ଥାନୀୟ ଲୋକେ ଉଭୟଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ମାତ୍ର ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି। ମୃତକ ହେଉଛନ୍ତି ବାଣେଶ୍ୱର ନାଏକ ଓ ତାଙ୍କ ପତ୍ନୀ ସଞ୍ଜୁଲତା ନାଏକ ।

Comments are closed.