Latest Odisha News

BREAKING NEWS

ଓଡିଶାର ୩ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ : ଓଡିଶାର ଦୈତାରୀ ନାୟକ, ଡି. ପ୍ରକାଶ ରାଓ ଓ କମଳା ପୂଜାରୀଙ୍କୁ ସମାଜସେବା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ଲାଗି ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି।

ଶ୍ରୀଯୁକ୍ତ ରାଓ ବସ୍ତି ପିଲାଙ୍କୁ ଶସ୍ତାରେ ଶିକ୍ଷା ପ୍ରଦାନ କରି ପଦ୍ମଶ୍ରୀ ସମ୍ମାନର ହକଦାର ହୋଇଥିବା ବେଳେ ଶ୍ରୀଯୁକ୍ତ ନାୟକ ଓ କମଳା ପୂଜାରୀ ଯଥାକ୍ରମେ ସମାଜ ସେବା ଓ କୃଷି କ୍ଷେତ୍ରରେ ନିଜର ଅତୁଳନୀୟ ଅବଦାନ ଲାଗି ସମ୍ମାନିତ ହୋଇଛନ୍ତି ।

କଟକ ସହରର ଜଣେ ବିଶିଷ୍ଟ ସମାଜସେବୀ ଡି. ପ୍ରକାଶ ରାଓ ଚା’ ବିକ୍ରି କରି କଟକର ପ୍ରାଥମିକ ବିଦ୍ୟାଳୟ ଏବଂ ଆଶ ଓ ଆଶ୍ୱାସନା ନାମରେ ଏକ ସ୍ମୁଲ ସ୍ଥାପନା କରି ବସ୍ତି ପିଲାଙ୍କୁ ମାଗଣାରେ ପାଠ ପଢିବାର ସୁଯୋଗ ଦେଇଥିଲେ ।

କେନ୍ଦୁଝରର ଦୈତାରୀ ନାୟକ ପାହାଡ଼ କାଟି ଚାଷ ପାଇଁ ଦୀର୍ଘ ୩ କିମି. ପର୍ଯ୍ୟନ୍ତ ନାଳ ଖୋଳି ନିଜ ଗାଁ ଚାଷ ଜମିକୁ ପାଣି ଯୋଗାଇ ସଫଳତା ପାଇଥିଲେ।

କୋରାପୁଟ ଜିଲ୍ଲାର ପାତ୍ରପୁଟ ଗ୍ରାମର ମୂଳ ବାସିନ୍ଦା କମଳା ପୂଜାରୀଙ୍କୁ କୃଷିକ୍ଷେତ୍ରରେ ପ୍ରମୁଖ ଅବଦାନ ପାଇଁ ଏହି ପଦ୍ମଶ୍ରୀ ସମ୍ମାନ ନିମନ୍ତେ ମନୋନୀତ କରାଯାଇଥିଲା । ସେ ବିଭିନ୍ନ ଗବେଷଣା କରିବା ସହ ଦେଶୀ ଧାନକୁ ସଂରକ୍ଷିତ କରି ରଖିବାରେ ତାଙ୍କର ଅବଦାନ ଅନନ୍ୟ ଥିଲା । ସେ ଏବେ ଓଡିଶା ଯୋଜନା ବୋର୍ଡର ସଦସ୍ୟ ରୂପେ ଅବସ୍ଥାପିତ ଅଛନ୍ତି ।

ଚଳିତବର୍ଷ ୧୧୨ ଜଣ ବ୍ୟକ୍ତିବିଶେଷଙ୍କୁ ପଦ୍ମଶ୍ରୀ ପୁରସ୍କାର ଲାଗି ଚୟନ କରାଯାଇଥିଲା । ସେହିପରି ମାର୍ଚ୍ଚ ୧୧ ତାରିଖରେ ରାଷ୍ଟ୍ରପତି ପଦ୍ମ ବିଭୂଷଣ, ୮ଜଣଙ୍କୁ ପଦ୍ମ ଭୂଷଣ ଓ ୪୬ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଥିଲେ ।

Leave A Reply

Your email address will not be published.