Latest Odisha News

BREAKING NEWS

ବିଜେଡ଼ିରେ ମିଶିଲେ ଓଡ଼ିଶା ବିଜେପି ମୁଖ୍ୟଙ୍କ ପୁତୁରା

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ଓଡ଼ିଶା ରାଜନୈତିକ ପ୍ରେକ୍ଷାପଟ୍ଟର ଦୃଶ୍ୟ ସେହିପରି କୌତୁହଳପ୍ରଦ ଭାବେ ପ୍ରତି ମୂହୁର୍ତ୍ତରେ ବଦଳିବାରେ ଲାଗିଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନ ନବୀନ ନିବାସରେ ଏବେ ଆଶାୟୀ ପ୍ରାର୍ଥୀଙ୍କ ଭିଡ଼ ଦିନକୁ ଦିନ ବଢିବାରେ ଲାଗିଛି, ତେବେ ଏହି ବିଜେଡ଼ି ନେତାଙ୍କ ଭିଡ଼ ମଧ୍ୟରେ ରାଜ୍ୟ ବିଜେପି ମୁଖିଆ ବସନ୍ତ ପଣ୍ଡାଙ୍କ ନିଜ ପୁତୁରା ହରିଶ୍ଚନ୍ଦ୍ର ପଣ୍ଡାଙ୍କୁ ଶନିବାର ଦିନ ଦେଖିବାକୁ ମିଳିଛି ।

ସେ ବିଜେଡ଼ି ସୁପ୍ରିମୋଙ୍କୁ ଭେଟି ବିଜେଡ଼ିରେ ଯୋଗଦାନ କରିଛନ୍ତି ।

ତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହିତ ନବୀନ କହିଛନ୍ତି, “ହରିଶ୍ଚନ୍ଦ୍ରଙ୍କ ଯୋଗଦାନରେ ବିଜେଡ଼ି ଆହୁରି ମଜବୁତ ହେଲା,” ବୋଲି ସେ କହିଛନ୍ତି ।

ଏହି ଆଞ୍ଚଳିକ ଦଳରେ ଯୋଗଦାନ କରିବା ପରେ ହରିଶ୍ଚନ୍ଦ୍ର ଗଣମାଧ୍ୟମ ପ୍ରତିନିଧିଙ୍କୁ ତାଙ୍କ ଦାଦାଙ୍କ ବିରୋଧରେ ଅଭିଯୋଗ କରି କହିଛନ୍ତି, ଦାଦା ଦଳ ପାଇଁ କାମ କରୁଛନ୍ତି ଆମ ଅଞ୍ଚଳ ଲାଗି ସେ କାମ କରୁନାହାନ୍ତି । ନୂଆପଡ଼ାରେ ବିଜେପି ତା’ର ଭିତ୍ତି ହରାଇବା ସହିତ ଦଳ ମଧ୍ୟ ଗଣତନ୍ତ୍ରକୁ ହରାଇ ବସିଛି ।

“ବିଜେଡ଼ି ଶାସନରେ ଓଡ଼ିଶା ଅନେକ ଅଗ୍ରଗତି କରିପାରିଛି, ମୁଁ ନେତୃତ୍ୱରେ ପ୍ରେରିତ ହୋଇ ବିଜେଡ଼ିରେ ଯୋଗଦାନ କରିଛି, ଯାହାଦ୍ୱାରାକି ଜନସାଧାରଣଙ୍କ ସେବା କରିପାରିବି,” ବୋଲି କହିଛନ୍ତି ହରିଶ୍ଚନ୍ଦ୍ର ପଣ୍ଡା ।

ବରିଷ୍ଠ ବିଜେପି ନେତା ପ୍ରତାପ ଷଡ଼ଙ୍ଗୀ କହିଛନ୍ତି, ହରିଶ୍ଚନ୍ଦ୍ର ବିଜେଡ଼ିରେ ମିଶିବା ପରେ ଭାରତୀୟ ଜନତା ପାର୍ଟିର କୌଣସି କ୍ଷତି ହେବାର ସମ୍ଭାବନା ଆଦୌ ନାହିଁ ।

ଅନ୍ୟପକ୍ଷରେ, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ବିଜେଡ଼ିରୁ ଇସ୍ତଫା ଦେବା ପରେ ଶନିବାର ଦିନ ନୂଆଦିଲ୍ଲୀଠାରେ ଆନୁଷ୍ଠାନିକ ଭାବେ ବିଜେପିରେ ମିଶିବା ନିଶ୍ଚିତ କରିଛନ୍ତି । ଶ୍ରୀ ମାଝୀ ଏବେ ଦିଲ୍ଲୀ ଗସ୍ତରେ ଅଛନ୍ତି ।

Leave A Reply

Your email address will not be published.