ନୀଳଗିରି: ପୁଣି ଶିକାରୀଙ୍କୁ ଧରାଇ ଦେଲା ଏଆଇ କ୍ୟାମେରା । ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଥିବା କୁଳଡିହା ଅଭୟାରଣ୍ୟବେତେଇ ଜଙ୍ଗଲରେ ବନବିଭାଗ ପକ୍ଷରୁ ଗଛ ଉପରେ ଏଆଇ କ୍ୟାମେରା ଲଗାଯାଇଥିଲା । ଶିକାର କରିବାକୁ ୩ ଜଣ ଶିକାରୀ ଯାଇଥିବାବେଳେ, ସେମାନଙ୍କୁ କ୍ୟାମେରା ସାହାଯ୍ୟରେ ଗିରଫ କରାଯାଇଥିବା ବେଳେ ୫ଟି ଦେଶୀ ବନ୍ଧୁକ ଜବତ କରିବାରେ ସଫଳ ହୋଇଛନ୍ତି ବନ ବିଭାଗ ଟିମ୍ ।
ଶିକାରୀ ମାନେ ହେଲେ ବେତେଇ ନରସିଂହସିଲା ଗ୍ରାମର ଗୁରା ମୁଣ୍ଡା, ଗେଦେ ଦେଓଗାମ, ବିକ୍ରମ ମୁଣ୍ଡା । ଆଜି ୩ ଗିରଫ ଶିକାରୀଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ତଦନ୍ତକାରୀ ଅଧିକାରୀ ଏସିଏଫ ଶୋଭନଦିଗନ୍ତ ଚାନ୍ଦ କହିଛନ୍ତି ।
ଖବର ମୁତାବକ, ଗତ ୨ ତାରିଖ ଦିନ ଶିକାରୀ ମାନେ କୁଳଡିହା ଅଭୟାରଣ୍ୟ ଭିତରକୁ ଅବାଧରେ ଶିକାର କରିବାକୁ ଯାଇଥିଲେ। ସେମାନଙ୍କ ଚିତ୍ର ଏଆଇ କ୍ୟାମେରାରେ କଏଦ ହୋଇଥିଲା । ପରେ ଚିହ୍ନଟ କରିବା ପରେ ବନବିଭାଗ ଶିକାରୀଙ୍କୁ ଧରିବା ପାଇଁ ପ୍ରସ୍ତୁତ ହୋଇ ରହିଥିଲା ।