Latest Odisha News

BREAKING NEWS

କେନ୍ଦ୍ରୀୟ ଡେପୁଟେସନ ପାଇଁ ଦାୟିତ୍ଵ ମୁକ୍ତ ହେବେ ୩ ଆଇଏଏସ୍ ଅଧିକାରୀ

ଭୁବନେଶ୍ୱର: କେନ୍ଦ୍ରୀୟ ଡେପୁଟେସନ ପାଇଁ ତିନି ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀ ଦାୟିତ୍ଵ ମୁକ୍ତ ହେବେ। ଏନେଇ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ଦ୍ୱାରା ଏକ ବିଜ୍ଞପ୍ତି ଜାରି କରାଯାଇଛି।

ଦାୟିତ୍ଵ ମୁକ୍ତ ହେବାକୁ ତିନି ଜଣ ଅଧିକାରୀ ହେଲେ ଶାଲିନୀ ପଣ୍ଡିତ, ସମର୍ଥ ବର୍ମା ଏବଂ ସ୍ୱଧା ଦେବ ସିଂହ। ତେବେ ସେମାନେ ୧୩ ଅକ୍ଟୋବର ୨୦୨୫ରୁ ରାଜ୍ୟ ସରକାରଙ୍କ ଠାରୁ ଦାୟିତ୍ଵ ମୁକ୍ତ ହୋଇଛନ୍ତି।

ଶାଲିନୀ ପଣ୍ଡିତ ୨୦୦୧ ବ୍ୟାଚର ଆଇଏଏସ ଅଧିକାରୀ ଥିଲେ। ସେ ମିଶନ ଶକ୍ତିର ଅତିରିକ୍ତ ଦାୟିତ୍ୱ ସହିତ ସ୍କୁଲ ଏବଂ ଗଣଶିକ୍ଷା ବିଭାଗର କମିଶନର-କମ-ସଚିବ ଭାବେ କାର୍ଯ୍ୟରତ ଥିଲେ। ବର୍ତ୍ତମାନ ସେ ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଭାବରେ ଦାୟିତ୍ଵ ନେବେ।

ସେହିପରି ୨୦୧୧ ଵ୍ୟାଚର ଆଇଏଏସ ଅଧିକାରୀ ସମର୍ଥ ବର୍ମା ଓଡ଼ିଶା ଚଳଚ୍ଚିତ୍ର ବିକାଶ ନିଗମର ଏମଡି ଭାବେ ଅତିରିକ୍ତ ଦାୟିତ୍ୱ ସହିତ ଲଘୁ ଖଣିଜ ଦ୍ରବ୍ୟ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଥିଲେ। ସେ ବର୍ତ୍ତମାନ୍ କେନ୍ଦ୍ରୀୟ କର୍ମଚାରୀ ଯୋଜନା ଅଧୀନରେ ଦିଲ୍ଲୀର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟର ଦାୟିତ୍ଵ ଭାର ଗ୍ରହଣ କରିବେ। ତେବେ ଉଭୟ ଅଧିକାରୀଙ୍କ କାର୍ଯ୍ୟକାଳ ପାଞ୍ଚ ବର୍ଷ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଜାରି ରହିବା ନେଇ ରିପୋର୍ଟରୁ ଜଣାପଡ଼ିଛି।

ସେହିପରି ୨୦୧୪ ବ୍ୟାଚର ଆଇଏଏସ ଅଧିକାରୀ ସ୍ୱଧା ଦେବ ସିଂହ ବର୍ତମାନ ପର୍ଯ୍ୟନ୍ତ ଓଡ଼ିଶା ଲିଫ୍ଟ ଇରିଗେସନ୍ କର୍ପୋରେସନ୍ ଲିମିଟେଡର ଏମଡି ଭାବରେ କାର୍ଯ୍ୟରତ ଥିଲେ।ବର୍ତ୍ତମାନ ସେ ନୂଆଦିଲ୍ଲୀର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ରେଜିଷ୍ଟ୍ରାର ଜେନେରାଲରେ ଜନଗଣନା କାର୍ଯ୍ୟ ନିର୍ଦ୍ଦେଶକ/ନାଗରିକ ପଞ୍ଜିକରଣ ନିର୍ଦ୍ଦେଶକ (ଉପସଚିବ ସ୍ତରୀୟ) ଭାବରେ ଦାୟିତ୍ଵ ଗ୍ରହଣ କରିବେ। ତାଙ୍କର କାର୍ଯ୍ୟକାଳ ୩୧ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ରହିବା ନେଇ ସୂଚନା ମିଳିଛି। ଯଦିଓ ତାଙ୍କ କାର୍ଯ୍ୟକାଳ ବର୍ଦ୍ଧିତ ହୋଇପାରେ ବୋଲି ମଧ୍ୟ କୁହାଯାଉଛି।

 

Comments are closed.