Latest Odisha News

BREAKING NEWS

ମାଞ୍ଜା ସୂତା ଲାଗି ଯୁବକଙ୍କ ମୃତ୍ୟୁ ଘଟଣାରେ ତନାଘନା, ୩ ଜଣଙ୍କୁ ଅଟକ ରଖିଲା ପୋଲିସ

କଟକ : ମାଞ୍ଜା ସୂତା ଲାଗି ନବ ବିବାହିତ ଯୁବକଙ୍କ ମୃତ୍ୟୁ ଘଟଣାରେ ତନାଘନା । ପୀର ବଜାରର ଗୁଡି ସୂତା ଦୋକାନୀଙ୍କ ସହ ୩ ଜଣଙ୍କୁ ଅଟକ ରଖିଛି ପୋଲିସ । ଘଟଣାରେ ମାମଲା ରୁଜୁ ହୋଇଥିବା ବେଳେ, ସ୍ପେଶାଲ ଡ୍ରାଇଭ୍ କରିଛି ପୋଲିସ । ଯେଉଁମାନେ ଗୁଡ଼ି ସୁତାରେ ମାଞ୍ଜା ପ୍ରସ୍ତୁତ କରୁଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି କଟକ ଡିସିପି ।

ଅନ୍ୟପଟେ ମାଞ୍ଜା ସୂତାରେ ଜୟନ୍ତଙ୍କ ମୃତ୍ୟୁ ପରେ ଚେତିଛି କଟକ ମହାନଗର ନିଗମ । ସିଏମସି ପକ୍ଷରୁ ୪ଟି ଟିମ୍ ଗଠନ ହୋଇଛି । ପୋଲିସ ସହାୟତାରେ ବିଭିନ୍ନ ଦୋକାନ ଉପରେ ରଖାଯିବ ନଜର । ସହରର ପିଠାପୁର, ଚୌଧୁରୀ ବଜାର ଅଞ୍ଚଳରେ ଯାଞ୍ଚ କରାଯିବ । ଯଦି କେହି ମାଞ୍ଜା ସୂତା ବିକୁଥିବା ନଜର ଆସନ୍ତି, ତେବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଟିବ ବୋଲି ସୂଚନା ଦେଇଛନ୍ତି କଟକ ଡେପୁଟି କମିଶନର ଅବିନାଶ ରାଉତ ।

ଗତକାଲି ସନ୍ଧ୍ୟାରେ ମାଞ୍ଜା ସୂତା ଲାଗି ଜୟନ୍ତଙ୍କ ବେକରେ ଟ୍ରାକିଆ ଓ ବ୍ଲଡ ଭେସେଲ୍‌ ସମ୍ପୂର୍ଣ୍ଣ କଟିଯାଇଥିଲା । ଏହାଦ୍ବାରା ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଜୟନ୍ତଙ୍କ ମୃତ୍ୟରେ ଭାଙ୍ଗିପଡିଛି ତାଙ୍କର ପୂରା ପରିବାର । ଜୟନ୍ତ ଏକ ନିର୍ମାଣ ସଂସ୍ଥାରେ କାମ କରୁଥିଲେ । ସେ ଥିଲେ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି । ଆଜି କାମ ତଦାରଖ କରିବାକୁ ଯାଇଥାନ୍ତେ ଜୟନ୍ତ । ହେଲେ କାଲି ଅପରାହ୍ନରେ ପତ୍ନୀଙ୍କୁ ନେଇ ବାଇକରେ ଶ୍ବଶୂର ଘରକୁ ଯିବା ବେଳେ ମାଞ୍ଜା ସୂତା ଲାଗି ତାଙ୍କର ମୃତ୍ୟୁ ହୋଇଥିଲା । କ୍ଷତିପୂରଣ ସହ ମାଞ୍ଜା ସୂତାକୁ ସମ୍ପୂର୍ଣ୍ଣ ବ୍ୟାନ୍‌ କରିବାକୁ ଦାବି କରିଛନ୍ତି ପରିବାର ଲୋକ ।

Leave A Reply

Your email address will not be published.