ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ ଜନଗଣନାକାରୀଙ୍କ ଉପରେ ଆକ୍ରମଣ ପରେ ସେମାନଙ୍କ ସୁରକ୍ଷା ପାଇଁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏସ୍ଓପି ଜାରି ହୋଇଛି । ଜନଗଣନାରେ ବାଧା ସୃଷ୍ଟି କଲେ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଭୋଗିବେ ବୋଲି ଏଥିରେ ଉଲ୍ଲେଖ ରହିଛି । ଏହାକୁ ଠିକ୍ ଭାବେ ପାଳନ କରିବାକୁ ସମସ୍ତ ପ୍ରମୁଖ ଜନଗଣନା ଅଧିକାରୀ ତଥା ଜିଲ୍ଲାପାଳ, ମହାନଗର ନିଗମ କମିଶନର ଏବଂ ପୋଲିସ ଏସପିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଜାରି ଏସଓପି ଅନୁସାରେ, ଜନଗଣନା କର୍ମଚାରୀମାନଙ୍କ ସୁରକ୍ଷା ଓ ନିରାପତ୍ତାକୁ ଦୃଷ୍ଟିରେ ରଖି ଏନ୍ୟୁମେରେଟର ଓ ସୁପରଭାଇଜର (ଇଆଣ୍ଡଏସ୍) ମାନେ ସବୁବେଳେ ତାଙ୍କର ଆଧାରକାର୍ଡ ପିନ୍ଧିବେ । କାର୍ଯ୍ୟ ସମୟରେ ସେମାନେ ନିଯୁକ୍ତି ପତ୍ର ପାଖରେ ରଖିବେ । ଗ୍ରୀଷ୍ମପ୍ରବାହ ଅତ୍ୟଧିକ ହେତୁ ଅଂଶୁଘାତ ଏଡ଼ାଇବା ପାଇଁ ବିଭିନ୍ନ ପ୍ରକାର ସତର୍କତା ଅବଲମ୍ବନ କରିବେ । ଦିନ ୧୧ଟାରୁ ୩ଟା ମଧ୍ୟରେ ଜନଗଣନା କାର୍ଯ୍ୟରୁ ନିବୃତ ରହିବେ ଏବଂ ପାଖରେ ଓଆରଏସ୍ ନେବେ ।
କୌଣସି ସ୍ଥାନରେ ଅସ୍ବାଭାବିକ ସ୍ଥିତି ଦେଖାଦେଲେ ତୁରନ୍ତ ସ୍ଥାନ ଛାଡ଼ି ପଳାଇଆସିବେ । ଯିଏ ବ୍ୟାଘାତ ସୃଷ୍ଟି କରୁଥିବେ ତାଙ୍କ ନାମ ସ୍ଥାନୀୟ ଥାନାରେ ଜଣାଇବେ । ସମ୍ବେଦନଶୀଳ ଅଞ୍ଚଳକୁ ଜଣେ ପୁଲିସ କର୍ମଚାରୀ ଜନଗଣନାକାରୀଙ୍କ ସହ ଯିବେ । ଜନଗଣନାକାରୀ ଆବଶ୍ୟକସ୍ଥଳେ ସ୍ଥାନୀୟ ମୁରବୀଙ୍କ ସହଯୋଗ ନେଇପାରିବେ । ବ୍ୟାଘାତ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଜନଗଣନା ଆଇନ, ୧୯୪୮ ଅନୁସାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ । ଏଥିରେ ଜରିମାନା ସହ ୩ବର୍ଷ ଜେଲ୍ ଦଣ୍ଡ ବି ହୋଇପାରେ ।