ରାୟଗଡା: ବେଦାନ୍ତର ରାସ୍ତା ନିର୍ମାଣକୁ ନେଇ କାଶୀପୁର ଅଞ୍ଚଳ ଅଶାନ୍ତ ହୋଇପଡିଛି। କାଶୀପୁର ବ୍ଲକର ଶାଗବାରୀ ଗ୍ରାମ ଠାରେ ପୁଲିସ ଉପରେ ଆକ୍ରମଣ କରିଛନ୍ତି ଖଣିଖନନ ବିରୋଧୀ। ରାସ୍ତା କାମକୁ ବିରୋଧ କରି ଆନ୍ଦୋଳନକାରୀ ମାନେ ପୁଲିସ ବୁଝାସୁଝା କରୁଥିବା ବେଳେ ଉତ୍ଯକ୍ତ ହୋଇ ପଥର ମାଡ କରିଛନ୍ତି। ଆନ୍ଦୋଳନକାରୀଙ୍କ ଆକ୍ରମଣରେ ରାୟଗଡା ଏସଡିପିଓ ଗୈରୀଶଙ୍କର ସିହୁ, କାଶୀପୁର ଆଇଆଇସି ଦେବ ମଲ୍ଲିକ, ଅଣ୍ଡ୍ରାକଞ୍ଚ ଆଇଆଇସିଙ୍କ ସମେତ ୩୦ରୁ ଉର୍ଦ୍ଧ୍ୱ କନେଷ୍ଟବଳ ଆହାତ ହୋଇଛନ୍ତି।
ସେଥିମଧ୍ଯରୁ ୭ଜଣ ଗୁରୁତର ହୋଇପଡିବାରୁ ସେମାନଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ସ୍ଥାନିନ୍ତର କରାଯାଇଛି। ଅନ୍ଯ ଆହାତ ପୁଲିସ କର୍ମଚାରୀ ମାନେ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ରାୟଗଡା ଜିଲ୍ଲାପାଳ ଆଶୁତୋଷ କୁଲକାର୍ଣ୍ଣି, ଏସପି ସ୍ଵାତି, ଏସ କୁମାର ସମେତ ଜିଲ୍ଲାର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଅଛନ୍ତି। ଶାଗୁବାରୀ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ୧୬୩ ଧାରା ଜାରି କରାଯାଇଛି।
କାଶୀପୁର ବ୍ଲକର ସିଜିମାଳୀ ଖଣିଖନନ ପାଇଁ ସରକାର ଅନୁମତି ଦେଇଥିବା ବେଳେ ବେଦାନ୍ତ ଆଲୁମିନା କମ୍ପାନୀ ଶାଗୁବାରୀରୁ ସିଜିମାଳୀ ଅଞ୍ଚଳ ଯିବା ପାଇଁ ରାସ୍ତା ନିର୍ମାଣ କାମ ଆରମ୍ଭ କରୁଥିଲା। ତେବେ ନିର୍ମାଣ କାର୍ଯ୍ଯକୁ ଲୋକେ ଆରମ୍ଭରୁ ହିଁ ବିରୋଧ କରିଛନ୍ତି। ଏନେଇ କାହାର ପ୍ରତିକ୍ରିୟା ମିଳିପାରିନାହିଁ।