Latest Odisha News

BREAKING NEWS

ସଂଗମ ନଗରୀରେ ଅସମ୍ଭାଳ ଭିଡ଼, ରାଜପଥରେ ଟ୍ରାଫିକ୍ ଜାମ

ପ୍ରୟାଗରାଜ: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ଅସମ୍ଭାଳ ଭିଡ଼ ହୋଇଛି। ଜନ ସମାଗମ ଯୋଗୁ ପ୍ରୟାଗରାଜକୁ ସଂଲଗ୍ନ କରୁଥିବା ରାଜପଥଗୁଡ଼ିକରେ ଟ୍ରାଫିକ୍‌ ଜାମ୍‌ ହୋଇଯାଇଛି। ରାସ୍ତା ଉପରେ ଯାନବାହନଗୁଡ଼ିକ ଫସିରହିଥିବାରୁ ଶ୍ରଦ୍ଧାଳୁମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏପରି କି ୩୦୦ କି.ମି. ବ୍ୟାପୀ ଟ୍ରାଫିକ୍‌ ଜାମ୍‌ ହୋଇ ଅଚଳାବସ୍ଥା ସୃଷ୍ଟି ହୋଇଛି।

ସୋସିଆଲ ମିଡିଆ ୟୁଜର୍ସ ଏହାକୁ ‘ବିଶ୍ୱର ସବୁଠୁ ବଡ଼ ଟ୍ରାଫିକ୍‌ ଜାମ୍‌’ ବୋଲି ଦର୍ଶାଇବା ସହ ଭିଡ଼ ନିୟନ୍ତ୍ରଣରେ ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ବସନ୍ତ ପଞ୍ଚମୀର ଅମୃତ ସ୍ନାନ ପରେ ଭିଡ଼ କମିବ ବୋଲି ପୂର୍ବରୁ ଆଶା କରାଯାଉଥିଲା। କିନ୍ତୁ ରବିବାରଠାରୁ ପ୍ରୟାଗରାଜରେ ପବିତ୍ର ବୁଡ଼ ପକାଇବା ପାଇଁ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏଥିଯୋଗୁ ଲକ୍ଷ୍ନୌରୁ ପ୍ରୟାଗରାଜକୁ ଯିବାକୁ ହେଲେ ୫ ଘଣ୍ଟା ଲାଗୁଥିବା ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି।

ପ୍ରୟାଗରାଜ ସହର ମଧ୍ୟରେ ପ୍ରାୟ ୭ କି.ମି ଏବଂ ସେଠାରୁ ବାରାଣସୀ, ଲକ୍ଷ୍ନୌ ଓ କାନପୁରକୁ ଯାଇଥିବା ରାସ୍ତାରେ ୨୫ କି.ମି. ପର୍ଯ୍ୟନ୍ତ ଭିଡ଼ ଲାଗିରହିଛି। କୌଣସି ପ୍ରକାର ଅଘଟଣକୁ ଏଡ଼ାଇବା ପାଇଁ ପ୍ରୟାଗରାଜ ସଙ୍ଗମ ରେଳଷ୍ଟେସନକୁ ବନ୍ଦ କରିଦିଆଯାଇଛି। ଭିଡ଼ର ପ୍ରଭାବ ପଡ଼ୋଶୀ ମଧ୍ୟପ୍ରଦେଶର କେତେକ ଜିଲ୍ଲାରେ ମଧ୍ୟ ପରିଲକ୍ଷିତ ହୋଇଛି। ୨୦୦-୩୦୦ କି.ମି ପର୍ଯ୍ୟନ୍ତ ଏଭଳି ଭିଡ଼ ଲାଗିରହିଥିବା ମଧ୍ୟପ୍ରଦେଶର ମଇହାର ପୋଲିସ ପକ୍ଷରୁ କୁହାଯାଇଛି।

 

Comments are closed.