ନୂଆଦିଲ୍ଲୀ: ସେଣ୍ଟ୍ରାଲ ଆମେରିକାର ଗ୍ବାଟମାଲାରେ ଭୟଙ୍କର ସଡ଼କ ଦୁର୍ଘଟଣା। ଏହି ଦୁର୍ଘଟଣା ପରେ ସମଗ୍ର ଦେଶରେ ଶୋକର ଲହରୀ ଖେଳିଯାଇଛି । ଗତକାଲି ଗ୍ବାଟମାଲାର ରାଜଧାନୀ ଉପକଣ୍ଠରେ ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ବ୍ରିଜରୁ ୧୧୫ ଫୁଟ୍ ତଳକୁ ଖସିପଡିଥିଲା। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୫୫ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି । ଏହା ସହିତ ଅନେକ ଲୋକ ମଧ୍ୟ ଆହତ ହୋଇଛନ୍ତି।
ଉଦ୍ଧାର କର୍ମଚାରୀଙ୍କ ଅନୁଯାୟୀ, ଗତ ପୂର୍ବ କିଛି ବର୍ଷକୁ ଦେଖିଲେ ସେଣ୍ଟ୍ରାଲ ଆମେରିକାରେ ଏହା ସବୁଠୁ ବଡ଼ ଦୁର୍ଘଟଣା ।
ରାଜଧାନୀ ନିକଟରେ ଘଟିଥିବା ଏହି ଦୁର୍ଘଟଣା ଯୋଗୁଁ ସମଗ୍ର ଦେଶରେ ଶୋକର ଲହରୀ ଖେଳିଯାଇଛି । ଏଥିରେ ଅନେକ ଶିଶୁ ଏବଂ ବୃଦ୍ଧ ଲୋକ ପ୍ରାଣ ହରାଇଛନ୍ତି। ଏହି ଘଟଣା ପରେ ରାଷ୍ଟ୍ରପତି ବର୍ନାର୍ଡୋ ଆରେଭାଲୋ ମୃତକଙ୍କ ପାଇଁ ସମବେଦନା ଜଣାଇଛନ୍ତି। ଏହା ସହିତ ଗୋଟିଏ ଦିନକୁ ଜାତୀୟ ଶୋକ ଦିବସ ଭାବେ ଘୋଷଣା କରିଛନ୍ତି ।
ଅନ୍ୟପଟେ ଆହତମାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା ଯୋଗାଇବା ପାଇଁ ସରକାର ସାହାଯ୍ୟ କରିବେ ବୋଲି ସେ କହିଛନ୍ତି ।
ଗ୍ବାଟମାଲାର ମ୍ୟୁନିସିପାଲିଟି ଅଗ୍ନିଶମ ବିଭାଗର ସୂଚନା ଅନୁଯାୟୀ, ବସ୍ ଡ୍ରାଇଭର ଗାଡି ଉପରେ ନିୟନ୍ତ୍ରଣ ହରାଇ ଅନେକ ଛୋଟ ଗାଡିକୁ ଧକ୍କା ଦେଇଥିଲା। ଏହା ପରେ ବସ୍ ଡିଭାଇଡର ଭାଙ୍ଗି ବ୍ରିଜ ତଳକୁ ଖସି ଏକ ଆବର୍ଜନାରେ ପରିପୂର୍ଣ୍ଣ ନଦୀରେ ପଡିଯାଇଥିଲା । ବସ୍ ରେ ମୋଟ୍ ୭୦ ଯାତ୍ରୀ ଥିଲେ । ଏମାନଙ୍କ ମଧ୍ୟରୁ ୫୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ରେସକ୍ୟୁ ଟିମ୍ ୫୧ଜଣଙ୍କ ମୃତଦେହ ଉଦ୍ଧାର କରିଛି ।
Comments are closed.