ଜୟପୁର: ଦେଶ ସାରା ମନ୍ଦିର ସୁରକ୍ଷା ପାଇଁ ଲଢ଼େଇ କରୁଥିବା ବିଜେପି ରାଜସ୍ଥାନ ଅଲୱର ଜିଲ୍ଲାରେ ୩୦୦ ବର୍ଷର ଶିବ ମନ୍ଦିର ଭାଙ୍ଗିଦେଇଛି । କେବଳ ମନ୍ଦିର ନୁହେଁ, ୮୬ଟି ଘର ଆଉ ଦୋକାନ ଭାଙ୍ଗିଛି । ବେଆଇନ ଜବରଦଖଲ ଉଚ୍ଛେଦ ନିୟମରେ ରାଜଗଡ଼ ପୌର ପରିଷଦ ଗତ ରବିବାର ମନ୍ଦିର ସହ ଘର ଭାଙ୍ଗିଦେଇଛି ।
ମନ୍ଦିର ଭଙ୍ଗା ପରେ ସହରରେ ରାଜନୈତିକ ଦୋଷ ଲଦାଲଦା ଜୋର୍ ଧରିଛି । ରାଜ୍ୟ ଶାସକ କଂଗ୍ରେସ ବିଜେପିକୁ ଦୋଷ ଦେଉଥିବା ବେଳେ, ପରିଷଦ ଗଢ଼ିଥିବା ବିଜେପି ଟେକ୍ନିକାଲ ବାଣ ମାରିଛି । ଜିଲ୍ଲା ପ୍ରଶାସନର ଅନୁମତି ମିଳିବା ପରେ ମନ୍ଦିର ଭଙ୍ଗାଯାଇଛି ବୋଲି ବିଜେପି କହିଛି । କଂଗ୍ରେସ ନିର୍ଦ୍ଦୋଷ ହେବାକୁ ଯାଇ ଆମ ଉପରେ ଦୋଷ ଲଦି ବସିପଡ଼ିଲେ ହେବନି ବୋଲି କହିଛି ବିଜେପି ।
ରାଜସ୍ଥାନରେ କଂଗ୍ରେସ ସରକାର ଥିବା ବେଳେ ରାଜଗଡ଼ ପୌର ପରିଷଦ ରହିଛି ବିଜେପି ହାତରେ । ସମୁଦାୟ ୩୫ଟି ଆସନରୁ ୩୪ ଜଣ ବିଜେପି ପାର୍ଷଦ । କଂଗ୍ରେସ ଆସନ ହିସାବ ଦେଇ ଦୋଷ ଖସେଇ ଦେଇଛି ମୁଣ୍ଡରୁ । ପରିଷଦରେ ନିଷ୍ପତ୍ତି ନେବା କ୍ଷମତା ବିଜେପିର । ସେମାନେ ଏଥିପାଇଁ ଏକ ପ୍ରସ୍ତାବ ପାରିତ କରିଥିଲେ ବୋଲି ଅଭିଯୋଗ କରିଛି କଂଗ୍ରେସ ।
ପୂର୍ବରୁ ବସୁନ୍ଧରା ରାଜେ ସରକାର ଥିବା ବେଳେ ସେମାନେ ଏଠାରେ ଗୌରବ ପଥ ନାମରେ ଏକ ରାସ୍ତା କରିବେ ବୋଲି ପ୍ରତିଶୃତି ଦେଇଥିଲେ । ପରେ ପରିଷଦ ପ୍ରସ୍ତାବ ପାରିତ କରି ମନ୍ଦିର ଭାଙ୍ଗିଛି ବୋଲି କହିଛି କଂଗ୍ରେସ ।
ରାଜସ୍ଥାନ ବିଜେପି ମୁଖ୍ୟ ସତୀଶ ପୁନିଆ ଏକ ପାଞ୍ଚ ଜଣିଆ ଟିମ୍ ଗଠନ କରିଛନ୍ତି । ଏହି ଟିମ୍ ଉଚ୍ଛେଦ ସ୍ଥଳକୁ ଯାଇ ତଦନ୍ତ କରି ସତୀଶଙ୍କୁ ରିପୋର୍ଟ ଦାଖଲ କରିବ ବୋଲି ସେ କହିଛନ୍ତି ।
ପୌର ପରିଷଦ ଏକ ସ୍ୱୟଂଚାଳିତ ଶାସନତନ୍ତ୍ର ହୋଇଥିବାରୁ ସେମାନେ ମନ୍ଦିର ଭଙ୍ଗା ଉପରେ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ସରକାରଙ୍କୁ କୌଣସି ଅନୁମତି ମାଗିନାହାନ୍ତି କିମ୍ବା ତାଙ୍କୁ ନିର୍ଦ୍ଦେଶ ଦିଆଯାଇନି ବୋଲି ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ ଶାନ୍ତି ଧରିୱାଲ କହିଛନ୍ତି ।
Comments are closed.