Stampede at Vijay’s rally: ସାଉଥ୍ ସୁପରଷ୍ଟାର୍ ବିଜୟଙ୍କ ରାଲିରେ ଦଳାଚକଟା:୩୦ରୁ ଅଧିକ ମହିଳା ଓ ଶିଶୁଙ୍କ ମୃତ୍ୟୁ ଆଶଙ୍କା
ଚେନ୍ନାଇ: ତାମିଲନାଡୁର କରୁର ଜିଲ୍ଲାରେ ସାଉଥ୍ ସୁପରଷ୍ଟାର୍ ବିଜୟଙ୍କ ରାଲିରେ ଦଳାଚକଟା ଘଟି ୩୧ ଜଣଙ୍କର ମୃତ୍ୟୁ ହୋଇଛି। ‘ତାମିଝାଗା ଭେଟ୍ରି କାଝଗମ୍’ (TVK) ନେତା ତଥା ଅଭିନେତା ବିଜୟ ଏହି ରାଲିର ଆୟୋଜନ କରିଥିଲେ। ରାଲି ସମୟରେ ଦଳାଚକଟା ହୋଇଥିଲା। ମୃତକଙ୍କ ମଧ୍ୟରେ ମହିଳା ଏବଂ ପିଲାମାନେ ମଧ୍ୟ ଅଛନ୍ତି। ସମସ୍ତ ଆହତଙ୍କୁ କରୁର ଜିଲ୍ଲା ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଆହୁରି ମୃତ୍ୟୁସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି ।
କରୁରରେ ଉପସ୍ଥିତ ଥିବା ମନ୍ତ୍ରୀ ଏମ୍. ସୁବ୍ରମଣ୍ୟମ ଏକ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି, ” ଦଳାଚକଟାରେ ୩୧ ଜଣଙ୍କର ମୃତ୍ୟୁ ହୋଇଛି। ୪୦ ରୁ ଅଧିକ ଆହତଙ୍କ ଚିକିତ୍ସା ଚାଲିଛି ଏବଂ ସେମାନଙ୍କ ଅବସ୍ଥା ସ୍ଥିର ଅଛି। ଦଳାଚକଟାରେ ମୃତ୍ୟୁ ହୋଇଥିବା ୩୧ ଜଣଙ୍କ ମଧ୍ୟରେ ୧୬ ଜଣ ମହିଳା, ୯ ଜଣ ପୁରୁଷ ଏବଂ ୬ ଜଣ ଶିଶୁ ଅଛନ୍ତି।”
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ସେ ସୋସିଆଲ ମିଡିଆରେ ଲେଖିଛନ୍ତି, ‘ତାମିଲନାଡୁର କରୁରରେ ଏକ ରାଜନୈତିକ ରାଲି ସମୟରେ ଘଟିଥିବା ଦୁର୍ଭାଗ୍ୟଜନକ ଘଟଣା ଅତ୍ୟନ୍ତ ଦୁଃଖଦ। ଯେଉଁମାନେ ସେମାନଙ୍କ ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପରିବାର ସହିତ ମୋର ସମବେଦନା। ଏହି କଠନ ସମୟରେ ସେମାନଙ୍କୁ ଶକ୍ତି ମିଳୁ ଏହି କାମନା କରୁଛି। ସମସ୍ତ ଆହତଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି।’
ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କରୁର ଘଟଣାରେ ଚିନ୍ତା ପ୍ରକାଶ କରିଛନ୍ତି । ଦୁଇଜଣ ମନ୍ତ୍ରୀ ଏବଂ ସ୍ଥାନୀୟ ବିଧାୟକ ଆହତମାନଙ୍କୁ ସାହାଯ୍ୟ କରୁଛନ୍ତି। ସେ କହିଛନ୍ତି ଯେ ଭିଡ଼ରେ ଫସିଯିବା ପରେ ଅଚେତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଲୋକମାନଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇବା ପାଇଁ ସେ ଜିଲ୍ଲା କଲେକ୍ଟରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
Comments are closed.