Latest Odisha News

BREAKING NEWS

Sasur Murder Case: ୨୧ ଦିନରେ ୩୩୦ କଲ୍‌…ଚାକର ସହ ମିଶି କୋଟିପତି ଶ୍ବଶୁରକୁ ମାରିଦେଲା ବୋହୂ?

କାନପୁର: ୨୧ ଦିନରେ ୩୩୦ କଲ୍‌…ଚାକର ସାଙ୍ଗରେ କି ଗପ ଗପୁଥିଲା ବୋହୂ? କାନପୁର କୋଟିପତି ଶ୍ବଶୁର ହତ୍ୟାକାଣ୍ଡରେ ବଡ ଖୁଲାସା!

କାନପୁରର କୋଟିପତି ଔଷଧ ବ୍ୟବସାୟୀ ବିନୀତ ମନୋଚାଙ୍କ ହତ୍ୟାକାଣ୍ଡରେ ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏବେ ପୋଲିସ ହାତରେ ଲାଗିଛି ଏମିତି ଏକ କଲ୍‌ ଡିଟେଲ୍‌, ଯାହା ମାମଲାକୁ ଆହୁରି ରହସ୍ୟମୟ କରିଛି। ହତ୍ୟା ପୂର୍ବରୁ ମାତ୍ର ୨୧ ଦିନ ମଧ୍ୟରେ ବୋହୂ ଶାଲୁ ଓ ଘରର ଚାକର ବିଶାଲ ଗୌତମଙ୍କ ମଧ୍ୟରେ ପ୍ରାୟ ୩୦ ଥର ଫୋନ୍‌ରେ କଥାବାର୍ତ୍ତା ହୋଇଥିଲା। ହି ସମୟ ମଧ୍ୟରେ ବିନୀତଙ୍କ ପୂର୍ବତନ କର୍ମଚାରୀ ବିଶାଲ ଗୌତମଙ୍କ ସହ ତାଙ୍କ ପୁଅ ସୁବ୍ରତ ପ୍ରାୟ ୩୦୦ ଥର କଥା ହୋଇଥିବା ଜଣାପଡ଼ିଛି। ଅର୍ଥାତ୍‌ ମୋଟ ପ୍ରାୟ ୩୩୦ କଲ୍‌।

ତେବେ ଘରର ସାଧାରଣ ଚାକରଟିକୁ ପୁଅ ଏବଂ ବୋହୂ ଏତେ ଥର କଲ୍ କରିବା ଏବେ ସନ୍ଦେହକୁ ଆହୁରି ବଢାଇଛି । ଚାକର ସାଙ୍ଗରେ ବାରମ୍ବାର କଲ୍‌ରେ କ’ଣ କଥା ହେଉଥିଲେ ଏହି ଦୁହେଁ? ଏହା କେବଳ ଘରର କାମ ପାଇଁ ଥିଲା, ନା ଏହା ପଛରେ ରହିଥିଲା ହତ୍ୟା ଷଡ଼ଯନ୍ତ୍ର? ଯଦିଓ ପୁଅ ସୁବ୍ରତ ଚାକର ସହ ଅଧିକ ଥର କଥା ହୋଇଛନ୍ତି, ତଥାପି ଏଥିରେ ତାଙ୍କର ଭୂମିକା କିଛି ସାମ୍ନାକୁ ଆସିନାହିଁ । ଏଥିସହିତ କଲ୍‌ ଡିଟେଲ୍‌ ନେଇ ପଚରାଉଚରା ବେଳେ ସୁବ୍ରତ କହିଛନ୍ତି ଯେ ବିଶାଲ ପୂର୍ବରୁ ତାଙ୍କ ପରିବାର ସହ କାମ କରିଥିଲା। ସେ ଘରର ଛୋଟବଡ଼ କାମ କରୁଥିବାରୁ ତାଙ୍କ ସହ ଫୋନ୍‌ରେ କଥା ହେଉଥିଲା। ପୋଲିସ ଏହି ବୟାନକୁ ଅନ୍ୟ ପ୍ରମାଣ ସହ ମିଶାଇ ବର୍ତ୍ତମାନ ଯାଞ୍ଚ କରୁଛି।

ଅନ୍ୟପଟେ ହତ୍ୟାକାଣ୍ଡରେ ପୂର୍ବରୁ ଦୁଇ ଅଭିଯୁକ୍ତ ବିଶାଲ ଗୌତମ ଓ ରାଜକିଶୋରଙ୍କୁ ପୋଲିସ ଗିରଫ କରିଛି। ପଚରାଉଚରା ବେଳେ ଉଭୟ ମଧ୍ୟ ଶାଲୁଙ୍କ ନାଁ ନେଇଥିଲେ। ଯାହା ଶାଲୁଙ୍କୁ ସନ୍ଦେହ ଘେରକୁ ଆଣିଥିଲା । ଶାଲୁଙ୍କ ନାଁ ଆସିବା ପରେ ପୋଲିସ ତାଙ୍କୁ ହେପାଜତକୁ ନେଇଥିଲା। ପ୍ରାୟ ଦେଢ଼ ଘଣ୍ଟା ଧରି ତାଙ୍କୁ ପଚରାଉଚରା କରାଯାଇଥିଲା। ପ୍ରଥମେ ସେ ହତ୍ୟା ଷଡ଼ଯନ୍ତ୍ରରେ ସାମିଲ ଥିବା ଅସ୍ୱୀକାର କରିଥିଲେ। ପରେ ସ୍ୱାମୀ ସୁବ୍ରତ, ଶାଶୁ ପୁନିତା, ବିନୀତଙ୍କ ଭାଇ ଓ ସୁରକ୍ଷାକର୍ମୀ ମଦନ ସିଂହଙ୍କ ଉପସ୍ଥିତିରେ ପୋଲିସ ତାଙ୍କୁ ପ୍ରାୟ ୧୫ଟି ପ୍ରଶ୍ନ ପଚାରିଥିଲା। ପୋଲିସ ତାଙ୍କ ସାମ୍ନାରେ କଲ୍‌ ଡିଟେଲ୍‌ ସମେତ ଅନ୍ୟ ପ୍ରମାଣ ରଖିଥିବା କୁହାଯାଇଛି। ଏହା ପରେ ଶାଲୁ ହତ୍ୟା ଷଡ଼ଯନ୍ତ୍ରରେ ନିଜ ଭୂମିକା ସ୍ୱୀକାର କରିଥିବା ପୋଲିସ ଦାବି କରିଛି। ପରେ ତାଙ୍କୁ ଗିରଫ କରି ଜେଲ୍‌ ପଠାଯାଇଛି। ପୋଲିସର ଦାବି ଅନୁଯାୟୀ, ବିନୀତଙ୍କୁ ହତ୍ୟା କରିବା ପାଇଁ ଚାକର  ବିଶାଳକୁ ପ୍ରାୟ ୬ ଲକ୍ଷ ଟଙ୍କାର ସୁପାରୀ ଦେଇଥିଲେ ଶାଲୁ ।

ତେବେ କହିରଖୁଛୁ, ୬୩ ବର୍ଷୀୟ ବିନୀତ ମିନୋଚା କାନପୁର ସହରର ପ୍ରମୁଖ ଔଷଧ ବ୍ୟବସାୟୀଙ୍କ ମଧ୍ୟରେ ଜଣେ ଥିଲେ । ସେପ୍ଟେମ୍ବର ୫ରେ ତାଙ୍କୁ ହତ୍ୟା କରାଯାଇଛି । ହତ୍ୟା ରାତିରେ ସେ ଘରେ ଏକୁଟିଆ ଥିଲେ ଏବଂ ତାଙ୍କ ଉପରେ ଚାକୁରେ ୨୬ରୁ ଅଧିକ ଥର ଆକ୍ରମଣ ହୋଇଥିବା ପୋଲିସ କହିଛି। ପ୍ରଥମେ ଘଟଣାଟି ବାହାରର କୌଣସି ଦୁର୍ବୃତ୍ତଙ୍କ ଆକ୍ରମଣ ବୋଲି ଲାଗୁଥିଲା। କିନ୍ତୁ ପୋଲିସ ସିସିଟିଭି ଫୁଟେଜ୍‌ ଯାଞ୍ଚ କରିବା, ଗାର୍ଡଙ୍କୁ ପଚରାଉଚରା କରିବା ଏବଂ ପୁରୁଣା କର୍ମଚାରୀଙ୍କ ସମ୍ପର୍କରେ ତଥ୍ୟ ଜାଣିବା ପରେ ତଦନ୍ତର ଦିଗ ବଦଳିଥିଲା । ସିସିଟିଭିରେ ବିନୀତଙ୍କ ପୂର୍ବତନ କର୍ମଚାରୀ ବିଶାଲ ଗୌତମ ଓ ତାଙ୍କ ସହଯୋଗୀ ରାଜକିଶୋର ଫ୍ଲାଟ୍‌କୁ ପ୍ରବେଶ କରିବା ଏବଂ ବାହାରକୁ ଆସିବା ଦେଖାଯାଇଥିଲା। ଏହାପରେ ସବୁ ସତ ସାମ୍ନାକୁ ଆସିଥିଲା ।

ତେବେ ଶାଲୁ ଘରେ ଅଧିକ ରୋକଟୋକ, ବାହାରକୁ ଯିବା ଉପରେ କଟକଣା ଏବଂ ଖର୍ଚ୍ଚ ପାଇଁ କମ୍‌ ଟଙ୍କା ମିଳୁଥିବାରୁ ଅସନ୍ତୁଷ୍ଟ ଥିବା ନେଇ ମଧ୍ୟ ରିପୋର୍ଟ ଆସିଛି। ଏବେ ପୋଲିସର ଫୋକସ୍‌ ରହିଛି ସେହି ୩୩୦ କଲ୍‌ ଲିଷ୍ଟ ଉପରେ । ଯାହାପରେ ଶାଲୁଙ୍କ ସବୁ ସତ ପଦାରେ ପଡିବ । କାହିଁକି ଏତେ ଆଡମ୍ବର ଜୀବନ ଭିତରେ ଥାଇ ମଧ୍ୟ ସେ ନିଜ ଶ୍ବଶୁରଙ୍କୁ ହତ୍ୟା କରିବାକୁ ପଛେଇଲେ ନାହିଁ? ତାହା ପଛର କାରଣ ଜଣାପଡିବ ।

Leave A Reply

Your email address will not be published.