Latest Odisha News

୧୭ ଡ଼ିସେମ୍ବର ଭୁବନେଶ୍ୱରରେ ୩୩ତମ ଜାତୀୟ ଉପକନିଷ୍ଠ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ; ସଟଲରଙ୍କ ପାଇଁ ମଞ୍ଚ ପ୍ରସ୍ତୁତ

ଭୁବନେଶ୍ୱର: ଜାତୀୟ ଉପକନିଷ୍ଠ ବ୍ୟାଡ଼ମିଣ୍ଟନ (୧୫ ଏବଂ ୧୭ ବର୍ଷରୁ କମ୍) ବାଳିକା ଓ ବାଳକ ବିଭାଗ ପାଇଁ ୩୩ତମ ଜାତୀୟ ଉପକନିଷ୍ଠ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତା ୨୦୧୯ର ୧୦ଟି ବର୍ଗରେ ପ୍ରାୟ ୫୪୦ ଉଦୀୟମାନ ସଟଲର୍ସ ମେତ ୩୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ୨୬୦ ଜଣ ବାଳିକା ପ୍ରତିଦ୍ୱନ୍ଦିତା କରିବାର କାର୍ଯ୍ୟକ୍ରମ ରହିଛି । ଯାହାକି ଆସନ୍ତାକାଲିଠାରୁ ସ୍ଥାନୀୟ ପୂର୍ବତଟ ରେଳବାଇ ଇନ୍ଡୋର ଷ୍ଟାଡିୟମ ଓ ସହିଦ୍ ନଗର ଇଣ୍ଡୋର୍ ହଲ୍ରେ ଆୟୋଜିତ ହେବାକୁ ଯାଉଛି ।

ଏହି ପ୍ରତିଯୋଗିତାକୁ ପ୍ରଥମ ଥର ପାଇଁ ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗ ସହଯୋଗରେ ଓଡିଶା ଷ୍ଟେଟ୍ ବ୍ୟାଡ୍ମିଣ୍ଟନ ଆସୋସିଏଶନ (ଓଏସ୍ବିଏ) ପକ୍ଷରୁ ଆୟୋଜନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଓଏସ୍ବିଏ ଅଧ୍ୟକ୍ଷ, ରୋହିତ ପୁଜାରୀ କହିଛନ୍ତି, “ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓଡିଶାକୁ ଭାରତର କ୍ରୀଡା ରାଜଧାନୀ କରିବା ପାଇଁ ବଡଧରଣର ପଦକ୍ଷେପମାନ ଗ୍ରହଣ କରିଛନ୍ତି । ତାଙ୍କ ସ୍ୱପ୍ନରେ ଅନୁପ୍ରାଣିତହୋଇ ଆମେ ଜାତୀୟ ଉପକନିଷ୍ଠ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ଆୟୋଜନ କରିବା ଚ୍ୟାଲେଞ୍ଜକୁ ଗ୍ରହଣ କରିଛୁ ।’ ବ୍ୟାଡ୍ମିଣ୍ଟନ ଆସୋସିଏଶନ ଅଫ୍ ଇଣ୍ଡିଆ (ବିଆଇଏ) ସଚିବ (ଇଭେଣ୍ଟସ୍) ଓମାର ରସିଦ୍ କହିଛନ୍ତିଯେ, “ଦେଶର ସମସ୍ତ ପ୍ରମୁଖ ୧୫ ବର୍ଷରୁ କମ୍ ଓ ୧୭ ବର୍ଷରୁ କମ୍ ଖେଳାଳୀଙ୍କୁ ଏହି ଛଅ ଦିନିଆ ପ୍ରତିଯୋଗିତାରେ ଆକ୍ସନ ମୁଡ୍ରେ ଦେଖିବାକୁ ମିଳିବ । ବାଳକ ଓ ବାଳିକା ବିଭାଗ ପାଇଁ ଉଭୟ ବୟସ ବର୍ଗରେ ହେବାକୁଥିବା ପ୍ରତିଯୋଗିତାର ସିଙ୍ଗଲ୍ସ, ଡବଲ୍ସ ଓ ମିକ୍ସଡ୍ ଡବଲ୍ସ ଇଭେଣ୍ଟ ରେଳବାଇ ଇଣ୍ଡୋର ଷ୍ଟାଡିୟମ ଓ ସହିଦ୍ ନଗର ଇଣ୍ଡୋର ହଲ୍ର ସମସ୍ତ ନୂତନ ସିନ୍ଥେଟିକ୍ କୋର୍ଟରେ ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି ।’

ଏହି ପ୍ରତିଯୋଗିତା ଉଦୀୟମାନ ଖେଳାଳୀଙ୍କ ପାଇଁ ଅଧିକ ଏକ୍ସପୋଜର ପାଇବା ଓ ନିଜ ପ୍ରତିଭାର ପ୍ରଦର୍ଶନ କରିବାଲାଗି ଏକ ବଡ ମଞ୍ଚ ହେବ । ଶୀର୍ଷ ର୍ୟାଙ୍କ୍ର ଖେଳାଳୀଙ୍କ ମଧ୍ୟରେ ଇଣ୍ଡୋନେସିଆର ସୁରାବାୟାରେ  ବ୍ୟାଡ୍ମିଣ୍ଟନ ଏସିଆ ଜୁନିଅର ଚାମ୍ପିୟନସିପ୍ର ୧୫ ବର୍ଷରୁ କମ୍ ସିଙ୍ଗଲ୍ସ ଚାମ୍ପିଅନ ତସ୍ମିନ୍ ମିର୍ ଓ ରନର୍ ଅପ୍ ତାରା ଶାହ ମଧ୍ୟ ସାମିଲ ଅଛନ୍ତି । ଏହି ପ୍ରତିଯୋଗିତାର ନଗଦ ପୁରସ୍କାର ରାଶି ୧୦ ଲକ୍ଷ ଟଙ୍କା ରହିଛି । କ୍ୱାଟର ଫାଇନାଲରେ ପହଞ୍ଚôଥିବା ଖେଳାଳୀ ପୁରସ୍କାର ଅର୍ଥ ପାଇବାକୁ ଯୋଗ୍ୟ ବିବେଚିତ ହେବେ । ସେହିପରି ୧୭ ବର୍ଷରୁ କମ୍ ସିଙ୍ଗଲ୍ସର ଉଭୟ ବାଳକ ଓ ବାଳିକା ବିଭାଗର ଟାଇଟଲ ବିଜେତାଙ୍କୁ ୪୪,୦୦୦ ଟଙ୍କା ଲେଖାଏଁ ନଗଦ ପୁରସ୍କାର ମିଳିବ । ଏଥିସହିତ ଡବଲ୍ସ ଓ ମିକ୍ସଡ୍ ଡବଲ୍ସ ବିଜେତାଙ୍କୁ ୪୬,୦୦୦ ଟଙ୍କା ଲେଖାଏଁ ନଗଦ ପୁରସ୍କାର ଦିଆଯିବ । ୧୫ ବର୍ଷରୁ କମ୍ ସିଙ୍ଗଲ୍ସର ଟାଇଟଲ ବିଜେତାଙ୍କୁ ୪୨,୦୦୦ ଟଙ୍କା ଲେଖାଏଁ ଏବଂ ଡବଲ୍ସ ଓ ମିକ୍ସଡ୍ ଡବଲ୍ସ ଟାଇଟେଲ ବିଜେତାଙ୍କୁ ୪୪,୦୦୦ ଟଙ୍କା ଲେଖାଏଁ ପୁରସ୍କାର ରାଶି ମିଳିବ ।

ଆୟୋଜକ ଓଡିଶା ନିଜର ୨୨ ଜଣ ଖେଳାଳୀଙ୍କ ସହ ଏହି ପ୍ରତିଯୋଗିତାରେ ଏହାର ପ୍ରଥମ ପଦକ ଜିତିବା ପାଇଁ ଆଶାବାଦୀ ରହିଛି । ଓଡିଶା ବିଶେଷକରି ଏହା ଭାରତର ନମ୍ବର ୱାନ୍ ଆୟୁଷ ପଟ୍ଟନାୟକ (୧୭ ବର୍ଷରୁ କମ୍ ବାଳକ) ଓ ଶ୍ୱେତପର୍ଣ୍ଣା ପଣ୍ଡା (୧୫ ବର୍ଷରୁ କମ୍ ବାଳିକା ବିଭାଗ)ଙ୍କଠାରୁ ପଦକ ଆଶା ରଖିଛି । ଉଭୟ ଖେଳାଳୀଙ୍କୁ ଡବଲ୍ସ ଓ ମିକ୍ସଡ୍ ଡବଲ୍ସର ମୁଖ୍ୟ ଇଭେଣ୍ଟ ପାଇଁ ଡାଇରେକ୍ଟ ଏଣ୍ଟ୍ରି ମିଳିଛି ।

Leave A Reply

Your email address will not be published.