Latest Odisha News

BREAKING NEWS

କଟକର ଏହି ଅଞ୍ଚଳରେ ୩୬ ଘଣ୍ଟା ପାଇଁ ଲାଗିଲା କର୍ଫ୍ୟୁ; ଜରୁରୀ ସେବା ଓ ସ୍କୁଲ୍‌କୁ ଦିଆଯାଇଛି ବାଦ…

କଟକ: କଟକ ସହରରେ ଶୁକ୍ରବାର ରାତିରେ ଦରଘା ବଜାର ଅଞ୍ଚଳରେ ମା ଦୁର୍ଗାଙ୍କ ବିସର୍ଜନ ଶୋଭାଯାତ୍ରା ସମୟରେ ହୋଇଥିଲା ହିଂସାକାଣ୍ଡ । ଏହାପରେ ବିଶ୍ଵ ହିନ୍ଦୁ ପରିଷଦ ଦ୍ଵାରା ବନ୍ଦ ଡାକରାକୁ ସମର୍ଥନ କରି ରବିବାର ଅନେକ ସଂଗଠନ ପକ୍ଷରୁ ରାଲି ବେଳେ ଉପୁଜିଥିବା ଉତ୍ତେଜନା କାରଣରୁ କଟକରେ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ପାଇଁ କଟକଣା ଲଗାଯାଇଛି। ଅଞ୍ଚଳରେ ଦୁଇଟି ଗୋଷ୍ଠୀର ସଦସ୍ୟଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ଏବେ ସ୍ଥିତିକୁ ଦୃଷ୍ଟିରେ ରଖି କଟକରେ ୩୬ ଘଣ୍ଟା ପାଇଁ କର୍ଫ୍ୟୁ ଲାଗୁ କରାଯାଇଛି। ଏନେଇ ରବିବାର ରାତିରେ ଘୋଷଣା କରିଛନ୍ତି ପୋଲିସ କମିଶନର ଏସ୍ ଦେବଦତ୍ତ ସିଂ।

ଆଜି ରାତି ୧୦ଟାରୁ ୩୬ ଘଣ୍ଟା ପାଇଁ କର୍ଫ୍ୟୁ ଲାଗୁ କରାଯାଇଛି। କର୍ଫ୍ୟୁ ଜାରି କରାଯାଇଥିବା ଅଞ୍ଚଳଗୁଡ଼ିକ ହେଲା ଦରଘାବଜାର, ମଙ୍ଗଳବାଗ, କ୍ୟାଣ୍ଟନମେଣ୍ଟ, ଲାଲବାଗ, CDA ଫେଜ୍-୨, ପୁରୀଘାଟ, ଜଗତପୁର, ମର୍କତନଗର, ବାଦାମବାଡ଼ି,ବୟାଳିଶ ମୌଜା, ସଦର, ବିଡ଼ାନାସୀ, ମାଲଗୋଦାମ ଥାନା ପ୍ରମୁଖ।

ସରକାରୀ ଅଫିସ୍ ଖୋଲା ରହିବ, ଜରୁରୀ ସେବା ଓ ସ୍କୁଲକୁ କର୍ଫ୍ୟୁରୁ ବାଦ୍ ଦିଆଯାଇଛି। କିନ୍ତୁ ପ୍ରଦର୍ଶନ, ଶୋଭାଯାତ୍ରା ତଥା ଲୋକ ଗହଳିକୁ ବାରଣ କରାଯାଇଛି।

ସିପି କହିଛନ୍ତି ଉପଦ୍ରବକାରୀଙ୍କୁ ବରଦାସ୍ତ କରାଯିବନି। ନିୟମ ଭାଙ୍ଗିଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ଉପଦ୍ରବ କଲା ମାତ୍ରେ ବଳ ପ୍ରୟୋଗ କରାଯିବ। ଆଜିର ଗଣ୍ଡଗୋଳରେ ମୋଟ୍ ୨୫ ପୋଲିସ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

Comments are closed.