Latest Odisha News

BREAKING NEWS

Sub- Junior National Badminton Championship: ଚମକିଲେ ଓଡ଼ିଆ ଖେଳାଳୀ ତନଭି ପତ୍ରି…ହେଲେ ଡବଲ ଚାମ୍ପିୟନ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମ ପରିସରସ୍ଥ ଡାଲମିଆ ଭାରତ ଗୋପିଚାନ୍ଦ ବେଡ଼ମିଣ୍ଟନ ଉତ୍କର୍ଷ କେନ୍ଦ୍ର (ସଟଲ) ରେ ଆୟୋଜିତ ୩୭ତମ ଜାତୀୟ ସବ ଜୁନିଅର ବ୍ୟାଡ଼ମିଣ୍ଟନ ଚମ୍ପିୟାନସିପ୍ ଉଦ୍‌ଯାପିତ ହୋଇଯାଇଅଛି । ଚୂଡାନ୍ତ ଦିବସ ରେ ଖେଳାଯାଇଥିବା ୧୫ ଓ ୧୭ ବର୍ଷରୁ କମ୍ ଉଭୟ ବିଭାଗରେ ଓଡ଼ିଆ ଖେଳାଳୀ ତନଭି ପତ୍ରି ବିଜୟୀ ହୋଇ ଦ୍ବିମୁକୁଟ ଲାଭ କରିଛନ୍ତି।

୧୫ବର୍ଷ ରୁ କମ୍ ବୟସ ବର୍ଗର ଫାଇନାଲରେ ତନଭି ତେଲେଙ୍ଗାନାର ଅବନୀ ବିକ୍ରମ ଗୋବିନ୍ଦଙ୍କୁ 21-9 ଓ 21-13 ପଏଣ୍ଟର ଦୁଇଟି ଗେମ୍‌ରେ ପରାଜିତ କରି ଚାମ୍ପିୟନ ହୋଇଥିବାବେଳେ,୧୭ ବର୍ଷରୁ କମ୍ ବାଳିକା ସିଙ୍ଗଲ ଫାଇନାଲରେ ତନଭି ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରି ତାମିଲନାଡୁ ଖେଳାଳୀ ଦୀକ୍ଷା ଏସ. ଆର ଙ୍କୁ 20-21,21-17 ଓ 22-20 ପଏଣ୍ଟରେ ହରାଇ ଚାମ୍ପିୟନ ହୋଇଛନ୍ତି ।

ବାଳକ ୧୫ ବର୍ଷରୁ କମ୍ ବିଭାଗର ଫାଇନାଲ ଲଢେଇରେ କର୍ଣ୍ଣାଟକର ପୁଷ୍କର ଦିଲ୍ଲୀର ହର୍ଷିତ ଖତ୍ରୀଙ୍କୁ 21-17,21-12 ପଏଣ୍ଟର ଦୁଇଟି ଗେମ୍‌ରେ ହରାଇ ଚାମ୍ପିୟନ ହୋଇଛନ୍ତି।

୧୫ ବର୍ଷ ରୁ କମ୍ ବାଳିକା ଡବଲସ ଫାଇନାଲରେ ଓଡ଼ିଆ ଯୋଡି ସ୍ଵାତି ନାୟକ ଓ ନିମିଶା ଓଝା ମହାରାଷ୍ଟ୍ର ଯୋଡି ସରାୟୁ ରଂଜନେ ଓ ସୋୟାରା ସେଲାରଙ୍କ ଠାରୁ 15-21,14-21 ପଏଣ୍ଟରେ ହାରି ରନର୍ସ ଅପରେ ସନ୍ତୁଷ୍ଟ ହୋଇଛନ୍ତି ।

୧୭ବର୍ଷରୁ କମ୍ ବାଳକ ବିଭାଗରେ ଟପସିଡ଼ ଜଗସେର ସିଂ ଖାଙ୍ଗୁରା ନିଜ ରାଜ୍ୟର ବିରାଜ ଶର୍ମାଙ୍କୁ 21-12,21-13 ର ଦୁଇଟି ଗେମ୍‌ରେ ହରାଇ ଚାମ୍ପିୟନ ହୋଇଛନ୍ତି। ୧୫ ବର୍ଷରୁ କମ୍ ଡବଲ ବାଳକ ଫାଇନାଲରେ ପଶ୍ଚିମବଙ୍ଗ ଉତ୍ତରରାଖଣ୍ଡ ଯୋଡି ସ୍ୱୟଂମଦ୍ୟୁତି ଘୋଷ ଓ ସୌର୍ୟ ସିଂ ରଣା ହରିୟାଣା ଦିଲ୍ଲୀ ଯୋଡି ଜୟବର୍ଦ୍ଧନ ହୂଡା ଓ ହର୍ଷିତ ଖତ୍ରୀଙ୍କୁ 21-18,19-21 ଓ 21-14 ର ତିନୋଟି ଗେମ୍‌ରେ ହରାଇ ଚମ୍ପିୟାନ ହୋଇଛନ୍ତି।

୧୫ ବର୍ଷରୁ କମ୍ ମିକ୍ସଡ଼ ଡବଲସ ଫାଇନାଲରେ ତାମିଲନାଡୁ ଆନ୍ଧ୍ର ଯୋଡି ନିଥିନ ପ୍ରକାଶ ଓ ବିଜୟ ତେଜସ୍ୱିନୀ ପଶ୍ଚିମବଙ୍ଗ ତାମିଲନାଡୁ ଯୋଡି ସ୍ୱୟଂମଦ୍ୟୁତି ଘୋଷ ଓ ନେହା ଏସଙ୍କୁ 21-11,19-21ଓ 21-13 ପଏଣ୍ଟରେ ହରାଇ ଚମ୍ପିୟାନ ହୋଇଛନ୍ତି ।

୧୭ ବର୍ଷରୁ କମ୍ ମିକ୍ସଡ଼ ଡବଲ ଫାଇନାଲରେ କର୍ଣ୍ଣାଟକ ଯୋଡି ପୁନିଥ ଏସ ଓ ଦୀପକ ରାଜ ଅଦିତି ରାଜସ୍ଥାନ ତାମିଲନାଡୁ ଯୋଡି ଅର୍ଣ୍ଣବ ଶର୍ମା ଓ ଅଞ୍ଜନା ମାଣିକନ୍ଦନଙ୍କୁ 21-16, 21-14ରେ ହରାଇ ଚାମ୍ପିୟନ ହୋଇଛନ୍ତି ।

ବାଳକ ଡବଲସ ୧୭ ବର୍ଷରୁ କମ୍ ଫାଇନାଲରେ କର୍ଣ୍ଣାଟକ ଯୋଡି ପବନ ଏସ୍‌ ଓ ପୁନିଥ ଏସ୍‌ ଚମ୍ପିୟାନ ହୋଇଥିବାବେଳେ ବାଳିକାରେ ଦୀପକ ରାଜ ଅଦିତି ଓ ପୋନ୍ନାମ୍ମା ବି. ଭି. ଦ୍ଭି. ଚାମ୍ପିୟନ ହୋଇଛନ୍ତି ।

ଓଡ଼ିଶା ଷ୍ଟେଟ ବ୍ୟାଡ଼ମିଣ୍ଟନ ଆସୋସିଏସନ୍‌ ତରଫରୁ ଚମ୍ପିୟାନ ଖେଲାଳୀ ତନଭି ପତ୍ରିଙ୍କୁ ପାଞ୍ଚ ଲକ୍ଷ ଓ ଡବଲସ ରନର୍ସ ଅପ୍ ହୋଇଥିବା ନିମିଶା ଓଝା ଓ ସ୍ଵାତି ନାୟକଙ୍କୁ ଅଢେଇ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବା ବୋଲି ଓଡ଼ିଶା ଷ୍ଟେଟ ବ୍ୟାଡ଼ମିଣ୍ଟନ ଆସୋସିଏସନ୍‌ ସଭାପତି ତଥା ସମବାୟ ସଚିବ ରାଜେଶ ପ୍ରଭାକର ପାଟିଲ ଘୋଷଣା କରିଥିଲେ ।

ଏହି ଜାତୀୟ ଚାମ୍ପିୟନସିପ୍‌ର ପୁରସ୍କାର ରାଶି ୪୦ ଲକ୍ଷ ଟଙ୍କା ଯାହାକି ଚମ୍ପିୟାନ ଓ ରନର୍ସ ଉପ ଖେଳାଳୀମାନଙ୍କୁ ବଣ୍ଟନ କରାଯାଇଥିଲା।

Leave A Reply

Your email address will not be published.