Latest Odisha News

ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାର ୩ୟ ସନ୍ଧ୍ୟା; ନାଟକ ପରିବେଷଣ ଓ ରୋମାଣ୍ଟିକ୍‌ ଗୀତରେ ଝୁମିଲେ ଦର୍ଶକ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କର ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଜନତା ମଇଦାନଠାରେ ଡିସେମ୍ବର ୧୫ ତାରିଖଠାରୁ ଚତୁର୍ଦ୍ଦଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଆରମ୍ଭ ହୋଇଛି । ଆଜି ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ନିତେନ ଚନ୍ଦ୍ର ବିଭିନ୍ନ ଷ୍ଟଲ୍‌ ବୁଲି ଦେଖିବା ସହ କାରିଗରମାନଙ୍କ ସହିତ ଆଲୋଚନା କରିଥିଲେ ।

ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମେଳାର ମଧ୍ୟ ଭାଗରେ ଏକ ଥିମ୍‌ ପାଭିଲିୟନ୍‌ ‘କଳିଙ୍ଗ ତନ୍ତକୃତି’ ବିଷୟ ଉପରେ ପରିକଳ୍ପନା କରାଯାଇଛି । ଏଠାରେ ରେଶମ ସୂତା ଶାଢ଼ି, ସ୍କାର୍ପ, ଜ୍ୟାକେଟ୍‌, ସାଲ୍‌ ଓ ସମସ୍ତ ପ୍ରକାରର ହସ୍ତତନ୍ତ ରହିଛି । ଟସର କୋଷାର ମୋଦଲ, ଡାବା, ବୁଗେ, ଫୁକି, ମଲବେରୀ, ଏରି ସୂତା, ଟସର ଡେମ୍ଫର ସୂତା ଦର୍ଶକମାନଙ୍କ ଜାଣିବା ନିମନ୍ତେ ପ୍ରଦର୍ଶନ କରାଯାଉଛି । କୁଟୀର ସୂତା, ରିଲ୍‌ ସୂତା, ଘିଚା ସୂତା, ମଲବେରୀ ଇଅର୍‌, ହାର ମଧ୍ୟ ଏହି ପାଭିଲିୟନ୍‌ରେ ପ୍ରଦର୍ଶିତ ହୋଇଛି । ଟସରରୁ ଫାଇନ୍‌ ସୂତା କଢ଼ାଯାଉଛି ।

ବିନା ଟୁଇଷ୍ଟରେ ସୂତା କଢ଼ାଯାଉଛି । ସ୍ପିନିଂ ମେସିନ୍‌ରେ ୱେଷ୍ଟେଜ୍‌ରୁ ସୂତା ବାହାରୁଛି । ଟସର ପୋକ, ମଲ୍‌ବେରୀ ପୋକ, ଏରି ପୋକ ଆଉ ଟସର ଗଛ, ଅସନ, ଅର୍ଜୁନ ପ୍ଲାଣ୍ଟେସନ୍‌ ପାଇଁ ମଧ୍ୟ ଗଛ ରହିଛି । କୁକୁନ ଟସର ଗ୍ରେନେଜ୍‌ରେ ପୋକ ଅଣ୍ଡା ପ୍ରସ୍ତୁତ କରାଯାଇ ଟସର ଚାଷୀଙ୍କୁ ଦିଆଯାଇଥାଏ ବୋଲି ପାଭିଲିୟନ୍‌ର ଭଗାମୁଣ୍ଡା ଟିଆରସିଏସ୍‌ର କୁନି ଦେହୁରୀ କହିଛନ୍ତି । ଏକ ସ୍ୱତନ୍ତ୍ର ଷ୍ଟଲ୍‌ରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅନ୍ତର୍ଗତ ୪ଟି ସଂସ୍ଥା ଦ୍ୱାରା ପ୍ରସ୍ତୁତ ଡିଜାଇନ୍‌ ପୋଷାକ ପ୍ରଦର୍ଶିତ ଓ ବିକ୍ରୟ ବ୍ୟବସ୍ଥା କରାଯାଇଛି ।

ଆଜି ତୋଷାଳି ମେଳାରେ ମଞ୍ଚରେ ମୁଖ୍ୟ ଅତିଥି ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ଶ୍ରୀ ଗୋକୁଳ ଚନ୍ଦ୍ର ପତି ପ୍ରଦୀପ ପ୍ରଜ୍ୱଳନ କରି ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ବିଭୁ ପ୍ରସାଦ, ସୋନାଲୀଙ୍କର ଯୁଗଳ ସଂଗୀତ କାର୍ଯ୍ୟକ୍ରମ, ସୋନାଲୀଙ୍କ ସାଥିରେ ‘ତୁ ମୋର ସାଥିରେ…’, ‘ବାହୋ ମେ ଚଲେ ଆ….’, ‘ଲଗ୍‌ ଯା ଗଲେ….’, ‘ମେରେ ରସ୍‌କେ କମର….’, ‘ମଲ୍ଲିକା! ଚାଲ୍‌ ଯିବା ଚିଲିକା…’ ସହିତ ବିଭୁ ପ୍ରସାଦଙ୍କର ‘ଏକ ଅଜନବି ହସିନା…’, ‘ଗୁଲାବି ଆଖେଁ…’ ଆଦି ସଂଗୀତ ଦର୍ଶକମାନଙ୍କୁ ବେଶ୍‌ ବିମୁଗ୍ଧ କରିଥିଲା ।

ପରେ ପରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ସାଂସ୍କୃତିକ ପରିଷଦ ଦ୍ୱାରା ନାଟକ ‘ପୁତ୍ରପୂଜା’ ପରିବେଷିତ ହୋଇଥିଲା । ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ବ୍ୟୋମକେଶ ନାୟକଙ୍କୁ ସାଂପ୍ରତିକ ସମାଜରେ ନୀତି, ଆଦର୍ଶ ଓ ମୂଲ୍ୟବୋଧର ଅବକ୍ଷୟ ଗଭୀର ଦୁଃଖ ଦିଏ । ଆଜିର ନାଟକରେ ମୁଖ୍ୟ ଚରିତ୍ର, ଦେବୀଦତ୍ତ ମିଶ୍ର, ବିଗିଡ଼ି ଯାଇଥିବା ପୁଅ ଭୂମିକାରେ ନୀଳମଣି ନାୟକ, ପନିୀ ଯଶୋଦା ଭୂମିକାରେ କାଞ୍ଚନ ନାୟକ, କାହ୍ନì ଚରଣ ଦାସ, ପ୍ରଶାନ୍ତ ଦାସ, ଲଲାଟେନ୍ଦୁ, କେଶରୀ ରାଉତ, ବିଶ୍ୱରଞ୍ଜନ ଥନାପତି, ବି. ଜଗନ୍ନାଥ ରାଓ, ଶଙ୍କର୍ଷଣ ସେଠୀ, ବାନାମ୍ବର ସାହୁ, ଗେଷ୍ଟ ଆର୍ଟିଷ୍ଟ ଆଦି ଅଂଶଗ୍ରହଣ କରିଥିଲେ ।

ଆଜିର ଏହି କାର୍ଯ୍ୟକ୍ରମକୁ ବହୁ ବୁଦ୍ଧିଜୀବୀ, ସଂସ୍କୃତିପ୍ରେମୀ ଓ କଳାପ୍ରେମୀ ଉପଭୋଗ କରିଥିଲେ । ଆସନ୍ତାକାଲି ତୋଷାଳି ମେଳାରେ ଅନ୍ତରା ଚକ୍ରବର୍ତ୍ତୀ, ତାରିକ ଅଜିଜ୍‌ ଓ ତାଙ୍କ ସାଥୀମାନଙ୍କ ଦ୍ୱାରା ସଂଗୀତ ପରିବେଷଣ କରାଯିବାର କାର୍ଯ୍ୟକ୍ରମ ରହିଛି । ତୋଷାଳି ମେଳା ଡିସେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ ।

Leave A Reply

Your email address will not be published.