Latest Odisha News

BREAKING NEWS

ଭଦ୍ରକ ହସ୍ପିଟାଲ୍ ପରିସରରୁ ଗିରଫ ହେଲେ ୪ ଦଲାଲ୍, ରୋଗୀଙ୍କୁ ଭୁଲାଇ ନେଉଥିଲେ ପ୍ରାଇଭେଟ୍ କ୍ଲିନିକ୍

ଭଦ୍ରକ: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଡ୍ଡା ନିର୍ଦ୍ଦେଶ ଯୋଗୁଁ ଏବେ ମେଡ଼ିକାଲ ପରିସରକୁ ଦଲାଲ ମୁକ୍ତ କରାଯାଉଛି । ମେଡ଼ିକାଲ୍ ପରିସରରେ ଏହି ଦଲାଲମାନେ ଗାଁ ଗହଳରୁ ଆସିଥିବା ନିରୀହ ରୋଗୀମାନଙ୍କୁ ଭୁଲାଇ ସ୍ଥାନୀୟ କ୍ଲିନିକକୁ ଚିକିତ୍ସା ଲାଗି ଯେନତେନ ପ୍ରକାରେ ପ୍ରବର୍ତ୍ତାଇ ନେଇ ଯାଉଥିଲେ । ରୋଗୀମାନଙ୍କୁ ପ୍ରାଇଭେଟ୍ କ୍ଲିନିକରେ ଥିବା ଡ଼ାକ୍ତରମାନେ ଅଧିକ ଟଙ୍କା ନେଇ ଚିକିତ୍ସା କରୁଥିଲେ । ଏହି ଦଲାଲମାନଙ୍କର ଗତିବିଧି ଉପରେ ଗତ କିଛି ଦିନ ଧରି ସ୍ଥାନୀୟ ପୋଲିସ ନଜର ରଖିଥିଲା । ଭଦ୍ରକ ମେଡ଼ିକାଲ ପରିସରରୁ ୪ଜଣ ଦଲାଲଙ୍କୁ ରୋଗୀଙ୍କୁ ଶୋଷଣ କରିବା ଅଭିଯୋଗରେ ଗିରଫ କରାଯାଇଛି ।

ପୋଲିସ ଦ୍ୱାରା ଆଜି ଯେଉଁ ୪ ଜଣ ଦଲାଲ୍ ଗିରଫ ହୋଇଛନ୍ତି ସେମାନେ ହେଲେ ପ୍ରଭାତ ସାହୁ, ଅନନ୍ତ ନାୟକ, ବାବାଜୀ ବେହେରା ଏବଂ ହିମାଂଶୁ ନାୟକ । ଏହିସବୁ ଦଲାଲମାନେ ରୋଗୀମାନଙ୍କୁ ଫୁସୁଲାଇ ସ୍ଥାନୀୟ ନର୍ସିଂହୋମ ଏବଂ କିଛି କ୍ଲିନିକକୁ ନେଇ ଯାଉଥିଲେ । ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମାଗଣାରେ ରୋଗୀମାନେ ଚିକିତ୍ସିତ ହେଉଥିଲେ ମଧ୍ୟ ଏହି ଦଲାଲଙ୍କ କବଳରେ ପଡ଼ି ଅନେକ ରୋଗୀ ଅଧିକ ମାତ୍ରାରେ ଅଯଥା ଖର୍ଚ୍ଚାନ୍ତ ହେଉଥିଲେ ।

ପୋଲିସ ଏହି ଦଲାଲମାନଙ୍କୁ ଗିରଫ କରି ପଚରାଉଚରା ଜାରି ରଖିଛି । ହସ୍ପିଟାଲରେ ଡ଼ାକ୍ତରମାନେ ନିଜ କ୍ଲିନିକ ଖୋଲି ଏହି ଦଲାଲଙ୍କ ଦ୍ୱାରା ରୋଗୀମାନଙ୍କୁ ଶୋଷଣ କରୁଥିବା ନେଇ ସାଧାରଣରେ ଅନେକ ଦିନ ଧରି ଅଭିଯୋଗ ହୋଇଆସୁଛି ।

କେଉଁ ଡ଼ାକ୍ତରମାନେ ଏହି ଘୃଣ୍ୟ କାରବାରରେ ସମ୍ପୃକ୍ତ ତାହାକୁ ମଧ୍ୟ ପୋଲିସ ଛାନଭିନ୍ନ ଆରମ୍ଭ କରିଦେଇଛି ।

ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅନେକ ଦିନ ହେଲା ଏହି ଦଲାଲଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇ ଚାଲିଥିବା ଯୋଗୁଁ ରୋଗୀମାନେ ଅଯଥା ଖର୍ଚ୍ଚାନ୍ତ ହେଉଥିବାର ଅଭିଯୋଗ ହୋଇ ଆସୁଛି । ଏବେ ଭଦ୍ରକ ମେଡ଼ିକାଲ ପରିସରକୁ ଏହି ଦଲାଲଙ୍କ କବଳରୁ ମୁକ୍ତ ରଖିବାକୁ ପୋଲିସ ତନାଘନା ଉଦ୍ୟମ ଜାରି ରଖିଛି ।

ଏଠାରେ ସୂଚନାଯୋଗ୍ୟ, ରାଜ୍ୟର ପ୍ରାୟ ସମସ୍ତ ସରକାରୀ ଡ଼ାକ୍ତରଖାନାମାନଙ୍କରେ କିଛି ଡ଼ାକ୍ତରମାନଙ୍କ ପ୍ରରୋଚନାରେ ଏହି ଦଲାଲମାନେ ଦୌରାତ୍ମ୍ୟ କରୁଛନ୍ତି । ଗତ ୨ ଦିନ ମଧ୍ୟରେ ରାଜ୍ୟର ୩ଟି ମେଡ଼ିକାଲରୁ ପ୍ରାୟ ୧୫ ଜଣ ଦଲାଲଙ୍କୁ ଗିରଫ କରାଗଲାଣି ।

Leave A Reply

Your email address will not be published.