Latest Odisha News

BREAKING NEWS

NH-୫୫ର ଶୋଚନୀୟ ସ୍ଥିତି, ପ୍ରତିବାଦରେ ବଅଁରପାଳରେ ୪ ଘଣ୍ଟିଆ ରାସ୍ତାରୋକ

ଅନୁଗୋଳ: କଟକରୁ ଅନୁଗୋଳ ଓ ଢେଙ୍କାନାଳ ଦେଇ ସମ୍ୱଲପୁର ଯାଇଥିବା ୫୫ ଜାତୀୟ ରାଜପଥର ଅବସ୍ଥା ଶୋଚନୀୟ । ଅନୁଗୋଳ ଓ ଢେଙ୍କାନାଳ ମଧ୍ୟରେ ଥିବା ରାସ୍ତାର ଅବସ୍ଥା ଦୁର୍ବିସହ ହୋଇଛି । ଚାରିଆଡ଼େ ଖାଲଖମା । ଭାରି ଯାନ କଥା ଛାଡନ୍ତୁ ବାଇକ୍ ବି ଚଲାଇ ଯିବା ମୁସ୍କିଲ ହୋଇଛି । ରାଜପଥର ଶୋଚନୀୟ ସ୍ଥିତିକୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଢେଙ୍କାନାଳ ସାଂସଦ ମହେଶ ସାହୁ ଓ ତାଙ୍କ ସମର୍ଥକ ।

ଆଜି ବଅଁରପାଳ ନିକଟରେ ୪ ଘଣ୍ଟିଆ ରାସ୍ତାରୋକ କରିଥିଲେ । ସକାଳ ୬ଟାରୁ ୧୦ଟା ଯାଏ ରାଜପଥ ଅବରୋଧ କରାଯାଇଥିଲା । ଆନ୍ଦୋଳନରେ ବଜାର କମିଟି ସହ ତାଳଚେର ଓ ଅନୁଗୁଳର ଶତାଧିକ ଲୋକ ସାମିଲ ହୋଇଥିଲେ । ରାସ୍ତାରୋକ ଯୋଗୁ ରାସ୍ତାର ଉଭୟ ପାର୍ଶ୍ୱରେ ଅଟକି ରହିଥିଲା ବହୁ ଗାଡ଼ିମୋଟର । ଯାତ୍ରୀ ହଇରାଣ ହୋଇଥିଲେ ।
ଅଭିଯୋଗ ହୋଇଛି, ରାସ୍ତା ପ୍ରଶସ୍ତୀକରଣ କାମ ଅନେକ ଦିନରୁ ଚାଲୁଥିଲେ ବି ଏଯାଏ ସରୁନି । ଫଳରେ ଏହି ରାଜପଥରେ ଯାଆସ କରିବା କଷ୍ଟସାଧ୍ୟ ହୋଇଛି । ଅନେକ ସମୟରେ ଦୁର୍ଘଟଣାରେ ଗଲାଣି ବହୁ ଲୋକଙ୍କ ଜୀବନ । ୨୦୨୧ ମସିହାରୁ ଏହି କାମ ସମ୍ପୂର୍ଣ୍ଣ ହେବାକୁ ଥିବା ବେଳେ ଆଜି ଯାଏ ଅଧପନ୍ତରିଆ ହୋଇ ପଡିଛି ।

ବିଳମ୍ବ ପାଇଁ ଏଜେନ୍ସୀକୁ ଦାୟୀ କରିଛନ୍ତି ଆନ୍ଦୋଳନକାରୀ । ରାଜ୍ୟ ସରକାର ରାଜପଥ ପ୍ରଶସ୍ତୀକରଣ ପାଇଁ ଜମି ଯୋଗାଇ ଦେଇ ସାରିଛନ୍ତି । ତୁରନ୍ତ ରାଜପଥ କାମ ଆରମ୍ଭ ନ କରିଲେ ଆଗକୁ ଆନ୍ଦୋଳନ ତୀବ୍ର ହେବ ବୋଲି ଚେତେଇ ଦେଇଛନ୍ତି ।

Comments are closed, but trackbacks and pingbacks are open.