ନୂଆଦିଲ୍ଲୀ:ମଣିପୁରରେ ଥମୁନି ହିଂସା । ମଣିପୁରର ଉଖରୁଲ ଜିଲ୍ଲାରେ ଶୁକ୍ରବାର ଦିନ ସନ୍ଦିଗ୍ଧ ଉଗ୍ରବାଦୀମାନେ ଦୁଇଟି ଗାଡ଼ି ଉପରକୁ ଗୁଳି ଚଳାଇଛନ୍ତି। ପୋଲିସର ସୂଚନା ଅନୁଯାୟୀ, ଏହି ଆକ୍ରମଣରେ ଦୁଇ ମହିଳାଙ୍କ ସମେତ ମୋଟ ଚାରି ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଇମ୍ଫାଲ-ଉଖରୁଲ ରାସ୍ତାର ‘ନ୍ୟୁ ହେଭେନ୍’ ଅଞ୍ଚଳରେ ଏହି ଘଟଣା ଘଟିଥିଲା । ସଶସ୍ତ୍ର ଉଗ୍ରବାଦୀମାନେ ଦୁଇଟି ଚାରିଚକିଆ ଗାଡ଼ି ଉପରକୁ ଗୁଳି ଚଳାଇଥିଲେ।
ସୂଚନାଥାଉକି, ଶୁକ୍ରବାର ଦିନ ଇମ୍ଫାଲ-ଉଖରୁଲ ରାସ୍ତାରେ ଥିବା ‘ନ୍ୟୁ ହେଭେନ୍’ (New Haven) ଠାରେ ହୋଇଥିବା ଏକ ଆକ୍ରମଣରେ ଚାରି ଜଣଙ୍କ ଜୀବନ ଯାଇଛି। ମୃତକଙ୍କ ମଧ୍ୟରେ ଜଣେ ମା’ ଓ ତାଙ୍କ ପୁଅ ଏବଂ ଭାଇ ଓ ଭଉଣୀ ରହିଛନ୍ତି। ସେମାନେ ଦୁଇଟି ଅଲଗା ଅଲଗା ଗାଡ଼ିରେ ଇମ୍ଫାଲ ଯାଉଥିଲେ। ମୃତକମାନେ ହେଲେ ଶାଙ୍ଗଶାକ୍ ଗ୍ରାମର କାପାଙ୍ଗଖୁଇ ଆରଏସ୍ ଓ ହାଓଲେଲା ଆରଏସ୍ ଏବଂ ତାଶାର ଗ୍ରାମର ଅଗସ୍ତ ନଗାଲୁଙ୍ଗ ଓ ଖାନମିଲା । ମିଳିଥିବା ସୂଚନା ଅନୁଯାୟୀ, କାପାଙ୍ଗଖୁଇ ଆରଏସ୍ ଓ ହାଓଲେଲା ଆରଏସ୍ ଭାଇ-ଭଉଣୀ ଥିଲେ, ଅଗସ୍ତ ନଗାଲୁଙ୍ଗ ଓ ଖାନମିଲା ମା’ ଓ ପୁଅ ଥିଲେ।
ଆକ୍ରମଣ ସମୟରେ ପୀଡ଼ିତମାନେ ଦୁଇଟି ଗାଡ଼ିରେ ଯାତ୍ରା କରୁଥିଲେ । ଦୁଇ ଜଣ ଏକ ମାରୁତି ସ୍ୱିଫ୍ଟ (Maruti Swift) ଗାଡ଼ିରେ ଥିବାବେଳେ ଅନ୍ୟମାନେ ଏକ ବୋଲେରୋ (Bolero) ଗାଡ଼ିରେ ଥିଲେ। ଏହି ଘଟଣା ମଣିପୁରର ବର୍ତ୍ତମାନର ସୁରକ୍ଷା ସ୍ଥିତିକୁ ନେଇ ପୁଣିଥରେ ସୃଷ୍ଟି ଚିନ୍ତା ସୃଷ୍ଟି କରିଛି।
ଏହା ପୂର୍ବରୁ, ଗୁରୁବାର ସକାଳେ ସେନାପତି-କାଙ୍ଗପୋକପି ଜିଲ୍ଲାର ସୀମାରେ ଅବସ୍ଥିତ ତାଫୌ କୁକି ଗ୍ରାମରେ ଗୁଳିଚାଳନା ଘଟଣାରେ ଜଣେ ୪୦ ବର୍ଷୀୟା ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି।
ମଣିପୁରରେ ୨୦୨୩ ମସିହା ମେ’ ମାସରୁ ଉପତ୍ୟକାରେ ବାସ କରୁଥିବା ମୈତେଇ ସମ୍ପ୍ରଦାୟ ଏବଂ ପାହାଡ଼ିଆ ଅଞ୍ଚଳରେ ରହୁଥିବା କୁକି ସମ୍ପ୍ରଦାୟ ମଧ୍ୟରେ ଆରମ୍ଭ ହୋଇଥିବା ଜାତିଗତ ସଂଘର୍ଷରେ ଅତିକମରେ ୩୦୬ ଜଣ ଲୋକ ପ୍ରାଣ ହରାଇଛନ୍ତି; ୪୯ ଜଣ ନିଖୋଜ ଅଛନ୍ତି ଏବଂ ହଜାର ହଜାର ଲୋକ ଘରହୀନ ହୋଇପଡ଼ିଛନ୍ତି। ଚଳିତ ବର୍ଷ ଫେବୃଆରୀ ମାସରୁ, ପାହାଡ଼ିଆ ଜିଲ୍ଲାଗୁଡ଼ିକରେ କୁକି ଏବଂ ନାଗା ସମ୍ପ୍ରଦାୟ ମଧ୍ୟରେ ହୋଇଥିବା ସଂଘର୍ଷରେ ଅତିକମରେ ୫୦ ଜଣ ଲୋକ ନିହତ ହୋଇଛନ୍ତି।
