Latest Odisha News

BREAKING NEWS

ଗାତ ଖୋଳି ପୋତିଲାନି ଠିକା ସଂସ୍ଥା, ଚାଲିଗଲା ୪ ଛୁଆଙ୍କ ଜୀବନ

କୋରାପୁଟ: ଠିକା ସଂସ୍ଥାର ଅବହେଳାରୁ ଜୀବନ ହାରିଲେ ୪ ଜଣ କଅଁଳ ଛୁଆ । ରାସ୍ତା ନିର୍ମାଣ ପାଇଁ ଠିକା ସଂସ୍ଥା ଗାତ ଖୋଳି ଥିଲା, ହେଲେ ପୋତିଲାନି ସେମିତି ଛାଡ଼ି ଦେଲା । ଯେଉଁଥିରେ ଖେଳୁଥିବା ବେଳେ ପଡ଼ି ଯାଇ ୪ ଜଣ ନିରୀହ ଛୁଆଙ୍କ ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ମାଝୀଗୁଡ଼ା ଗାଁରେ ।

ସୂଚନା ଅନୁସାରେ, ଗାଁର ୪ ଜଣ ପିଲା ଖେଳୁଥିବା ବେଳେ ଗାତରେ ଖସି ପଡ଼ିଥିଲେ । ଗାଁ ଲୋକ ଦୀର୍ଘ ସମୟ ପରେ ଉଦ୍ଧାର କଲା ବେଳକୁ ସବୁକିଛି ସରି ଯାଇଥିଲା । ଦେହରେ ଜୀବନ ନଥିଲା, ଖାଲି ଶରୀର ମିଳିଥିଲା ଏହି ଗାତରୁ । ଭାରତମାଳା ପରିଯୋଜନାରେ ରାସ୍ତା କାମ ଚାଲିଥିବା ବେଳେ ଗାତ ଖୋଲି ମାଟି ଉଠାଇଥିଲା ଠିକା ସଂସ୍ଥା । ଗାଁ ଲୋକ ଗାତ ବୁଜିବାକୁ ଠିକା ସଂସ୍ଥାକୁ ବାରମ୍ବାର କହିଥିଲେ ବି କେହି ଶୁଣି ନଥିଲେ । ଯେଉଁଥିପାଇଁ ଆଜି ଚାରି ଚାରୋଟି କଅଁଳ ଜୀବନ ଝଡ଼ି ଯାଇଛି ।

୮ ବର୍ଷର ପୁର୍ଣି ହାନ୍ତାଳ, ୬ ବର୍ଷର ବିମଳା ଶୁକ୍ରି, ୪ ବର୍ଷର ରଇଲା ଶୁକ୍ରି ଓ ୬ ବର୍ଷର ମଧୁସୂଦନ ହାନ୍ତାଳର ମୃତ୍ୟୁ ହୋଇଛି । ୩ ନାବାଳିକା ଓ ଜଣେ ନାବାଳକର ମୃତ୍ୟୁରେ ଅଞ୍ଚଳରେ ଖେଳି ଯାଇଛି ଶୋକର ଛାୟା । ଗ୍ରାମବାସୀ ଠିକା ସଂସ୍ଥାକୁ କ୍ଷତିପୂରଣ ଦାବି କରିଛନ୍ତି । ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.