Latest Odisha News

ମଣିପୁର ବିଷ୍ଣୁପୁର ଜିଲ୍ଲାରେ ପୁଣି ଗୁଳିକାଣ୍ଡ, ୪ ନିଖୋଜ

ଇମ୍ଫାଲ: ବିଷ୍ଣୁପୁର ଜିଲ୍ଲାରେ ବୁଧବାର ଏକ ଗୁଳିକାଣ୍ଡ ଘଟଣା ଘଟିବା ପରେ ମଣିପୁରରେ ପୁଣି ଥରେ ହିଂସା କାଣ୍ଡ ଘଟିଛି। ବିଷ୍ଣୁପୁର ଜିଲ୍ଲାର କୁମ୍ବି ଓ ଥୋବାଲ ଜିଲ୍ଲାର ୱାଙ୍ଗୁ ମଧ୍ୟରେ ଏହି ଗୁଳିକାଣ୍ଡ ଘଟିଛି।

ଏହାବ୍ୟତୀତ ଯେଉଁ ଅଞ୍ଚଳରେ ଗୁଳିକାଣ୍ଡ ଘଟିଥିଲା ସେହି ଅଞ୍ଚଳ ନିକଟରେ ଅଦା ଅମଳ କରିବାକୁ ଯାଇଥିବା ବେଳେ ୪ ଜଣ ନିଖୋଜ ହୋଇଯାଇଛନ୍ତି। ପାଖାପାଖି ୬ ରାଉଣ୍ଡ ଗୁଳି ମାଡ଼ ହୋଇଥିବା କୁହାଯାଉଛି।

ନିଖୋଜ ହୋଇଥିବା ୪ ଜଣ ହେଲେ ଓଇନାମ ରୋମିନ୍ ମୈତେଇ (୪୫), ଅହନ୍ଥେମ୍ ଦାରା ମୈତେଇ (୫୬), ଥୋଡାମ୍ ଇବୋମ୍ଚା ମୈତେଇ (୫୩) ଓ ଥୋଦାମ ଆନନ୍ଦ ମୈତେଇ (୨୭)। ଏହି ଘଟଣା ପରେ କୁମ୍ବି ଥାନାରେ ନିଖୋଜ ମାମଲା ରୁଜୁ ହୋଇଛି।

ଏହା ପୂର୍ବରୁ ଜାନୁଆରୀ ୧ ତାରିଖରେ ଥୋବାଲର ଲିଲୋଙ୍ଗ ଅଞ୍ଚଳରେ ଅଜଣା ସଶସ୍ତ୍ର ଦୁର୍ବୃତ୍ତ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସଂଘର୍ଷ ହୋଇଛି। ଏହି ସଂଘର୍ଷରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ପୁଲିସ କହିଛି।

ଗତବର୍ଷ ମେ’ ମାସରେ ମୈତେଇ ଓ କୁକି ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ ଘଟି ୧୮୦ ଜଣଙ୍କ ମୃତ୍ୟୁ ହେବା ପରେ ଗତ କିଛି ମାସ ମଧ୍ୟରେ କ୍ରମାଗତ ହିଂସାକାଣ୍ଡ ଘଟିଛି। ଅନୁସୂଚିତ ଜନଜାତି (ଏସଟି) ମାନ୍ୟତା ଦାବିରେ ମୈତେଇ ସମ୍ପ୍ରଦାୟର ଦାବିକୁ ବିରୋଧ କରି ରାଜ୍ୟର ପାହାଡ଼ିଆ ଜିଲ୍ଲାଗୁଡ଼ିକରେ ‘ଆଦିବାସୀ ସଂହତି ପଦଯାତ୍ରା’ ଆୟୋଜନ କରାଯିବା ପରେ ଏହି ସଂଘର୍ଷ ଆରମ୍ଭ ହୋଇଥିଲା।

ଏହି ହିଂସା କାଣ୍ଡ ପୂର୍ବରୁ ସଂରକ୍ଷିତ ଜଙ୍ଗଲ ଜମିରୁ କୁକି ଗ୍ରାମବାସୀଙ୍କୁ ଉଚ୍ଛେଦ କୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା, ଯାହା ଫଳରେ ଏକାଧିକ ଛୋଟ ଛୋଟ ଆନ୍ଦୋଳନ ହୋଇଥିଲା।

Comments are closed.