ସମ୍ୱଲପୁର: ଉପରମୁଣ୍ଡରେ ଛତିଶଗଡ଼ରେ ବର୍ଷା କମିଛି । ହୀରାକୁଦକୁ କମିଛି ମହାନଦୀର ଜଳ ପ୍ରବେଶ । ବନ୍ଦ ହେଉଛି ଗୋଟିଏ ପରେ ଗୋଟିଏ ଗେଟ୍ । ଆଜି ଜଳଭଣ୍ଡାରର ଆଉ ୪ଟି ଗେଟ୍ ବନ୍ଦ କରାଯାଇଛି । ଆଜି ଦୁଇଟି ପର୍ଯ୍ୟାୟରେ ବନ୍ଦ ହେଲାଣି ୮ଟି ଗେଟ୍ ।
ବର୍ତ୍ତମାନ ହୀରାକୁଦର ଡ୍ୟାମରୁ ୨୪ଟି ସ୍ଲୁଇସ୍ ଗେଟ୍ ଦେଇ ବନ୍ୟା ପାଣି ନିଷ୍କାସିତ ହେଉଛି । ବାମପଟରେ ୧୫ ଓ ଡାହାଣ ପଟରେ ୯ଟି ସ୍ଲୁଇସ୍ ଗେଟ୍ ଖୋଲା ଅଛି । ଏହି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା । ଗତ ଦୁଇ ଦିନରେ ହୀରାକୁଦର ମୋଟ୍ ୨୨ଟି ଗେଟ୍ ବନ୍ଦ ହେଲାଣି ।
ହୀରାକୁଦ ଗେଟ୍ ବନ୍ଦ କରିବା ପରେ ମହାନଦୀରେ କମିଛି ଜଳ ପ୍ରବାହ । ସକାଳ ୭ଟା ସୁଦ୍ଧା ମୁଣ୍ଡୁଳିରେ ୯ ଲକ୍ଷ ୯୫ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି । ଗତକାଲି ମୁଣ୍ଡୁଳିରେ ୧୦ ଲକ୍ଷ ୨୧ ହଜାର କ୍ୟୁସେକ୍ ପାଣି ପ୍ରବାହିତ ହେଉଥିଲା । ମହାନଦୀର ବନ୍ୟା ପାଣିରେ କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାର ତଳି ଅଞ୍ଚଳ ଜଳମଗ୍ନ ହୋଇଛି । ଦିନେ ଦୁଇ ଦିନ ଭିତରେ ପାଣି ସମୁଦ୍ରରେ ମିଶିଯିବ ।
Comments are closed.