Latest Odisha News

BREAKING NEWS

ସିକ୍କିମରେ ଫସିଛନ୍ତି ୪ ଓଡ଼ିଆ, ଉଦ୍ଧାର ପାଇଁ ସରକାରଙ୍କୁ ନିବେଦନ

ଭୁବନେଶ୍ବର: ଭାରତର ଉତ୍ତର-ପୂର୍ବ ସିକିମ୍ ରାଜ୍ୟରେ ଫସିଛନ୍ତି ଓଡ଼ିଶାର ପର୍ଯ୍ୟଟକ । ସେଥି ମଧ୍ୟରେ ସୁବର୍ଣ୍ଣପୁର ଜିଲ୍ଲାର ଗୋଟିଏ ପରିବାର ଥିବା ଜଣା ପଡିଛି । ଉଦ୍ଧାର ପାଇଁ ପର୍ଯ୍ୟଟକମାନେ ସରକାରଙ୍କ ସହାୟତା ଲୋଡ଼ିଛନ୍ତି ।

ସୂଚନା ଅନୁସାରେ, ନିଜ ପରିବାର ସହିତ ଖରାଛୁଟିରେ ବୁଲିବାକୁ ଯାଇଥିବା ସୁବର୍ଣ୍ଣପୁର ଜିଲାର ୪ ଜଣଙ୍କ ସମେତ ମୟୂରଭଞ୍ଜ ଜିଲ୍ଲାର ଅନ୍ୟ ପର୍ଯ୍ୟଟକ ୫ ଦିନ ହେଲା ରାସ୍ତା ଅବରୋଧ ପାଇଁ ଫସି ରହିଛନ୍ତି । ସିକିମ୍‌ର ରାଜଧାନୀ ଗ୍ୟାଙ୍ଗଟକରୁ ଚାଇନା ସୀମା ମଧ୍ୟରେ ବିଭିନ୍ନ ସ୍ଥାନରେ ଗତ ୧୨ ତାରିଖରେ ଭୂ–ସ୍ଖଳନ ହୋଇ ରାସ୍ତା ଓ ପୋଲ ଭାଙ୍ଗିଯାଇଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା ଜଣାପଡିଛି ।

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଭଜବଲପୁର ଗାଁର ରାମନାରାୟଣ ମିଶ୍ର, ସ୍ତ୍ରୀ ମୀନାକ୍ଷୀ, ଝିଅ ଶ୍ରୀ ଓ ପୁଅ କ୍ରିସ୍‌ଙ୍କ ସହିତ ଗତ ୯ ତାରିଖରେ ଭୁବନେଶ୍ବରରୁ କୋଲକାତା ଯାଇଥିଲେ । ପରେ ସେଠାରୁ ଗ୍ୟାଙ୍ଗଟକକୁ ଫ୍ଲାଇଟ୍‌ରେ ଯିବା ପରେ ପୁଣି ଚାଇନା ସୀମାକୁ ଲାଗିଥିବା ଲାଚୁମ୍‌କୁ ପରିବାର ସହିତ ସଡକ ପଥରେ ବୁଲିବାକୁ ଯାଇଥିଲେ । ଲାଚୁମ୍‌ରୁ ୧୩ ତାରିଖରେ ଗ୍ୟାଙ୍ଗଟକକୁ ଫେରିବାର କାର୍ଯ୍ୟକ୍ରମ ଥିଲା ।

ତେବେ ୧୨ ତାରିଖ ରାତିରେ ପ୍ରବଳ ବର୍ଷା ଓ ପାଗ ଖରାପ ହେବାରୁ ବିଭିନ୍ନ ସ୍ଥାନରେ ଭୂ–ସ୍ଖଳନ ହୋଇଛି । ତେଣୁ ସେମାନେ ଫେରି ନପାରି ସେଠାରେ ଫସି ରହିଛନ୍ତି । ତାଙ୍କୁ ତୁରନ୍ତ ଉଦ୍ଧାର କରିବା ପାଇଁ ସରକାରଙ୍କ ପାଖରେ ଦାବି ହେଉଛି । ତେବେ ସେଠାରେ ରହୁଥିବା ସ୍ଥାନରେ ଖାଇବା ମିଳିବା କଷ୍ଟକର ହୋଇଥିବା ସୂଚନା ମିଳିଛି ।

Comments are closed.