Latest Odisha News

BREAKING NEWS

ଫିଲିପାଇନ୍ସରେ ବଡ଼ ଧରଣର ବିମାନ ଦୁର୍ଘଟଣା : ୪ ଜଣ ପାଇଲଟଙ୍କ ମୃତ୍ୟୁ

ମାନିଲା: ଫିଲିପାଇନ୍ସରେ ଏକ ମର୍ମନ୍ତୁଦ ବିମାନ ଦୁର୍ଘଟଣା ଘଟିଛି। ଫିଲିପାଇନ୍ସ ବାୟୁସେନାର ଦୁଇଟି ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୪ ଜଣ ପାଇଲଟଙ୍କ ମୃତ୍ୟୁ ଘଟିଛି। ଶୁକ୍ରବାର ଦିନ ରାଜଧାନୀର ଦକ୍ଷିଣରେ ଅବସ୍ଥିତ ବାତାଙ୍ଗାସ ପ୍ରଦେଶର ଲିପା ସିଟିସ୍ଥିତ ଫର୍ଣ୍ଣାଣ୍ଡୋ ଏୟାର ବେସରେ ନିୟମିତ ଅଭ୍ୟାସ କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ସେନାବାହିନୀ ପକ୍ଷରୁ ସୂଚନା ଦିଆଯାଇଛି।

ବାୟୁସେନାର ପ୍ରବକ୍ତାଙ୍କ ସୂଚନାନୁସାରେ, ଇଟାଲୀ ନିର୍ମିତ ଦୁଇଟି ‘ମାର୍କେଟି SF-260’ ତାଲିମ ବିମାନ ଏୟାର ବେସ ପରିସର ମଧ୍ୟରେ ଉଡ଼ାଣ ଅଭ୍ୟାସ କରୁଥିବା ବେଳେ ହଠାତ୍ ଯାନ୍ତ୍ରିକ ତ୍ରୁଟି କିମ୍ବା ଅନ୍ୟ କୌଣସି କାରଣରୁ ନିୟନ୍ତ୍ରଣ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଭୟଙ୍କର ଦୁର୍ଘଟଣାରେ ବିମାନ ଦୁଇଟି ସମ୍ପୂର୍ଣ୍ଣ ଜଳିଯାଇ ପାଉଁଶ ହୋଇଯାଇଥିବା ବେଳେ ସେଥିରେ ଥିବା ସମସ୍ତ ୪ ଜଣ ଅଭିଜ୍ଞ ପାଇଲଟଙ୍କର ଘଟଣାସ୍ଥଳରେ ହିଁ ପ୍ରାଣହାନି ଘଟିଛି। ତେବେ ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ତତ୍କ୍ଷଣାତ୍ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ଏବଂ ଏୟାର ବେସ ପରିସର ମଧ୍ୟରେ ଅନ୍ୟ କୌଣସି ବ୍ୟକ୍ତି କିମ୍ବା ସାଧାରଣ ସମ୍ପତ୍ତିର କ୍ଷତି ହୋଇନଥିବା ସ୍ପଷ୍ଟ କରାଯାଇଛି।

ଏହି ଦୁର୍ଘଟଣାର ସଠିକ କାରଣ ଖୋଜି ବାହାର କରିବା ପାଇଁ ବାୟୁସେନା ମୁଖ୍ୟାଳୟ ପକ୍ଷରୁ ଏକ ଜରୁରୀକାଳୀନ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କରାଯାଇଛି। ସୁରକ୍ଷା ଓ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଫିଲିପାଇନ୍ସ ବାୟୁସେନା ନିଜର ସମସ୍ତ ‘SF-260’ ଶ୍ରେଣୀର ବିମାନର ଉଡ଼ାଣକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସାମୟିକ ଭାବେ ସ୍ଥଗିତ ରଖିଛି। ଦୁର୍ଘଟଣାରେ ପ୍ରାଣ ହରାଇଥିବ ପାଇଲଟମାନଙ୍କ ଅମର ଆତ୍ମାର ସଦ୍‌ଗତି କାମ କରିବା ସହ ସେମାନଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ପ୍ରତିରକ୍ଷା ବିଭାଗ ଓ ବାୟୁସେନା ପକ୍ଷରୁ ଗଭୀର ସମବେଦନା ଜ୍ଞାପନ କରାଯାଇଛି ଏବଂ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି।

Leave A Reply

Your email address will not be published.