ପୁରୀ: ପୁରୀ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଉପରେ ପୁଣି ଉଠିଲା ପ୍ରଶ୍ନ । ମେଘନାଦ ପାଚେରି ଡେଇଁ ଶ୍ରୀମନ୍ଦିରରେ ପଶିଲେ ୪ ଜଣ ଯୁବକ । ଦକ୍ଷିଣ ଦ୍ୱାର ମେଘନାଦ ପାଚେରି ଉପରେ ଚଢି ଭିତରକୁ ଗଲେ ଏହି ଯୁବକ ମାନେ । ଶ୍ରୀମନ୍ଦିର ବାହାରେ ଓ ଭିତରେ ମାଳମାଳ ସୁରକ୍ଷାକର୍ମୀ ନିଯୁକ୍ତ ହେବା ସତ୍ତ୍ବେ ସବୁ ସୁରକ୍ଷାକୁ ଭେଦ କରି କିପରି ମେଘନାଦ ପାଚେରୀ ଉପରେ ଚଢି ଶ୍ରୀମନ୍ଦିର ଭିତରକୁ ଚାଲିଗଲେ ଚାରି ଜଣ ଯୁବକ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ରଥଯାତ୍ରା ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଶ୍ରୀମନ୍ଦିର ବାହାରେ ଓ ଭିତରେ ମାଳମାଳ ସୁରକ୍ଷାକର୍ମୀ ଜଗିଥିବା ବେଳେ ନିଳାଦ୍ରୀ ବିଜେ ଦିନ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଶ୍ରୀମନ୍ଦିର ଦକ୍ଷିଣଦ୍ୱାର ଠାରେ ଗଦା ହୋଇଥିବା ଅଳିଆ ଗଦା ଉପରେ ଚଢି ମେଘନାଦ ପାଚେରୀ ଉପରେ ଚଢି ଏହି ଯୁବକ ଶ୍ରୀମନ୍ଦିର ଭିତରକୁ ଯାଇଥିଲେ । ଯାହାର ଦୃଶ୍ୟ ଭାଇରାଲ ହେବାରେ ଲାଗିଛି ।
ତେବେ ଏହି ୪ ଜଣ ଯୁବକ କେଉଁ ଉଦ୍ଦେଶ୍ୟ ନେଇ ଚଢି ଭିତରକୁ ଗଲେ ଏବଂ ସୁରକ୍ଷାକର୍ମୀ ଏନେଇ ଅବଗତ ଥିଲେ ନା ସୁରକ୍ଷାରେ ଅବହେଳା ହୋଇଛି ତାହାର ତଦନ୍ତ ହେଉବୋଲି ସାଧାରଣରେ ଦାବି ହୋଇଛି । ଏଭଳି ଘଟଣା ସାମ୍ନାକୁ ଆସିବା ପରେ କ୍ଷୋଭ ପ୍ରକାଶ କରିଛନ୍ତି ଜଗନ୍ନାଥ ପ୍ରେମୀ ଓ ବୁଦ୍ଧିଜୀବୀ ।
ସୁରକ୍ଷା ଉପରେ ପ୍ରଶ୍ନ ଉଠିବା ପରେ ସାମ୍ନାକୁ ଆସିଲା ପୁରୀ ଏସପିଙ୍କ ପ୍ରତିକ୍ରିୟା । ମେଘନାଦ ପାଚେରି କଡ଼ରେ କିଏ ମାଟି ପକାଇଥିଲା ତାହାର ତଦନ୍ତ ହେବ । ତଦନ୍ତ ପରେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଏସପି ପିନାକ ମିଶ୍ର ।
Comments are closed.