Latest Odisha News

BREAKING NEWS

୫୫୦ ପିଲାର ବାପା ହେବାରୁ ଯୁବକ ଏବେ କୋର୍ଟର ଚକ୍କର କାଟୁଛନ୍ତି

ନେଦରଲ୍ୟାଣ୍ଡ: ଯଦି କୌଣସି ବ୍ୟକ୍ତିର ୮ରୁ ୧୦ ସନ୍ତାନ ଥିବା କଥା ଶୁଣାଯାଏ, ତେବେ ଯେକେହି ଆଶ୍ଚର୍ଯ୍ୟ ହେବା ସ୍ୱଭାବିକ । କିନ୍ତୁ ଏମିତି ଜଣେ ୪୧ ବର୍ଷ ବୟସ୍କ ବ୍ୟକ୍ତି ଅଛନ୍ତି, ଯିଏ ୫୫୦ଟି ସନ୍ତାନର ବାପା ହୋଇ ଚର୍ଚ୍ଚାକୁ ଆସିଛନ୍ତି । ତେବେ ତାଙ୍କର ସବୁ ପିଲା ଗୋଟିଏ ଛାତ ତଳେ କି ଦେଶରେ ସୀମିତ ନୁହଁନ୍ତିଁ, ସମଗ୍ର ବିଶ୍ୱର ବିଭିନ୍ନ ଦେଶରେ ବିଛାଡି ହୋଇ ରହିଛନ୍ତି ତାଙ୍କ ସନ୍ତାନସନ୍ତତି ।

ବିଶ୍ୱର ଅନେକ ସ୍ଥାନରେ ବଢୁଥିବା ଜନସଂଖ୍ୟା ଏକ ସମସ୍ୟା ଭାବେ ଉଭା ହୋଇଥିବା ବେଳେ ଆଉ କେତେକ ସ୍ଥାନରେ ଇନ୍‌ଫର୍ଟିଲିଟି ବା ବନ୍ଧ୍ୟା ଦୋଷ ଏକ ସମସ୍ୟା ଭାବେ ସାମ୍ନାକୁ ଆସୁଥିବା ଦେଖିବାକୁ ମିଳେ । ବିଶେଷକରି ବନ୍ଧ୍ୟାଦୋଷ ଦୂର କରିବା ପାଇଁ ଅନେକ ପ୍ରକାରର ଚିକିତ୍ସା ଉପଲବ୍ଧ ହେଲାଣି । କିନ୍ତୁ ସେ କ୍ଷେତ୍ରରେ ଶୁକ୍ରାଣୁ ଦାନ ଏକ ବିକଳ୍ପ ସମାଧାନ ଭାବେ ସାମ୍ନାକୁ ଆସିଛି । ଅର୍ଥାତ୍ କୌଣସି ଦମ୍ପତ୍ତିଙ୍କର ସନ୍ତାନସନ୍ତତି ହେଉ ନ ଥିବା ବେଳେ ସେମାନେ ଏହି ଶୁକ୍ରାଣୁ ରୋପଣର ଆଶ୍ରୟ ନେଉଛନ୍ତି, ଯାହା ଏକ ଫଳପ୍ରଦ ଚିକିତ୍ସା ଭାବେ ଉଭା ହେଉଛି । ବଡ଼ କଥା ହେଉଛି ବନ୍ଧ୍ୟା ଦୋଷ ଦୂର କରିବା ପାଇଁ ଶୁକ୍ରାଣୁ ରୋପଣ କେବଳ ଏକ ସାମାଜିକ ଦାନ ଭାବେ ସୀମିତ ହୋଇ ରହିନାହିଁ , ବରଂ ଲୋକମାନେ ଏଥିରୁ ଭଲ ରୋଜଗାର ମଧ୍ୟ କରି ପାରୁଛନ୍ତି । ନେଦରଲ୍ୟାଣ୍ଡର ଏହି ୪୧ ବର୍ଷିୟ ବ୍ୟକ୍ତି ଜୋନାଥନ ଯାଦବ ମିଜର ନିଃସନ୍ତାନ ଦମ୍ପତ୍ତିଙ୍କୁ ଶୁକ୍ରାଣୁ ବିକ୍ରି କରି ଭଲ ଅର୍ଥ ରୋଜଗାର କରିବା ସହ ଏପର୍ଯ୍ୟନ୍ତ ପରୋକ୍ଷରେ ୫୫୦ ସନ୍ତାନର ବାପା ହୋଇସାରିଲେଣି ।

ତେବେ ମଜାଦାର କଥା ହେଲା, ଏହି ବ୍ୟକ୍ତିଙ୍କ ବିରୋଧରେ ଏବେ ଶତାଧିକ ମହିଳା ମାମଲା ଦାୟର କରିଛନ୍ତି । ମହିଳାମାନେ ଅଭିଯୋଗ କରିଛନ୍ତି ଯେ , ଏହି ବ୍ୟକ୍ତି ଜଣକ ସାରା ବିଶ୍ୱରେ ୫୫୦ ଜଣଙ୍କୁ ତାଙ୍କ ଶୁକ୍ରାଣୁ ପ୍ରଦାନ କରିଛନ୍ତି । ଏହାର ପ୍ରଭାବ ସେମାନଙ୍କ ପିଲା ଉପରେ ପଡ଼ିବ । ମେଡିକାଲ୍ ବିଶେଷଜ୍ଞମାନେ କୁହନ୍ତି ଯେ ଏହା ପିଲାମାନଙ୍କର ମାନସିକ ସ୍ଥିତିକୁ ପ୍ରଭାବିତ ହୋଇପାରେ । ନିୟମ ଅନୁସାରେ ଜଣେ ବ୍ୟକ୍ତି ୧୨ ରୁ ଅଧିକ ମହିଳାଙ୍କୁ ଶୁକ୍ରାଣୁ ଦାନ କରିପାରିବେ ନାହିଁ । ୨୦୧୭ ସୁଦ୍ଧା ଜୋନାଥନ ୧୦ ଟି କ୍ଲିନିକରେ ଶୁକ୍ରାଣୁ ଦାନ କରି ୫୫୦ ପିଲାର ବାପା ହୋଇଛନ୍ତି । ଏଥିଲାଗି ନେଦରଲ୍ୟାଣ୍ଡରେ ଶୁକ୍ରାଣୁ ଦାନ ପାଇଁ ତାଙ୍କୁ ବାରଣ କରାଯାଇଛି । ଏହି ଘଟଣା ପରଠାରୁ ନେଦରଲ୍ୟାଣ୍ଡରେ ଶୁକ୍ରାଣୁ ଦାନ ଆଇନ କଡ଼ାକଡ଼ି କରାଯିବାକୁ ଦାବି ହୋଇଛି ।

Leave A Reply

Your email address will not be published.