Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ମାଗଣା ଗ୍ୟାସ ସିଲିଣ୍ଡର ପାଇବେ ରାଜ୍ୟର ୪୭,୪୭,୩୭୦ ହିତାଧିକାରୀ

ନୂଆଦିଲ୍ଲୀ: କୋଭିଡ-୧୯ ମହାମାରୀ କାରଣରୁ ଦେଶବ୍ୟାପୀ ଜାରି ହୋଇଥିବା ଲକଡାଉନ ସମୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମାଗଣାରେ ଗ୍ୟାସ ସିଲିଣ୍ଡର ରିଫିଲ ଯୋଗାଇ ଦିଆଯାଉଛି । ଏହି ଯୋଜନାରେ ହିତାଧିକାରୀମାନେ ତିନି ମାସ ପର୍ୟ୍ୟନ୍ତ ମାଗଣାରେ ତିନୋଟି ଗ୍ୟାସ ସିଲିଣ୍ଡର ରିଫିଲ ପାଇପାରିବେ ।

ଓଡ଼ିଶାର ମୋଟ ୪୭,୪୭,୩୭୦ ଜଣ ଉଜ୍ଜ୍ୱଳା ହିତାଧିକାରୀଙ୍କୁ ତିନି ମାସ ଲାଗି ମାଗଣାରେ ଗ୍ୟାସ ସିଲିଣ୍ଡର ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମୋଟ ୧୧୦୨.୮୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ପ୍ରତ୍ୟେକ ହିତାଧିକାରୀଙ୍କୁ ଗୋଟିଏ ସିଲିଣ୍ଡର ବୁକିଂ ନିମନ୍ତେ ବ୍ୟାଙ୍କ ଆକାଉଂଟ ଜରିଆରେ ୭୭୪ ଟଙ୍କା ୫୦ ପଇସା ପ୍ରଦାନ କରାଯାଉଛି । ଏହିପରି ଭାବେ ସେମାନେ ତିନି ମାସ ଲାଗି ମୋଟ ୨୩୨୩ ଟଙ୍କା ଗ୍ୟାସ ସିଲିଣ୍ଡର ରିଫିଲ ନିମନ୍ତେ ପାଇବେ ।

ଇତିମଧ୍ୟରେ ପ୍ରଥମ ମାସ ପାଇଁ ବହୁସଂଖ୍ୟକ ଉଜ୍ଜ୍ୱଳା ଯୋଜନା ହିତାଧିକାରୀଙ୍କ ଘରେ ମାଗଣା ଗ୍ୟାସ ପହଁଚି ସାରିଲାଣି । ଲକଡାଉନ କାରଣରୁ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ହିତାଧିକାରୀଙ୍କ ପାଇଁ ମାଗଣାରେ ରୋଷେଇ ଗ୍ୟାସ ମିଳିଯାଉଥିବାରୁ ସେମାନେ ସନ୍ତୋଷ ପ୍ରକାଶ କରିଛନ୍ତି । ଗଜପତି ଜିଲ୍ଲାର ବହୁସଂଖ୍ୟକ ହିତାଧିକାରୀ ଏହାଦ୍ୱାରା ଉପକୃତ ହୋଇଛନ୍ତି । ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଜୀବା ପଞ୍ଚାୟତର ଅନୁକୁଣ୍ଡା ଗ୍ରାମର ଦୁଇ ମହିଳା ହିତାଧିକାରୀ ସୁଲୋଚନା କାଉଁରୀ ଏବଂ ମଞ୍ଜୁ ଶବର ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ ସିଲିଣ୍ଡର ଗ୍ରହଣ କରିଛନ୍ତି । ଏଥିରେ ସେମାନେ ବେଶ ଖୁସି ବ୍ୟକ୍ତ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେହିପରି ଜିଲ୍ଲାର ଗୋସାଣି ବ୍ଲକ୍ ଅନ୍ତର୍ଗତ ଉପ୍ପଲଡ଼ା ଗ୍ରାମର ଦୁଇ ଜଣ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ମହିଳା ହିତାଧିକାରୀ କେ. ଉନୀଷା ଓ ବି. ସାରଦା ମଧ୍ୟ ଏପ୍ରିଲ ମାସ ପାଇଁ ଗ୍ୟାସ ରିଫିଲ ବୁକିଂ କରି ମାଗଣାରେ ପାଇପାରିଛନ୍ତି । ଏଥିଯୋଗୁ ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି କୃତଜ୍ଞତା ବ୍ୟକ୍ତ କରିଛନ୍ତି ।

କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ଅଧୀନ ତିନୋଟି ତୈଳ ବିପଣନ କମ୍ପାନୀ ଇଣ୍ଡିଆନ ଅଏଲ, ଏଚପି, ଭାରତ ଗ୍ୟାସ ପକ୍ଷରୁ ବିତରକମାନଙ୍କ ଜରିଆରେ ମାଗଣାରେ ଗ୍ୟାସ ସିଲିଣ୍ଡର ରିଫିଲ ଯୋଗାଇ ଦିଆଯାଉଛି । ଉପଭୋକ୍ତାମାନେ ଗ୍ୟାସ ସିଲିଣ୍ଡର ପାଇଁ ବୁକିଂ କରିବା ପରେ ସେମାନଙ୍କ ବ୍ୟାଙ୍କ ଖାତାକୁ ସମ୍ପୂର୍ଣ୍ଣ ଗ୍ୟାସ ସିଲିଣ୍ଡର ରିଫିଲ ବାବଦ ଅର୍ଥ ସିଧାସଳଖ ଚାଲିଆସୁଛି ।

ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ମାଗଣା ଗ୍ୟାସ ସିଲିଣ୍ଡର ରିଫିଲ କରାଯିବାକୁ ଘୋଷଣା କରାଯିବା ପରଠାରୁ ଏପ୍ରିଲ ୧୪ ତାରିଖ ସୁଦ୍ଧା ତୈଳ ବିପଣନ କମ୍ପାନୀଗୁଡ଼ିକ ୭.୨୩ କୋଟି ଉପଭୋକ୍ତାମାନଙ୍କ ଆକାଉଂଟକୁ ପାଖାପାଖି ୫୬୬୩ କୋଟି ଟଙ୍କା ହସ୍ତାନ୍ତର କରିସାରିଲେଣି । ସେହିପରି ୧.୩୨ କୋଟି ମାଗଣା ଏଲପିଜି ରିଫିଲ ଉପଭୋକ୍ତାମାନଙ୍କୁ ଯୋଗାଇ ଦିଆଯାଇସାରିଛି ।

ଓଡ଼ିଶାରେ ତୈଳ ବିପଣନ କମ୍ପାନୀଗୁଡ଼ିକ ପ୍ରଥମ ରିଫିଲ ବୁକିଂ ବାବଦକୁ ଉପଭୋକ୍ତାଙ୍କ ଆକାଉଣ୍ଟକୁ ୩୪୧ କୋଟି ଟଙ୍କା ଅଗ୍ରୀମ ହସ୍ତାନ୍ତର କରିସାରିଲେଣି । ୧୪ ଏପ୍ରିଲ ସୁଦ୍ଧା ଓଡ଼ିଶାରେ ଥିବା ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ହିତାଧିକାରୀଙ୍କୁ ୫.୮୮ ଲକ୍ଷ ଏଲପିଜି ରିଫିଲ ଯୋଗାଇ ଦିଆଯାଇସାରିଛି । କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ତଥା ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମସ୍ତ ଉଜ୍ଜ୍ୱଳା ଯୋଜନା ହିତାଧିକାରୀଙ୍କ ନିକଟରେ ଏହି ସୁବିଧା ପହଁଚାଇବା ସୁନିଶ୍ଚିତ କରିବା ଲାଗି ତୈଳ ବିପଣନ କମ୍ପାନୀ ଓ ମନ୍ତ୍ରଣାଳୟର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.