Latest Odisha News

BREAKING NEWS

ନିଯୁକ୍ତି ମେଳା: ୭ଟି ବିଭାଗରେ ୪୭୬ ଜଣ ଅଧିକାରୀ ଓ କର୍ମଚାରୀ ନିଯୁକ୍ତ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନ କନଭେନସନ ସେଣ୍ଟର ଠାରେ ବିଭିନ୍ନ ବିଭାଗରେ ୪୭୬ ଜଣ ଅଧିକାରୀ ଓ କର୍ମଚାରୀମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଆୟୋଜିତ ଏକ ନିଯୁକ୍ତି ମେଳା ମାଧ୍ୟମରେ ଏହି ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା ।

ଏହି ଅବସରରେ ନବ ନିଯୁକ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇ କହିଥିଲେ ଯେ, ପ୍ରତ୍ୟେକ ବ୍ୟକ୍ତି ପାଇଁ ପ୍ରଥମ କର୍ମନିଯୁକ୍ତିର ଦିନଟି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଓ ଆନନ୍ଦଦାୟକ ହୋଇଥାଏ । ଆଜି ଆପଣମାନେ ଲୋକଙ୍କ ସେବାରେ ନିଯୁକ୍ତ ହେଉଛନ୍ତି । ଏହି ସେବା କେବଳ ଏକ କର୍ମନିଯୁକ୍ତି ନୁହେଁ, ଏହା ଆପଣମାନଙ୍କ ପାଇଁ ଏକ ଗୁରୁଦାୟିତ୍ୱ । ଗଣତନ୍ତ୍ରରେ ସରକାର ହେଉଛନ୍ତି ଲୋକଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତୀକ । ଜନସାଧାରଣଙ୍କ ସମସ୍ୟା ଓ ତା’ର ସମାଧାନ, ସରକାର ଓ ସରକାରୀ କର୍ମଚାରୀଙ୍କ ଦାୟିତ୍ୱ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ, ପୂର୍ବ ସରକାର, ସରକାରୀ ଚାକିରୀରେ ପଦବୀ ପୂରଣ ଓ ଆତ୍ମନିଯୁକ୍ତି ସୃଷ୍ଟି କ୍ଷେତ୍ରରେ ଆଖିଦୃଶିଆ ପଦକ୍ଷେପ ନେବାରେ ବିଫଳ ହୋଇଥିଲେ । ଆମ ନୂଆ ସରକାର ନିଷ୍ପତ୍ତି ନେଇଛନ୍ତି ଆଗାମୀ ୫ ବର୍ଷ ମଧ୍ୟରେ ଦେଢ ଲକ୍ଷ ସରକାରୀ ପଦବୀ ପୂରଣ କରିବା ପାଇଁ । ଆଜି ଏହାର ମୂଳଦୁଆ ପଡିଲା । ଏଣିକି ସବୁ ଚୟନ ପଦ୍ଧତି ମେରିଟ୍ ଆଧାରରେ ହେବ । ଏଥି ସହିତ ଶିଳ୍ପ କ୍ଷେତ୍ରରେ ୩.୫୦ ଲକ୍ଷ ଯୁବକ ଯୁବତୀମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ଆମେ ପଦକ୍ଷେପ ନେଉଛୁ ବୋଲି ସେ କହିଥିଲେ ।

ନୂତନ ଭାବେ ନିଯୁକ୍ତି ପାଇଥିବା ଅଧିକାରୀ ଓ କର୍ମଚାରୀମାନଙ୍କୁ କର୍ମ କ୍ଷେତ୍ରରେ କର୍ତ୍ତବ୍ୟପରାୟଣତା, ସମୟାନୁବର୍ତ୍ତିତା, ସାଧୁତା ଓ ସଚ୍ଚୋଟତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦେବା ସହିତ ଲୋକଙ୍କ ଅଭିଯୋଗ ଶୁଣାଣୀକୁ ପ୍ରାଥମିକତା ଦେଇ ରାଜ୍ୟର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ ।

ସୂଚନାଯୋଗ୍ୟ ଯେ, ଆଜି ବିଭିନ୍ନ ବିଭାଗରେ ନିଯୁକ୍ତି ପାଇଥିବା ଅଧିକାରୀ ଓ କର୍ମଚାରୀ ମାନଙ୍କ ମଧ୍ୟରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିଭାଗର ୮୨ ଜଣ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ୩୯ ଜଣ, ଉଚ୍ଚଶିକ୍ଷା ବିଭାଗର ୨୪ ଜଣ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୨୩୧ ଜଣ, ସୂଚନା ଓ ଲୋକସଂପର୍କ ବିଭାଗର ୫ ଜଣ, ଯୋଜନା ଓ ସଂଯୋଜନ ବିଭାଗର ୬୧ ଜଣ ଏବଂ ଅନୁସୂଚିତ ଜନଜାତି ଓ ଜାତି ବିଭାଗର ୩୪ ଜଣ – ଏହିପରି ସର୍ବମୋଟ ୪୭୬ ଜଣ ନବନିଯୁକ୍ତ ଅଧିକାରୀ ଓ କର୍ମଚାରୀ ଅଛନ୍ତି । ତନ୍ମଧ୍ୟରେ ଗ୍ରୁପ-ଏ ବର୍ଗର ୯୮ ଜଣ ଅଧିକାରୀ, ଗ୍ରୁପ-ବି ବର୍ଗର ୧୩୦ ଜଣ ଅଧିକାରୀ ଏବଂ ଗ୍ରୁପ-ସି ବର୍ଗର ୨୪୮ ଜଣ କର୍ମଚାରୀ ଅଛନ୍ତି ।

Comments are closed.