Latest Odisha News

BREAKING NEWS

ୟୁଟ୍ୟୁବରେ ଚାଲିଥିଲା ପ୍ରଶ୍ନପତ୍ର ବିକ୍ରି: ଧରାପଡିଲେ ୫ ଜଣ

ଭୁବନେଶ୍ବର: ୟୁଟ୍ୟୁବ ମାଧ୍ୟମରେ ଚାଲିଥିଲା ପ୍ରଶ୍ନପତ୍ର ବିକ୍ରି । ଗିରଫ ହେଲେ ୫ ଜଣ । ୟୁଟ୍ୟୁବ ମାଧ୍ୟମରେ ଅଷ୍ଟମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପରୀକ୍ଷା ପ୍ରଶ୍ନପତ୍ର ବିକ୍ରି କରୁଥଇବା ଏକ ବଡ ରାକେଟ ଠାବ କରିଛି ପୋଲିସ । ଏହି ରାକେଟରେ ସଂପୃକ୍ତ ଥିବା ୪ ଜଣ ୟୁଟ୍ୟୁବର ଓ ଜଣେ ସରକାରୀ ସ୍କୁଲର ଶିକ୍ଷକଙ୍କୁ ଗିରଫ କରିଛି କଟକ ସାଇବର ଥାନା ପୋଲିସ୍ ।

ଅଭିଯୁକ୍ତମାନେ ହେଲେ ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଞ୍ଚଳର ଜ୍ୟୋତିରଞ୍ଜନ ବାରିକ, ବରଗଡ଼ ଅତାବିରାର ସାହିଲ କୁମାର ମିଶ୍ର, ସୁଶାନ୍ତ କୁମାର ବିଶି ଓ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁର ସାଇଶଙ୍କର ପାତ୍ରଙ୍କ ସହିତ ସ‌ହକାରୀ ଶିକ୍ଷକ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ଘନଶ୍ୟାମ ବେଉରା । ଏଥିସହିତ ତାଙ୍କ ସହିତ ୬ଟି ମୋବାଇଲ୍ ଫୋନ୍ ଓ ଗୋଟିଏ ଟାବଲେଟ୍ ଜବତ ହୋଇଛି ।

ତେବେ ଗତବର୍ଷ ନଭେମ୍ବର ମାସରେ ଓଡ଼ିଶା ସେକେଣ୍ଡାରୀ ସ୍କୁଲ ଟିଚର୍ସ ଆସୋସିଏସନ ବା ‘ଓଷ୍ଟା’ର ସଂପାଦକ ରଞ୍ଜନ କୁମାର ଦାଶ ସାଇବର ଥାନାରେ ଏକ ଏତଲା ଦେଇଥିଲେ । ଅକ୍ଟୋବର ୨୮ରୁ ନଭେମ୍ବର ୪ ମଧ୍ୟରେ ସ୍କୁଲସ୍ତରରେ ଅଷ୍ଟମରୁ ଦଶମ ଶ୍ରେଣୀ ମଧ୍ୟରେ ଚାଲିଥିବା ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ହୋଇଥିବା ସେ ଏତଲାରେ ଉଲ୍ଲେଖ କରିଥିଲେ । ଏପରିକ ପୂର୍ବ ବର୍ଷର ‘ପ୍ରି ବୋର୍ଡ’ ପରୀକ୍ଷାର ପ୍ରଶ୍ନପତ୍ର ମଧ୍ୟ ବିଭିନ୍ନ ୟୁଟ୍ୟୁବ୍ ଚ୍ୟାନେଲ୍ ମାଧ୍ୟମରେ ଭାଇରାଲ୍ ହେଉଥିବା କଥା ସେ ପ୍ରକାଶ କରିଥିଲେ । ଅଭିଯୋଗ ଆଧାରରେ ଥାନା ପକ୍ଷରୁ ଗୁଗଲ୍ ଓ ଅନ୍ୟ ସଂସ୍ଥାଠାରୁ ଏକାଧିକ ବୈଷୟିକ ତଥ୍ୟ ମଗାଯାଇଥିଲା । ଏହି ତଥ୍ୟ ଯାଞ୍ଚ ପରେ ଘଟଣା ପଛରେ ବଡ ରାକେଟ କାମ କରୁଥିବା ଜଣାପଡିଥିଲା ।

Comments are closed.